ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବେ । ସେ ସର୍ଭାଇକାଲ ଆର୍ଥ୍ରାଇଟିସରେ ପୀଡ଼ିତ ଥିବା ନିଜର ସୋସିଆଲ୍ ମିଡିଆ ଏକ୍ସ ହାଣ୍ଡଲରେ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବ । ତାଙ୍କର ବ୍ୟକ୍ତିଗତ ତଥା ଖ୍ୟାତିସମ୍ପନ୍ନ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ । ଖୁବ୍ ଶୀଘ୍ର ଓଡ଼ିଶା ଫେରି ଆପଣମାନଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି ।
ନବୀନଙ୍କର ଆଶୁ ଆରୋଗ୍ୟ କାମନା କରି ସୋସିଆଲ୍ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ, ଶୁଭେଚ୍ଛୁମାନଙ୍କର ବାର୍ତ୍ତାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବାର୍ତ୍ତାରେ ନବୀନ ବାବୁଙ୍କର ଅସୁସ୍ଥତା ବିଷୟରେ ଜାଣି ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭ କରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।