ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଓଡ଼ିଶା ଲୋକସେବା କମିଶନ(ଓପିଏସ୍ସି) ଓ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି)ରେ ଦୁଇଜଣ ଲେଖାଏଁ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଓପିଏସସିରେ ନୂତନ ନିଯୁକ୍ତ ସଦସ୍ୟମାନଙ୍କ ମଧ୍ୟରେ ଜଣେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ବର୍ଗର ରହିଥିବାବେଳେ ଆଉ ଜଣେ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରହିଛନ୍ତି। ଏସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଜନଗଣନା(ଅପରେସନ) ନିଦେର୍ଶକ ଉଦୟ ନାରାୟଣ ଦାସଙ୍କୁ କମିଶନର ନୂତନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ୬ବର୍ଷ ଅଥବା ୬୨ବର୍ଷ ପର୍ଯ୍ୟନ୍ତ ଚାକିରିରେ ରହିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ପୁରୀସ୍ଥିତ ଏସ୍ସିଏସ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ମିହିର ପ୍ରସାଦ ମିଶ୍ରଙ୍କୁ ମଧ୍ୟ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ଚାକକିରିରେ ଯୋଗଦେବା ଦିନଠାରୁ ୬ବର୍ଷ ନତୁବା ୬୨ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସେହିପରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ସୃତି ଦାସଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି)ର ନୂତନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ନବ ନିଯୁକ୍ତ ସଦସ୍ୟମାନେ କମିଶନରେ କାର୍ଯ୍ୟଭାର ଗ୍ରହଣକରିବା ଦିନଠାରୁ ୫ବର୍ଷ ଅଥବା ୬୫ବର୍ଷ ପର୍ଯ୍ୟନ୍ତ ଚାକିରିରେ ରହିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।