ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୭ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରି ରାଜ୍ୟର ବିଭିନ୍ନ ନୂତନ ଯୋଜନା ଓ ସଫଳତା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକ ସୁରକ୍ଷିତ, ଗୁଣାତ୍ମକ ଅଭିବୃଦ୍ଧି ଓ ସଶକ୍ତ ପୂର୍ବ ଭାରତ ଗଠନ ପାଇଁ କେନ୍ଦ୍ର-ରାଜ୍ୟ ସହଭାଗୀତାକୁ ଅଧିକ ସୁଦୃଢ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ ୪୩୭୩ ଗ୍ରାମପଞ୍ଚାୟତରେ ଏବେ ବି ବ୍ୟାଙ୍କ ସେବା ପହଞ୍ଚି ପାରିନାହିଁ। ଦୁର୍ଗମ ଅଞ୍ଚଳର ଲୋକେ ବ୍ୟାଙ୍କ କାରବାର ଲାଗି ବ୍ୟାଙ୍କ ମିତ୍ର(ବିସି)ଙ୍କ ଉପରେ ନିର୍ଭର କରୁଛନ୍ତି। ହେଲେ ବ୍ୟାଙ୍କମିତ୍ରମାନଙ୍କ କ୍ଷମତା କମ୍ ଥିବାରୁ ଅନେକ ସମୟରେ ସମସ୍ୟା ଉପୁଜୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଞ୍ଚିଠାରେ ଅନୁଷ୍ଠିତ ଇଷ୍ଟର୍ନ ଜୋନାଲ କାଉନସିଲର ୨୭ତମ ବୈଠକରେ କହିଛନ୍ତି।
ଗୁରୁବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତ ରହିଥିଲେ ହେଁ ୨୪୨୧ଟି ପଞ୍ଚାୟତରେ ବ୍ରିକ୍ ଆଣ୍ଡ ମୋର୍ଟାର ଶାଖା ରହିଛି। ଅବଶିଷ୍ଟ ୪୩୭୩ ପଞ୍ଚାୟତରେ ଏହି ସୁବିଧା ନାହିଁ। ଭୌଗଳିକ ଦୃଷ୍ଟିକୋଣରୁ ସେସବୁ ଅଞ୍ଚଳରେ ଠିକଣା ଭାବେ ବ୍ୟାଙ୍କ ସେବା ପହଞ୍ଚି ପାରୁନାହିଁ। ସେଥିପାଇଁ ୪୨ହଜାର ୩୫ଜଣ ବ୍ୟାଙ୍କ ମିତ୍ର ଲୋକଙ୍କୁ ବ୍ୟାଙ୍କ ସେବାରେ ସହାୟତା କରୁଛନ୍ତି, ଯାହାକି ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଅନେକ ସମୟରେ ଦୁର୍ଗମଅଞ୍ଚଳରେ ନେଟଓ୍ୱାର୍କ ସମସ୍ୟା ଦେଖାଦେଉଛି, ଫଳରେ ବ୍ୟାଙ୍କ ସେବା ତଥା ଟଙ୍କା ନେଣଦେଣ ବାଧାପ୍ରାପ୍ତ ହେଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହିତ ସହବନ୍ଧନ କରି ବ୍ୟାଙ୍କ ସେବାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୭ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଓଡ଼ିଶାର ବ୍ୟାଙ୍କ ସୁବିଧା ପହଞ୍ଚିନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ବ୍ୟାଙ୍କଗୁଡିକୁ ପରାମର୍ଶ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଗ୍ରାମ ପଞ୍ଚାୟତ ସ୍ତରରେ ଇଣ୍ଟରନେଟ ସଂଯୋଗ ସମସ୍ୟାର ସମାଧାନ ଓ ବ୍ୟାଙ୍କ ଶାଖା ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ସାମଗ୍ରିକ ବିକାଶ, ଅଞ୍ଚଳିକ ଏକତା ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡିଶାର ପ୍ରତିବଦ୍ଧତାକୁ ଉପସ୍ଥାପନ କରି ଏହି ବୈଠକକୁ ‘ବିକଶିତ ଭାରତ’ ପାଇଁ ଅଞ୍ଚଳିକ ରୂପାନ୍ତରର ନୂତନ ଆରମ୍ଭ ଭାବେ ଦରର୍ଶାଇଛନ୍ତି । ରାଜ୍ୟର ଉଦ୍ୟମ ଓ ସମସ୍ୟା ସହ ଅନ୍ୟ ରାଜ୍ୟମାନଙ୍କ ସାଧାରଣ ବିଷୟଗୁଡ଼ିକୁ ସହଯୋଗୀ ଫେଡେରାଲିଜିମର ଆଲୋଚନା ପାଇଁ ଉପସ୍ଥାପନ କରି ସେ କେନ୍ଦ୍ର ସରକାରଙ୍କଠାରୁ ସକାରାତ୍ମକ ସମାଧାନର ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଗ୍ରାହକ ସେବା କେନ୍ଦ୍ର(ସିଏସପି) ସୁବିଧା ଯୋଗାଇ ଦିଆଯାଉଛି। ୨୭୪୨ ଗ୍ରାମ ପଞ୍ଚାୟତରେ ମୋର୍ଟାର ବ୍ୟାଙ୍କିଂ ନଥିଲେ ହେଁ ସିଏସପି ପ୍ଲସ ବ୍ୟାଙ୍କିଂ ସେବା ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଅବଶିଷ୍ଟ ୧୬୩୧ ଗ୍ରାମ ପଞ୍ଚାୟତରେ ଯଥାଶୀଘ୍ର ସିଏସପି ପ୍ଲସ ବ୍ୟାଙ୍କିଂ ସେବା ପହଞ୍ଚାଇବାପାଇଁ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି। ଏହାସହିତ ଇଣ୍ଟରନେଟ୍ ସେବା ଏବଂ ବିଦ୍ୟୁତ୍ ସେବାକୁ ତ୍ୱରାନ୍ୱିତ କରାଯିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୋନାଲ କାଉନସିଲ ବୈଠକର ମୌଳିକ ଉଦ୍ଦେଶ୍ୟ ହେଉଛି ରାଜ୍ୟ-ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବା । ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଓ ସାଧାରଣ ଭାବେ ସେମାନଙ୍କ ଓ କେନ୍ଦ୍ର ସରକାରଙ୍କ ସହିତ ଜଡିତ ଥିବା ବିଷୟଗୁଡ଼ିକୁ ଆଲୋଚନା କରି ରାଜ୍ୟ-ରାଜ୍ୟ ମଧ୍ୟରେ ଅର୍ଥନୈତିକ ସମସ୍ୟାର ସମାଧାନ କରିବା । ଯାହାଫଳରେ ରାଜ୍ୟଗୁଡ଼ିକର ସାମାଜିକ ଓ ଆଥିର୍କ ବିକାଶକୁ ପ୍ରୋତ୍ସାହନ ଦେବ । ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ ସହିତ ଓଡ଼ିଶା କେବଳ ଭୌଗୋଳିକ ସୀମାରେ ବନ୍ଧନ ରହିଛି ତାହା ନୁହେଁ, ବରଂ ଇତିହାସ, ସଂସ୍କୃତି, ଅର୍ଥନୀତି ଓ ସମସ୍ୟାଗୁଡ଼ିକୁ ମଧ୍ୟ ଅଂଶୀଦାର ସହ ଜଡ଼ିତ ରହିଛି। ଏହିପରି ଅବସ୍ଥାରେ ଆମ ସାମୂହିକ ଉନ୍ନତି ଆମେ କେତେଦୂର ସହଯୋଗ କରିପାରୁଛୁ ଓ ପରସ୍ପରକୁ ସମର୍ଥନ ଦେଉଛୁ, ତାହା ଉପରେ ନିର୍ଭର କରୁଛି। ଏହି ବୈଠକ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଖୋଲା ଆଲୋଚନା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ। ଯାହାକି କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
