ନବରଙ୍ଗପୁରରେ ପହଞ୍ଚିବେ ଏସସିବିରୁ ବିଶେଷଜ୍ଞ ଡାକ୍ତରୀ ଦଳ

  ନବରଙ୍ଗପୁର ଜିଲ୍ଲାରେ ଜୁଲାଇ ୭ ତାରିଖରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏହି ଯୋଜନା ଅଧିନରେ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବାକୁ ଯାଉଛି। ଏହା ପରେ ନୂଆପଡ଼ା ଓ ମାଲକାନାଗିରି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହିଭଳି ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏହି ଶିବିର ଜୁଲାଇ ୭ ତାରିଖରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଚାଲିବ। ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପକ୍ଷରୁ ଜିଲ୍ଲାରୁ ୯୩୮ ଜଣ ରୋଗୀଙ୍କୁ ପ୍ରାଥମିକ ପରୀକ୍ଷଣ କରାଯାଇଛି, ଯେଉଁମାନେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା ସୁବିଧା ପାଇବେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିବିରର ପ୍ରଥମ ଦିନରେ ଏସସିବି ମେଡିକାଲ କଲେଜରୁ ପାଞ୍ଚ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ନବରଙ୍ଗପୁର ଯାଇ ବିଭିନ୍ନ ଅସ୍ତ୍ରୋପଚାର ଓ ଜଟିଳ ପରୀକ୍ଷଣ ପ୍ରକ୍ରିୟା ଯଥା ଇକୋକାର୍ଡିଓଗ୍ରାଫ, ଆପର ଜିଆଇ ଏଣ୍ଡୋସ୍କୋପି ଆଦି ପରୀକ୍ଷା କରିବେ। ଏହି ଡାକ୍ତରୀ ଦଳ ମଧ୍ୟରେ ଏସସିବି ଡକ୍ତର ବିଶ୍ୱଜିତ ସାହୁ, କାର୍ଡିଓଲୋଜି ବିଶେଷଜ୍ଞ ସୁମିତ କୁମାର ସାହୁ, ନେଫ୍ରୋଲୋଜି ବିଶେଷଜ୍ଞ ଲିପିକା ପାଣିଗ୍ରାହୀ, ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ରଶ୍ମି ରଞ୍ଜନ ପାତ୍ର, ନ୍ୟୁରୋଲୋଜି ବିଶେଷଜ୍ଞ ରାକେଶ କୁମାର ମହାନ୍ତି ପ୍ରମୁଖ ରହିଛନ୍ତି ।
ଦ୍ୱିତୀୟ ଦିନରେ ଛଅ ଜଣ ବିଶେଷଜ୍ଞ ଡାକ୍ତର ନବରଙ୍ଗପୁର ଯାଇ ବିଭିନ୍ନ ଅସ୍ତ୍ରୋପଚାର, ସୁପର-ସ୍ପେସିଆଲିଟି ପରାମର୍ଶ ଏବଂ ଔଷଧ ପ୍ରଦାନ କରିବେ। ଏହି ଶିବିରରେ ଔଷଧ ମାଗଣାରେ ଯୋଗାଇ ଦିଆଯିବ। ଏହି ଡାକ୍ତରୀ ଦଳରେ ଏସିବିର ଇଉରୋଲୋଜି ଆସୋସିଏଟ ପ୍ରଫେସର ଶବ୍ୟସାଚୀ ପଣ୍ଡା, କାର୍ଡିଓଲୋଜି ବିଶେଷଜ୍ଞ ଯଶୋବନ୍ତ ବେହେରା, ନେଫ୍ରୋଲୋଜି ଆସୋସିଏଟ ପ୍ରଫେସର ଅରୁଣା ଆଚାର୍ଯ୍ୟ, ଏସସିବିର ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ସମୀର କୁମାର ହୋତ୍ତା, ନ୍ୟୁରୋଲୋଜି ଡାକ୍ତର ନିହାର ରଞ୍ଜନ ବିଶ୍ୱାଳ, ଏଣ୍ଡୋକ୍ରିନୋଲୋଜି ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦେବର୍ଚ୍ଚନା ଜେନା ପ୍ରମୁଖ ରହିବେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତ, ରହଣି, ଖାଦ୍ୟ, ଶିବିର ସ୍ଥଳ ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଆଧୁନିକ ଚିକିତ୍ସା ବିଜ୍ଞାନକୁ ଅପହଞ୍ଚ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି। ଇଉରୋଲୋଜି, ନେଫ୍ରୋଲୋଜି, ଲାପାରୋସ୍କୋପିକ ଅସ୍ତ୍ରୋପଚାର, କାର୍ଡିଓଲୋଜି, ନ୍ୟୁରୋଲୋଜି, ଏଣ୍ଡୋକ୍ରିନୋଲୋଜି, ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ପରାମର୍ଶ ଏବଂ ଇକୋକାର୍ଡିଓଗ୍ରାଫ, ଏଣ୍ଡୋସ୍କୋପି ଭଳି ଜଟିଳ ସ୍ବାସ୍ଥ୍ୟ ପରୀକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।