ମଙ୍ଗଳବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ପ୍ରତିଶତ ଝିଅ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରେ ମୋଟ ୯୭ ହଜାର ୯୧୯ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଓଡ଼ିଶାରେ ପାସ ହାର ରହିଛି ୮୩.୬୪ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ ହାର ରହିଛି ୮୧.୪୨ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା ୫୧ ହଜାର ୯୪୯ । ଏଣେ ଓଡ଼ିଶାର ୪୫, ୯୭୦ ଜଣ ଛାତ୍ରୀ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ହାର ହେଲା ୮୬.୩୦ ପ୍ରତିଶତ । ଛାତ୍ରଛାତ୍ରୀମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ । ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।
ସେହିପରି ଦଶମ ପରୀକ୍ଷାରେ ମଧ୍ୟ ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ପାସ୍ ହାର ରହିଛି ୯୨.୬୪ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି ୯୧.୬୩ ପ୍ରତିଶତ । ଏମାନଙ୍କ ସଂଖ୍ୟା ହେଲା ୬୯ ହଜାର ୮୬୯ । ଏଣେ ଓଡ଼ିଶାର ୬୦,୮୬୯ ଜଣ ଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ହାର ହେଲା ୯୩.୮୩ ପ୍ରତିଶତ ।