ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସୀମା ବିବାଦ ଲାଗି ରହିଛି । ବିଧାନସଭାରେ ବାଚସ୍ପତି ସୁରମାପାଢୀଙ୍କ ଅଧ୍ୟକ୍ଷତାରେ ସୀମା ବିବାଦ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଅଞ୍ଚଳର ସୀମା ସମସ୍ୟା ଉପରେ ବୈଠକରେ ଆଲୋଚନା କରାଯାଇଛି । ବିଭିନ୍ନ ସୀମା ବିବାଦ ଅଞ୍ଚଳକୁ କମିଟି ଗସ୍ତ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି । କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ବର ଜିଲ୍ଲାର ସୀମା ବିବାଦ ଥିବା ଅଞ୍ଚଳକୁ କମିଟି ଗସ୍ତ କରିବ । ଆଗକୁ ସବୁ ବିଭାଗର ଅଫିସରଙ୍କୁ ନେଇ ବିଧାନସଭା ସୀମା ବିବାଦ କମିଟି ବୈଠକ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ବୈଠକରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବିଜେଡ଼ି ଓ ବିଜେପି ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପରେ କମିଟିର ସଦସ୍ୟ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ବୈଠକରେ କୋଟିଆ, ପୋଲାଭରମ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହ ଥିବା ସୀମା ବିବାଦ ନେଇ ଗୃହ କମିଟି ବୈଠକରେ ଆଲୋଚନା ହୋଇଛି । କୋଟିଆ ଅଞ୍ଚଳ ନେଇ ଆନ୍ଧ୍ର ସହ ସ୍ଵାଧୀନତା ପରଠୁ ବିବାଦ ଲାଗି ରହିଛି । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଅଛି । ଶିକ୍ଷା, ସ୍ଵାସ୍ଥ୍ୟ, ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆଗ୍ରହ ଆସିବା, ସରକାରୀ ସହାୟତା ଆଦି ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ଯେମିତି ସେମାନେ ଆମେ ଓଡ଼ିଆ ବୋଲି ଅନୁଭବ କରିବେ ସେ ନେଇ ଆଲୋଚନା ହେଲା । ବାଲେଶ୍ଵର ଜିଲ୍ଲାରେ ସୁବର୍ଣ୍ଣରେଖାକୁ ନେଇ ସୀମା ସମସ୍ୟା ରହିଛି । ସାହାବାଜିପୁର ଓ ଭୋଗରାଇ ଅଞ୍ଚଳର ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଛି । ପଶ୍ଚିମବଙ୍ଗର ପ୍ରଶାସନ ସେଠାରେ ଖୁଣ୍ଟ ପୋତି ଦେଇଥିଲେ । ତେବେ ସେ ଖୁଣ୍ଟ ସବୁ ଓଡ଼ିଶା ଲୋକ ଓପାଡ଼ି ଦେଇଛନ୍ତି । ତାହାର ମଧ୍ୟ ସ୍ଥାୟୀ ସମସ୍ୟା ଆବଶ୍ୟକ ଅଛି । ରାଜସ୍ୱ ବିଭାଗ ତତ୍ପର ଅଛି ସୀମା ସମସ୍ୟା ସମାଧାନ କରିବା ପାଇଁ । ସେ ଅଞ୍ଚଳ ସବୁ କମିଟି ଗସ୍ତ କରିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି । ସରକାର ଗଠନ କରିଥିବା କମିଟି ନେଇ ମଧ୍ୟ ଆଲୋଚନା ହୋଇଛି । ସରକାର ଗଠନ କରିଥିବା କମିଟି ସହ ବିଧାନସଭା ଗୃହ କମିଟିର ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।
ବୈଠକ ସମ୍ପର୍କରେ ସୂଚନା ଦେଇ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି ଯେ, କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ୱର ଭଳି ବିଭିନ୍ନ ଅଞ୍ଚଳରେ ଥିବା ସୀମା ବିବାଦ ଅଞ୍ଚଳକୁ କମିଟି ଗସ୍ତ କରିବ । ଅନାନ୍ୟା ସୀମା ସମସ୍ୟା ନେଇ ବୈଠକରେ ଆଲୋଚନା ହେଲା । କୋଟିଆରେ କେତେ ପିଲା ପାଠ ପଢୁଥିଲେ ଏବେ କେତେ ପଢୁଛନ୍ତି ଏବଂ ସେଠିକାର ଲୋକଙ୍କ ଓଡିଶା ପ୍ରତି କେତେ ଆଗ୍ରହ ସେସବୁ କୁ ନେଇ ଆଲୋଚନା ହୋଇଛି । ଆଗାମୀ ଦିନରେ ସବୁ ବିଭାଗ ଅଫିସରଙ୍କୁ ନେଇ ସୀମା ବିବାଦ କମିଟିର ବୈଠକ ହେବ ବୋଲି ସେ କହିଛନ୍ତି ।