ରାଜ୍ୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପାଇଁ ବାରମ୍ବାର ସରକାରୀ ସ୍ତରରେ ନିର୍ଦ୍ଦେଶନାମା ଜାରି ହେବା ଏବଂ ବିଭିନ୍ନ ସହରାଞ୍ଚଳରେ ଚଢ଼ଉ ସତ୍ତ୍ବେ ଏହାର ବ୍ୟବହାର କମୁନି । ବାରମ୍ବାର ସରକାରୀ ସ୍ତରରେ ନିର୍ଦ୍ଦେଶନାମା ଏବଂ ଚଢଉ କରାଯାଉଛି, ଧରପକଡ ବେଳେ ବ୍ୟବହାର ଟିକେ କମୁଛି, ପୁଣି କିଛି ଦିନ ପରେ ‘ଯଥା ପୂର୍ବଂ ତଥା ପରଂ’ ପରିସ୍ଥିତି ଦେଖିବାକୁ ମିଳୁଛି । ଏହିଭଳି ଆଉ ଏକ ନିର୍ଦ୍ଦେଶନାମା ଚଳିତ ମାସ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ହୋଇଛି । ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଏନେଇ ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ) ସତ୍ୟବ୍ରତ ସାହୁ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ସରକାରୀ ବୈଠକ, ସଭାସମିତିରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ା ବ୍ୟବହାର ବନ୍ଦ କରିବାକୁ କହିଛନ୍ତି । ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ବି କଟକଣା ଲଗାଇବାକୁ କୁହାଯାଇଛି । ତୁରନ୍ତ ଏହାକୁ ସରକାରୀସ୍ତରରେ ଲାଗୁ କରିବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ନିଦେର୍ଶ ଦେଇଛନ୍ତି।
ଏସିଏସ୍ ସତ୍ୟବ୍ରତ ସାହୁ ଲେଖଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୯ ଗାନ୍ଧୀ ଜୟନ୍ତୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଂକ୍ରାନ୍ତରେ ଏକ ନିଦେର୍ଶନାମା ଜାରି ହୋଇଥିଲା। ଏହାସହିତ ଭାରତ ସରକାରଙ୍କ ପକ୍ଷରୁ ୨୦୨୨ ଜୁଲାଇ ପହିଲାରେ ମଧ୍ୟ ଅନୁରୂପ ଭାବେ ଡ଼ଉ ଏକ ନିଦେର୍ଶନାମା ଜାରି ହୋଇଛି। ଏହାକୁ ନେଇ ବିଭିନ୍ନ ସହରାଞ୍ଚଳରେ ଚଢ଼ଉ କରାଯାଉଛି। ଏହା ସତ୍ବେ ରାଜ୍ୟରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍ ବ୍ୟବହାର କମୁନାହିଁ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଏଣିକି ସରକାରଙ୍କ ପକ୍ଷରୁ ବିଭିନ୍ନ ବୈଠକ, କର୍ମଶାଳାମାନଙ୍କରେ ଆଉ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇ ପାରିବ ନାହିଁ। ଏହା ବଦଳରେ ଷ୍ଟିଲ, ତମ୍ବା,ବାଉଁଶ ପାତ୍ର ବ୍ୟବହାର କରାଯାଇ ପାରିବ। ଅଫିସ ପରିସରରେ ପ୍ଲାଷ୍ଟିକ୍/ଥର୍ମୋକୁଲ୍ ପ୍ଲେଟ, ଟେ୍ର, ବାଓ୍ୱଲ, କପ୍ସ, ଗ୍ଲାସ୍, ଚାମଚ ଓ କଣ୍ଟେନର ଆଦି ଆଉ ବ୍ୟବହାର ହେବନାହିଁ ।
ସେହିପରି ସରକାରୀ କାର୍ଯ୍ୟାଳୟମାନଙ୍କରେ ଆଉ ପଲିଥିନ୍ ବ୍ୟାଗ୍ ବ୍ୟବହାର କରାଯିବ ନାହିଁ। ଏହା ବଦଳରେ କାଗଜ ତିଆରି ବ୍ୟାଗ, ଝୋଟରୁ ପ୍ରସ୍ତୁତ ବ୍ୟାଗ୍ କିମ୍ବା ଜୈବିକ ପଦ୍ଧତିରେ ପ୍ରସ୍ତୁତ ବ୍ୟାଗ୍ ବ୍ୟବହାର କରାଯାଇ ପାରିବ। ଏସିଏସ୍ କହିଛନ୍ତି ଯେ, ଏଣିକି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଖାଦ୍ୟ ଓ ତରଳ ଖାଦ୍ୟ, ଚା’ ଆଦି ଆଉ ପଲିଥିନରେ ଆସିପାରିବ ନାହିଁ। ଏଥିପାଇଁ ବିଭିନ୍ନ ଧାତୁରେ ପ୍ରସ୍ତୁତ କଣ୍ଟେନର ବ୍ୟବହାର କରାଯିବ। ସେହିପରି ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଓ ଅନ୍ୟାନ୍ୟ ସମୟରେ ଫୁଲତୋଡା ଓ ଗିଫ୍ଟ ଆଇଟମ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ନ ପଶିବା ଲାଗି ଅଧସ୍ତନ ସମସ୍ତ ଅଧିକାରୀଙ୍କୁ ନିଦେର୍ଶ ଦେବାକୁ ଏସିଏସ୍ ସତ୍ୟବ୍ରତ ସାହୁ ନିଦେର୍ଶ ଦେଇଛନ୍ତି।