ଆସନ୍ତା ମାସରେ ଓଡିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାର ଗଠନ ଉତ୍ସବରେ ଯୋଗଦେଇଥିଲେ ବର୍ଷେ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବ ଆସନ୍ତୁ ବୋଲି ଆମେ ପ୍ରଚେଷ୍ଠା କରିବୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆମେ ବର୍ଷେର ପ୍ରୋଗ୍ରେସ ରିପୋର୍ଟ ଧରି ଲୋକଙ୍କ ପାଖକୁ ଯିବୁ ବୋଲି ଯୋଜନା କରୁଛୁ । ରାଜ୍ୟର ପ୍ରତି ପରିବାର ପାଖକୁ ସରକାରଙ୍କ ବର୍ଷର କାର୍ଯ୍ୟ ତାଲିକା ନେଇ ଲୋକଙ୍କ ପାଖକୁ ଯିବୁ । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ମଧ୍ୟ ଆୟୋଜିତ ହେବ । ଯେଉଁ ଲୋକଟି ଭୋଟ ଦେଇ ସରକାର ଗଢିଛନ୍ତି, ସେମାନଙ୍କର ଅଧିକାର ସରକାରଙ୍କ ଗତିବିଧି ବିଷୟରେ ଜାଣିବା । ଆଗାମୀ ଦିନରେ କାର୍ଯ୍ୟପନ୍ଥା ନେଇ ଲୋକଙ୍କ ଠାରୁ ପରାମର୍ଶ ଗ୍ରହଣ କରିବୁ । ବିକଶିତ ଓଡିଶା ଲାଗି ଲୋକମାନଙ୍କର ପ୍ରସ୍ତାବ ଗ୍ରହଣ କରାଯାଉଛି । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ବର୍ଷେ ପୂରଣ ହୋଇନଥିବା ବେଳେ ବିଜେପି ଦେଇଥିବା ୨୧ ନିର୍ବାଚନୀ ପ୍ରତିଶ୍ରୃତିରୁ ୧୧ ଟା ପୂରଣ କରାଯାଇଛି । ଇନପୁଟ ସବସିଡି, ସୁଭଦ୍ରା, ଆୟୁଷ୍ମାନ ଯୋଜନା ଭଳି ପ୍ରତିଶ୍ରୃତି ପାଳନ କରାଯାଇଛି । ଏଣୁ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଯୋଗ ଦେବା ଆମର ଇଚ୍ଛା।
ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲା। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଥିଲେ। ବିଜେପି ସରକାରର ଶପଥ ଗ୍ରହଣ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ ଓ ଜେ ପି ନଡ୍ଡାଙ୍କ ସମେତ ୧୦ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ ।