୧୨ ମାସରେ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିଛୁ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଜେପି ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ ସେଥିରୁ ଗୋଟିଏ ବର୍ଷ ମଧ୍ୟରେ ଅନେକ ପ୍ରମୁଖ ପ୍ରତିଶୃତି ପୂରଣ କରାଯାଇଛି । ଗତ ୧୨ ମାସରେ ନିରନ୍ତର ଭାବେ ଜାରି ରହିଛି ଏବଂ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ।  ଲୋକଙ୍କ ଆଶା ପୂରଣ କରିଛୁ । ଦିନକ ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା, ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାର୍ଯ୍ୟ କରି ଚାଲିଛୁ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି । ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ।

ଗତ ବର୍ଷ ରାଜ୍ୟରେ ନୂଆ କରି ବିଜେପି ସରକାର ଗଠନ ହେବା ପରେ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରାଯାଇଥିଲା । ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ୍‌ ପ୍ରତିଶ୍ରୁତି ଦେଇ ପୂରଣ କରାଯାଇଛି । ଏହା ଭିତରେ ଆମେ ପାଖାପାଖି ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସେହିଭଳି ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ୍‌ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ୍‌ କରି ନ ଥିଲେ । ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି । ପ୍ରଥମ କ୍ୟାବିନେଟ୍ ରେ ଆମେ ଯାହା ନିଷ୍ପତ୍ତି ନେଇଥିଲୁ ତାହା ପୂରଣ କରିବାକୁ ଆମକୁ ୨୪ ବର୍ଷ ନୁହେଁ ୨୪ ମିନିଟ୍ ଲାଗିଥିଲା, ଆମ ସରକାର ୨୪ ବର୍ଷ ନୁହେଁ ୨୪ ମିନିଟରେ କରିଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସେହିଭଳି ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ପିଅନ ଠାରୁ ଆଇଏଏସ କାହାକୁ ତ୍ରାହି ନାହିଁ । ଲୋକଙ୍କୁ ସୁଶାସନ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ପ୍ରଥମେ ଦୁର୍ନୀତି ହଟାଇବାକୁ ପଡ଼ିଥାଏ। ଆମ ସରକାରରେ ଦୁର୍ନୀତି କଲେ ପିଅନ ଠୁ ନେଇ ଆଇଏଏସ ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ। ଲଗାତାର ଭାବେ ଦୁର୍ନିତୀଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୈଷୟିକ ଶିକ୍ଷାରେ ବି ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଏସଇବିସିଙ୍କ ପାଇଁ ୧୧.୨୫% ନାମଲେଖା ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଚଳିତ ବର୍ଷରେ ହିଁ କରାଯିବ, ଆଉ କିଛି ନିଷ୍ପତ୍ତି ମଧ୍ୟ ହେବ ।

ସେହିଭଳି ଖୁବ୍‌ ଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଲୋକାୟୁକ୍ତ ନିଯୁକ୍ତି ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ, ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଯଥା ସମୟ ଭିତରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତିଯେ, ଦୀଘା ଜଗନ୍ନାଥ ଧାମ ବିବାଦ ନେଇ ବେଙ୍ଗଲ ସରକାରଙ୍କୁ ଚିଠି ଲେଖାଯାଇଥିବା ବେଳେ ବେଙ୍ଗଲ ସରକାର ଏହାର ଉତ୍ତର ଲିଖିତ ଭାବେ ଦେଇ ନାହାନ୍ତି । ବେଙ୍ଗଲ ସରକାରଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି, ଯାହାକି ଗ୍ରହଣଯୋଗ୍ୟ ନୁହେଁ । ବେଙ୍ଗଲ ସରକାରଙ୍କ ଅହଁକାର ଜଣାପଡ଼ିଛି, ଲୋକେ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

୨୦୩୬ ମିଶନ ପାଇଁ ୩୬ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ନେଇ ପ୍ରସ୍ତୁତି ହୋଇଛି । ମିଶନ୍‌ ୨୦୩୬, ମିଶନ୍‌ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ଆଗାମୀ ଦିନରେ ଘୋଷଣା କରିବୁ । ପ୍ରଧାନମନ୍ତ୍ରୀ ପୁନର୍ବାର ଆସନ୍ତା 20 ତାରିଖରେ ଓଡିଶା ଆସିବେ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଘୋଷଣା କରାଯିବ । ଆଗାମୀ ଦିନରେ ଦେଶର ସର୍ବଶେଷ୍ଠ ୫ ରାଜ୍ୟ ଭିତରେ ଓଡିଶାକୁ ପ୍ରତିଷ୍ଠିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଓଡ଼ିଶାକୁ ୫ ନିୟୁତ ଆମେରିକୀୟ ଡଲାରର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ରହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରସଙ୍ଗରେ କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ଏକ ବର୍ଷ ଭିତରେ ସ୍ବଚ୍ଛତାର ସହ ୨୮ ହଜାର ପଦବୀ ପୂରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ ପୁଞ୍ଜି ନିବେଶର ଇଣ୍ଟେଣ୍ଟ ଆସିଥିଲା । ଆମେ  ୧୩ ଲକ୍ଷ କୋଟିର ଏମ୍‌ଓୟୁ ସ୍ବାକ୍ଷର କରିଛୁ ବୋଲି କହିଛନ୍ତି ।

ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦି ସରକାରଙ୍କ ୧୧ ବର୍ଷ, ୩ୟ ପାଳିର ପ୍ରଥମ ବର୍ଷ ପୂରିଛି । ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୋଦି ସରକାର ୧୧ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସମ୍ଭବ ହୋଇଛି । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଭାରତ ସହ ପୂର୍ଣ୍ଣ ଭାବେ ଯୋଡ଼ିଛନ୍ତି । ଟ୍ରିପଲ ତଲାକ, ଏକକ ଜିଏସଟି, ଏନଇପି, ଜନଧନ ଯୋଜନାର ସୁଫଳ ମିଳିଛି ।

ବ୍ୟକ୍ତିଗତ ସ୍ତରରେ ସଫଳତା ଏଥିରୁ ଅନୁମାନ କରିହେବ ଯେ ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତ ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି ଅର୍ଥାତ ଏହି ସମୟ ଭିତରେ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ତାଡନାରୁ ମୁକ୍ତ ହୋଇଛନ୍ତି। ଏହି ଗୋଟିଏ ମାପଦଣ୍ଡରୁ ଆପଣମାନେ ମୋଦୀ ସରକାରଙ୍କ ସାଧାରଣ ଜନତାଙ୍କ ବିକାଶ ବିଷୟରେ ଜାଣିପାରିବେ।

ତୃତୀୟ ପାଳିର ପ୍ରଥମ ବର୍ଷର ଶେଷ ଆଡକୁ, ଦେଶର ଇତିହାସରେ ଏକ ‘ନୂଆ ଅଧ୍ୟାୟ’ ଯୋଡା ହେଲା। ଦେଶରେ ଆତଙ୍କବାଦର କଡା ଜବାବ ଦେବା ପାଇଁ ଗତ ପଚାଶ ବର୍ଷରେ ଇତିହାସ ସୃଷ୍ଟି କରି ପଡୋଶୀ ଦେଶ ଭିତରେ ପଶି ଆତଙ୍କବାଦକୁ ସଫା କରିବା ପାଇଁ ‘ଅପରେଶନ ସିନ୍ଦୁର’ ପାଇଁ ମାନନୀୟ ମୋଦୀ ଜୀ ନିର୍ଣ୍ଣୟ ନେଇଥିଲେ। ଆଜି ସାରା ବିଶ୍ବରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ସବୁଠାରୁ ଆଗରେ। ‘ଅପରେଶନ ସିନ୍ଦୁର’ କେବଳ ଏକ ନାଁ ନୁହେଁ, ଏହା ଦେଶର ସୁରକ୍ଷା ତଥା ଭାରତର କୋଟିକୋଟି ମାତା ଏବଂ ଭଉଣୀଙ୍କ ପାଇଁ ସମ୍ମାନର ଗ୍ୟାରେଣ୍ଟି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।