• Home
  • ରାଜ୍ୟ
  • ବହୁବର୍ଚ୍ଚିତ ପାର୍ସଲବୋମା ବିସ୍ଫୋରଣ-ପୁଞ୍ଜିଲାଲକୁ ଆଜୀବନ ଜେଲ
Image

ବହୁବର୍ଚ୍ଚିତ ପାର୍ସଲବୋମା ବିସ୍ଫୋରଣ-ପୁଞ୍ଜିଲାଲକୁ ଆଜୀବନ ଜେଲ

୭ବର୍ଷ ପରେ ବୁଧବାର ଚୂଡାନ୍ତ ରାୟ

ରାଜ୍ୟର ବହୁବର୍ଚ୍ଚିତ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣ ଘଟଣାର ଦୀର୍ଘ ୭ବର୍ଷ ପରେ ବୁଧବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ପାଟଣାଗଡ ଏଡିଜେକୋର୍ଟ ଜଜ ସୋନାଲୀ ପଟ୍ଟନାୟକ ଏକମାତ୍ର ଅଭିଯୁକ୍ତ ଭଇଁସା ଜ୍ୟୋତିବିକାଶ କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ସହ ୧ ଲକ୍ଷ ୭୦ହଜାର ଟଙ୍କାର ଆର୍ଥିକ  ଦଣ୍ଡାଦେଶ ଦେଇଛନ୍ତି । ସୌମ୍ୟଶେଖର ଓ ଜେମାମଣୀଙ୍କୁ ହତ୍ୟା ଅଭିଯୋଗରେ ଲାଗିଥିବା ଦଫା-୩୦୨ରେ ଆଜୀବନ ଓ ୫୦ ହଜାର ଟଙ୍କା, ନବବଧୁ ରୀମାରାଣୀଙ୍କୁ ହତ୍ୟାଉଦ୍ୟମ ଅଭିଯୋଗରେ ଦଫା-୩୦୭ରେ ୧୦ବର୍ଷ ଜେଲଦଣ୍ଡ ଓ ୨୦ହଜାର ଟଙ୍କା, ବେଆଇନ ବିସ୍ଫୋରକ ପଠାଇ ବିସ୍ଫୋରଣ କରିଥିବା ଅଭିଯୋଗରେ ଆଜୀବନ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଓ ତଥ୍ୟପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୭ବର୍ଷ ଜେଲଦଣ୍ଡ ସହ ୧୦ହଜାର ଟଙ୍କାର ଆର୍ଥÒକ ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ଜୀବନଥିବା ପର୍ଯ୍ୟନ୍ତ ପୁଞ୍ଜିଲାଲ ଜେଲରେ ସଜା କାଟିବ ।

ମାମଲାର ରାୟ ପ୍ରକାଶ ପାଇବା ପରେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, ଦୋଷୀକୁ ଫାଶୀଦଣ୍ଡାଦେଶ ହେବ ବୋଲି ଆଶା କରୁଥିଲୁ, କିନ୍ତୁ ଆଜୀବନ ଦଣ୍ଡାଦେଶରେ ମଧ୍ୟ ଆମେ ସନ୍ତୁଷ୍ଟ । ଆମର ମୃତ ପୁଅର ଆତ୍ମାକୁ ନିଶ୍ଚୟ କିଛିଟା ସନ୍ତୋଷ ମିଳିବ ।

ବହୁ ଚର୍ଚ୍ଚିତ ପାର୍ସଲବୋମା ଘଟଣାବଳୀ ସମ୍ପର୍କରେ….

ପ୍ରକାଶ ଯେ,୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ ପାଟଣାଗଡର ରବିନ୍ଦ୍ର ସାହୁଙ୍କ ପୁତ୍ର ସୌମ୍ୟଶେଖର ସାହୁଙ୍କ ବାହାଘର ଭୋଜି ପରଦିନ କୋରିୟରରେ ଆସିଥିବା ଏକ ଗିଫ୍ଟପାର୍ସଲକୁ ଖୋଲିବାପରେ ତାହା ବିସ୍ଫୋରଣ ହୋଇଥିଲା । ସେହି ବିସ୍ଫୋରଣରେ ସୌମ୍ୟଶେଖର ସାହୁ(୨୮) ଓ ତାଙ୍କର ଜେଜେମା ଜେମାମଣୀ ସାହୁ(୮୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ନବବିବାହିତ ବଧୂ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ । ପାଟଣାଗଡ ପୋଲିସ ତଦନ୍ତ କଲାପରେ ରାଜ୍ୟସରକାର ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ।

କ୍ରାଇମବ୍ରାଞ୍ଚ ୬୨ ଜଣଙ୍କ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣ ସହ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ

କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଏହି ଘଟଣାର ତଦନ୍ତ କରି ଭଇଁସା କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲେ । ତଦନ୍ତ ପରେ କୋର୍ଟରେ କ୍ରାଇମବ୍ରାଞ୍ଚ ୬୨ ଜଣଙ୍କ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣ ସହ ୨୦୦୦ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ । ପାଟଣାଗଡ ଏଡିଜେକୋର୍ଟରେ ସମସ୍ତ ୬୨ଜଣ ସାକ୍ଷୀକୁ ପଚାରଉଚାର କରି ୧୯୫ଦିନର ଶୁଣାଣି କରାଯାଇଥିଲା । କୋର୍ଟରେ ସରକାରୀ ଓକିଲ ଅଶୋକ ଚନ୍ଦନ କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟପ୍ରମାଣକୁ ଉପସ୍ଥାପନ କରିଥିଲେ । ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପ୍ରମୋଦ ମିଶ୍ରଙ୍କ ସମେତ ଆଉ କିଛି ଓକିଲ ମଧ୍ୟ ତାଙ୍କର ଯୁକ୍ତି ଉପସ୍ଥାପନ କରି ସପକ୍ଷରେ  କିଛି ସାକ୍ଷ୍ୟ ପ୍ରଦାନ କରାଇଥିଲେ । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ଯେତେ ସଂଗୀନଦଫାରେ ମାମଲା ରୁଜୁ ହୋଇଥିଲା ସେହି ସବୁ ଦଫାକୁ ପ୍ରମାଣିତ କରିବାରେ ସରକାରୀ ଓକିଲ ସଫଳ ହୋଇଥିଲେ ।

ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ…

ଅଦାଲତ ଏହି ମାମଲାର ତଥ୍ୟପ୍ରମାଣରେ ସନ୍ତୁଷ୍ଟ ହୋଇ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରଛନ୍ତି । ପୁଞ୍ଜିଲାଲ ହିଁ ନିଜେ ପାର୍ସଲବୋମା ତିଆରି କରି ରାୟପୁର ଯାଇ ସେଠାରୁ କୋରିୟରରେ ପାର୍ସଲ ପଠାଇଥିଲା ବୋଲି ପ୍ରମାଣିତ ହୋଇଛି । ତଦନ୍ତ ବେଳେ ନିଜେ ପୁଞ୍ଜିଲାଲ ୟୁଟ୍ୟୁବରୁ ବୋମାତିଆରି ଶିଖିଥିବା ସ୍ବୀକାର କରିବା ସହିତ ବୋମାତିଆରି ଡେମୋ ଦେଖାଇଥିଲା । ଏହା ସହିତ ରବିନ୍ଦ୍ର ସାହୁଙ୍କ ପାଖକୁ ଆସିଥିବା ଚିଠି ନିଜେ ପୁଞ୍ଜିଲାଲ ଲେଖିଥିବା ମଧ୍ୟ ସ୍ବୀକାର କରିଥିଲା ।

ଭଇଁସା ଜ୍ୟୋତିବିକାଶ କଲେଜର ଅଧ୍ୟକ୍ଷ ପଦକୁ ନେଇ ମୃତ ସୌମ୍ୟଶେଖର ସାହୁଙ୍କ ମାଆ ଅଧ୍ୟାପିକା ସଂଯୁକ୍ତା ସାହୁଙ୍କ ସହ ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ବରେ ଥିବା ପୁଞ୍ଜିଲାଲ ମେହେରଙ୍କ ମନୋମାଳିନ୍ୟ ରହିଥିଲା । ସେହି ଘଟଣାରେ ପୁଞ୍ଜିଲାଲ ପ୍ରତିଶୋଧ ପରାୟଣ ହୋଇ ଏଭଳି ଏକ ବଡ ନିଷ୍ପତ୍ତି ନେଇ ବୋମା ପାର୍ସଲରେ ପଠାଇଥିଲା ।

୭ବର୍ଷର ବିଚାର ପରେ ବୁଧବାର ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି।  ଦୋଷୀକୁ ଦଣ୍ଡବିଧାନ ହୋଇଛି।  କୋର୍ଟଙ୍କ ରାୟରେ ମୃତ ସୌମ୍ୟଶେଖରଙ୍କ ବାପା  ରବିନ୍ଦ୍ର ସାହୁ ଓ ମାଆ ସଂଯୁକ୍ତା ସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ପୁଞ୍ଜିଲାଲ ମଣିଷ ନୁହେଁ ବରଂ ସେ ଜଣେ ରାକ୍ଷସ ଓ ସେ ଜେଲରେ ମୃତ୍ୟୁ ପର୍ଯ୍ୟନ୍ତ ଦଣ୍ଡପାଉ ବୋଲି ସଂଯୁକ୍ତା ସାହୁ କହିଛନ୍ତି।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025