ସମ୍ବିଧାନ ବଞ୍ଚାଅ ସମାବେଶ : ଡବଲ ଇଞ୍ଜିନ ସରକାର ଉପରେ ରାହୁଲଙ୍କ ଆକ୍ରମଣ, ଅଦାନୀଙ୍କ ପାଇଁ ରୋକାଗଲା ରଥ!
ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି। ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି। ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ୧ କୋଟି ନୂଆ ଭୋଟର୍ କିପରି ଆସିଲେ? ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି। କିନ୍ତୁ ଆମେ ଏଭଳି କରିବାକୁ ଦେବୁନି। ସେମାନଙ୍କର ଏହି ଉଦ୍ୟମକୁ ଆମେ ଅଟକାଇବୁ। ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା। ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର।’ ଆଜି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରି ଏହି କଥା କହିଛନ୍ତି।
ଓଡ଼ିଶାରେ ଜାତି ଜନଗଣନା ଦାବି: ରାହୁଲ ଗାନ୍ଧୀଙ୍କ ଜୋରଦାର ସମାଲୋଚନା
ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ : ରାହୁଲ
ରାହୁଲ କହିଛନ୍ତି, ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଅଛି ଏବଂ ସର୍ବଦା ରହିବ। ଏଠାରେ ଆଦିବାସୀଙ୍କୁ ଜମିରୁ ହଟାଯାଉଛି। ସଠିକ କ୍ଷତିପୂରଣ ଦିଆଯାଉନି। ଓଲଟି ଧମକ ଦିଆଯାଉଛି। ପେସା ଆଇନ୍ ଲାଗୁ ହେଉନି। କିନ୍ତୁ ଆମେ ଏହା ଲାଗୁ କରିବୁ। ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହେବ। ବିକାଶ ୨/୩ ଅରବପତିଙ୍କ ପାଇଁ କରାଯାଏନି। ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ।ପୁରୀ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ।
ସେ କହିଛନ୍ତି, ଏଥର ରଥଟଣା ବେଳେ ଏକ ହାଇଡ୍ରାମା ହେଲା। ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା। ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଏମାନଙ୍କ ଲକ୍ଷ୍ୟ- ଜମି ଓ ଜଙ୍ଗଲ ଚୋରି କରିବା। ସେମାନେ ଜଙ୍ଗଲ ଓ ଜମି ନେଉଛନ୍ତି; କିନ୍ତୁ କେତେ ଜଣଙ୍କୁ ଚାକିରି ଦେଉଛନ୍ତି।ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି। ସେମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ପ୍ରତିଦିନ ରାଜ୍ୟରେ ୧୫ ମହିଳାଙ୍କ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା। ଏଠିକାର ସରକାର କେବଳ ଲୋକଙ୍କ ରକ୍ତ ଶୋଷୁଛି। ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି।ସେହିପରି ଜାତି ଜନଗଣନା ଉପରେ ଜୋର ଦେଇ ରାହୁଲ କହିଛନ୍ତି, ଏଠି (ଓଡ଼ିଶାରେ) ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକ୍ରାସିରେ। ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଜାତି ଜନଗଣନା ଜରୁରୀ। ଜାତି ଜନଗଣନା ହେଲେ ଦଳିତ ଓ ପଛୁଆଙ୍କୁ ସେମାନଙ୍କ ପ୍ରକୃତ ଶକ୍ତି ଜଣାପଡ଼ିବ। ପ୍ରକୃତ ଶକ୍ତି ଜାଣିପାରିଲେ ସେମାନେ ସରକାରକୁ ଉପାଡ଼ି ଫୋପାଡ଼ି ଦେବେ।
ରାଜ୍ୟରେ ଚାଲିଥିବା ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ରାହୁଲ। ସେ କହିଛନ୍ତି, ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା ଓ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି।ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ।
ସେହିପରି ଏହି ସମାବେଶରେ ଯୋଗ ଦେଇଥିବା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ। ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ନେହରୁ। ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି। ବିଜେପିର ଅବଦାନ ଜିରୋ। ସେମାନେ ଏଠାରେ କିଛି କାମ କରିନାହାନ୍ତି। କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି। ପୁଣି କିଛି ନକରି କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି। ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ। ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ। ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି।