ସାମ୍ଭାବ୍ୟ ବାତ୍ୟା ଶକ୍ତି ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ଆଶଙ୍କା ରହିଛି । ମେ ୧୪ ତାରିଖ ଯାଏଁ ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ବାତ୍ୟା ସୃଷ୍ଟି ନେଇ କୌଣସି ସତର୍କତା ଜାରି କରିନାହି । ମେ ୨୪ରୁ ୨୭ ତାରିଖ ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ନେଇ ପୂର୍ବାନୁମାନ କରିଛି ।
ଆଇଏମଡି ପୂର୍ବାକଳନ ଅନୁଯାୟୀ, ଆଣ୍ଡାମାନ ସାଗର ଉପରେ ଏକ ଚକ୍ରାକାର ପ୍ରବାହ ବା ସର୍କ୍ୟୁଲାର ଫ୍ଲୋ ରହିଛି । ଯାହା ମେ ୧୬ରୁ ୨୨ ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ହେଲେ ଏହା କେତେ ଘନିଭୂତ ହେବ ସେନେଇ କୌଣସି ପୂର୍ବାଳକନ କରାଯାଇନାହିଁ । ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ଲଘୁଚାପ ରୂପ ନେବା ପରେ ଏନେଇ ସ୍ପଷ୍ଟ ଆକଳନ କରାଯାଇ ପାରିବ । ଓଡ଼ିଶା ପାଇଁ ଆଇଏମଡି କୌଣସି ନିର୍ଦ୍ଦିଷ୍ଟ ବାତ୍ୟା ସତର୍କତା ଜାରି କରିନାହିଁ । ସିଷ୍ଟମଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଥÒବା ଆଇଏମଡି କହିଛି ।
ଅନ୍ୟପଟେ ସମୁଦ୍ର ପୃଷ୍ଠର ଉଷ୍ଣତା ୨୬.୫ ଡିଗ୍ରୀ ଉପରେ ଥିବାରୁ ସିଷ୍ଟମଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ମତ ଦେଇଛନ୍ତି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ପହଞ୍ଚିସାରିଛି । ଯାହା ଗତ ୭ ବର୍ଷରେ ସବୁଠାରୁ ଶୀଘ୍ର ଆଗମନ । ଏହି ଅଗ୍ରଗତି ଏବଂ ସର୍କ୍ୟୁଲାର ଫ୍ଲୋ ଗୁରୁବାରଠାରୁ ୧୮ ତାରିଖ ପର୍ଯ୍ୟନ୍ତ କୋଲକାତା ଏବଂ ଆଖପାଖ ଅଞ୍ଚଳରେ ଝଡ଼ ବର୍ଷା ଓ ମଧ୍ୟମ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବଗେରେ ପବନ ନେଇ ଆଇଏମଡି ବିଜ୍ଞାନୀ ଉମାଶଙ୍କର ଦାସ ବୁଧବାର ସତର୍କ କରାଇଛନ୍ତି । ଯାହା ଅନ୍ୟ ପାଣିପାଗ ବିଜ୍ଞାନୀମାନେ ଦେଇଥÒବା ଆକଳନକୁ ଖୋରାକ ଯୋଗାଉଛି । ଯଦି ବାତ୍ୟା ଶକ୍ତି ସଂଗଠିତ ହୁଏ ତେବେ ଏହାର ଘଣ୍ଟାପ୍ରତି ପବନର ବେଗ ୬୦ରୁ ୯୦ କିମି ରହିପାରେ । ଯାହା ଏକ ବାତ୍ୟା ଶ୍ରେଣୀଭୁକ୍ତ ହେବ । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ମନରେ ଏହାପରେ ଛନକା ପଶିଛି ।
ସୂଚନାଯୋଗ୍ୟ, ବାତ୍ୟା ପ୍ରବଣ ମେ ମାସରେ ପୁଣି ଏକ ବାତ୍ୟା ଆଶଙ୍କା ଦେଖାଦେଇଛି । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ମୁହାଁ ହୋଇଥÒବାବେଳେ ସାଧାରଣତଃ ମୌସୁମୀ ଆସିବା ମାସ ମେ-ଜୁନ୍ ଓ ଫେରିବା ମାସ ଅକ୍ଟୋବର-ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ । ଏଥର ମଧ୍ୟ ବଙ୍ଗେପସାଗରରେ ମେ ମାସରେ ବାତ୍ୟା ଦାନା ବାନ୍ଧୁଛି । ବଙ୍ଗୋପସାଗର ଉପରେ ଜଳର ଉଷ୍ଣତା ବାତ୍ୟା ଲାଗି ଅନୁଗୂଳ ଥିବାରୁ ସାମ୍ଭାବ୍ୟ ଘୁର୍ଣ୍ଣିବଳୟଟି ବାତ୍ୟାରେ ଘନିଭୂତ ହେବା ସମ୍ଭାବନା ଥÒବା ଆନ୍ତର୍ଜାତୀୟ ପାଣିପାଗ ମଡ଼େଲ୍ ପୂର୍ବାନୁମାନ କରିଛି ।
ଆନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ କ’ଣ ?
ଏନସିଇପି-ଜିଏଫଏସ ମଡେଲ
ମେ ୧୬ ଆଖପାଖରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବା ଏବଂ ମେ ୧୯ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ତେବେ, ଏହା ନିଶ୍ଚିତ ନୁହେଁ ।
ଇସିଏମଡବ୍ଲୁଏଫ ଏବଂ ଇସି-ଏଆଇଏଫଏସ ମଡେଲ
ଏହି ମଡେଲଗୁଡ଼ିକ ସୂଚାଉଛି ଯେ ସିଷ୍ଟମଟି ମେ ୨୦ ସୁଦ୍ଧା ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଆଡ଼କୁ ମୋଡ଼ିପାରେ । ଯାହା ଓଡ଼ିଶାରେ ସିଧାସଳଖ ଆଘାତର ସମ୍ଭାବନାକୁ ହ୍ରାସ କରୁଛି ।
ବାଂଲାଦେଶର ପାଣିପାଗ ପର୍ଯ୍ୟବେକ୍ଷଣ ଦଳ (ବିଡବ୍ଲୁଓଟି)
ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ସଂଗଠିତ ସମ୍ଭାବନା ରହିଛି । ଯାହା ମେ ୨୪ରୁ ୨୬ ମଧ୍ୟରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଅଞ୍ଚଳରେ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ତଥାପି, ଓଡ଼ିଶା ମଧ୍ୟ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି ।
ଆଇଏମଡି କ’ଣ କହୁଛି
ଆଇଏମଡିର ସ୍ପଷ୍ଟୀକରଣ ଯେ, ଓଡ଼ିଶା ପାଇଁ ବର୍ତ୍ତମାନ କୌଣସି ବାତ୍ୟା ନେଇ ସତର୍କତା ନାହିଁ ।ବାତ୍ୟାର ଗତିପଥ ଏବଂ ତୀବ୍ରତା ଲଘୁଚାପ କ୍ଷେତ୍ର ସୃଷ୍ଟି ଉପରେ ନିର୍ଭର କରୁଛି, ଯାହା ଏଯାଏଁ ଗଠିତ ହୋଇନାହିଁ । ଭିନ୍ନ ଭିନ୍ନ ମଡେଲ ତୀବ୍ରତା ଓ ଗତିପଥରେ ଭିନ୍ନତା ଅନିଶ୍ଚିତତା ବଢ଼ାଉଛି । ଅନ୍ୟ ସଂସ୍ଥା ଅପେକ୍ଷା ଆଇଏମଡି ସିଷ୍ଟମର ବିକାଶର ସ୍ପଷ୍ଟ ଅପଡେଟ୍ ଦେବ । ଓଡ଼ିଶାର ଉପକୂଳୀୟ ଅଞ୍ଚଳର ବାସିନ୍ଦା ସତର୍କ ରହି ଆଇଏମଡିର ଅପଡେଟ୍ ନିୟମିତ ଅନୁସରଣ କରିବା ଉଚିତ । ସିଷ୍ଟମଟି ସିଧାସଳଖ ଓଡ଼ିଶା ଉପକୂଳ ମୁହାଁଇବା ସମ୍ଭାବନା କମ୍ ।
ମେ ମାସରେ ଆସିଥିବା ବାତ୍ୟା ଇତିହାସ
ମେ ମାସରେ ସମୁଦ୍ର ପୃଷ୍ଠ ଉଷ୍ମତା ଏବଂ ଅନୁକୂଳ ବାୟୁମଣ୍ଡଳ ପରିସ୍ଥିତି ଯୋଗୁଁ ଓଡ଼ିଶା ବାତ୍ୟା ପ୍ରବଣ । ଉଦାହରଣ ସ୍ୱରୂପ, ବାତ୍ୟା ଫନି (ମଇ ୨୦୧୯), ଆମ୍ଫାନ (ମଇ ୨୦୨୦) ଏବଂ ୟାସ (ମଇ ୨୦୨୧) ଓଡ଼ିଶାରେ ପ୍ରଭାବ ପକାଇଥିଲା । ତେବେ ଉନ୍ନତ ପୂର୍ବାନୁମାନ ଏବଂ ପ୍ରସ୍ତୁତି ଯୋଗୁଁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଜୀବନ ହାନୀ ହ୍ରାସ ପାଇଛି ।