ଆଗାମୀ ୩ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ୨୭ ତାରିଖ ଅର୍ଥାତ୍ ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଆସନ୍ତା ଜୁନ୍ ପହିଲା ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଭାରି ବର୍ଷା ହେବ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଲଘୁଚାପ ପ୍ରଭାବରେ ୩୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିବ । ପହିଲା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ ବାରଣ କରାଯାଇଛି । ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ହେଉଥିବାବେଳେ ଏବେ ପାଗ ପରିବର୍ତ୍ତନର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବାବେଳେ ରାୟଗଡ଼ାରେ ସର୍ବାଧିକ ୪୭.୬ ମିମି ବର୍ଷା ହୋଇଛି । ମଙ୍ଗଳବାର ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୫୦ କିମି ମଧ୍ୟରେ ରହିବା ନେଇ ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।
ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ମୁମ୍ବାଇ ସମେତ ମହାରାଷ୍ଟ୍ରର କିଛି ଅଂଶ, ବେଙ୍ଗାଲୁରୁ ସମେତ କର୍ଣ୍ଣାଟକ, ତାମିଲନାଡୁର ଅବଶିଷ୍ଟ ଅଂଶ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଂଶ, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର କିଛି ଅଂଶ, ମିଜୋରାମର ଅବଶିଷ୍ଟ ଅଂଶ, ସମଗ୍ର ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟର କିଛି ଅଂଶକୁ ଆଗକୁ ବଢ଼ିଛି । ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ମହାରାଷ୍ଟ୍ରର ଆଉ କିଛି ଅଂଶ, କର୍ଣ୍ଣାଟକର ଆଉ କିଛି ଅଂଶ, ତେଲେଙ୍ଗାନାର କିଛି ଅଂଶ, ଆନ୍ଧ୍ର ପ୍ରଦେଶ, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର ଆଉ କିଛି ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଂଶ ଏବଂ ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଂଶରେ ଆଗକୁ ବଢ଼ିବା ପାଇଁ ଅନୁକୂଳ ରହିଛି ।
