ଖୁବଶୀଘ୍ର ୨୨ ହଜାର ୮୯୬ ଗ୍ରୁପ୍ ସି ପଦବୀ ପୂରଣ ହେବ

ଖୁବଶୀଘ୍ର ବିଭିନ୍ନ ବିଭାଗରେ ୨୨ ହଜାର ୮୯୬ ଗ୍ରୁପ୍ ସି ପଦବୀ ପୂରଣ ହେବ । ୧୦ ଟି ବିଭାଗର ପଦବୀ ପୂରଣ ଲାଗି ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜା ଅର୍ଥବିଭାଗ ସମେତ ସଂପୃକ୍ତ ୧୦ଟି ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିଥିବା ବ୍ୟକ୍ତିଗତ ନୋଟ୍‌ସିଟରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ସଂପ୍ରତି ଖାଲି ପଦ ପୂରଣକୁ ପ୍ରାଥମିକତା ଦେଉଛନ୍ତି। ଏହିକ୍ରମରେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନିକଟକୁ ଖାଲିପଦ ପୂରଣ ପାଇଁ ଇଣେ୍ଡଣ୍ଟ ପଠାଇବା ପୂର୍ବରୁ ପ୍ରଥମେ ୨୨ହଜାର ୮୯୬ ପଦର କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ ଆବଶ୍ୟକ। ତେବେ ୧୦ ଟି ବିଭାଗରେ ଏବେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ମୁଖ୍ୟ ଶାସନ ସଚିବଙ୍କ ନୋଟସିଟରୁ ସ୍ପଷ୍ଟ ହୋଇଛି ।

ମୁଖ୍ୟସଚିବଙ୍କ ତଥ୍ୟ ଅନୁଯାୟୀ, ଗଣଶିକ୍ଷା ବିଭାଗରେ ଅନୁମୋଦନପ୍ରାପ୍ତ ମୂଳ ପଦ ରହିଥିବାବେଳେ ଏବେ ବିଭାଗରେ ୯ହଜାର ୩୯ଟି ପଦ ଖାଲି ରହିଛି। ସେଥିମଧ୍ୟରୁ ୬୮୧ଟିକୁ ପୂର୍ବରୁ ଅନୂମୋଦନ ମିଳିଛି, ଏବେ ୮୩୫୮ଟି ପଦର ଅନୁମୋଦନ ଆବଶ୍ରକ ରହିଛି। ସେହିପରି ପଞ୍ଚାୟତିରାଜ ବିଭାଗରେ ୧୩ହଜାର ୯୪୧ଟି ପଦରୁ ୪ହଜାର ୪୨ଟି ପଦର ଅନୁମୋଦନ ଆବଶ୍ୟକ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୬୭୭ଟି, କୃଷି ବିଭାଗରେ ୧୪୬୯, ରାଜସ୍ୱ ବିଭାଗରେ ୧୩୭୧, ଜଙ୍ଗଲ ଓ ପରିବେଶ ବିଭାଗରେ ୧୧୯୩, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ୮୮୮, ଉଚ୍ଚଶିକ୍ଷା ବିଭାଗରେ ୮୬୭, ଏସଏସଡି ଆଣ୍ଡ ଏମବିସିଡବ୍ଲୁରେ ୫୨୬ ଏବଂ ଗୃହ ବିଭାଗରେ ୫୦୫ଟି ପଦ ପାଇଁ ଅନୁମୋଦନ ଆବଶ୍ୟକ ରହିଛି। ଏହାକୁ ତୁରନ୍ତ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗକୁ ନିଦେର୍ଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ପକ୍ଷରୁ ଚଳିତମାସ ୨ ତାରିଖରେ ସଂପୃକ୍ତ ୧୦ଟି ବିଭାଗକୁ ଦୁଇଦିନ ମଧ୍ୟରେ ବୈଠକ କରିବାପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗର କ୍ଷମତାସମ୍ପନ୍ନ କମିଟି ବୈଠକ ଚଳିତମାସ ୧୨ରେ ରହିଥିବାବେଳେ ଅବଶିଷ୍ଟ ୫ ବିଭାଗ(ଜଙ୍ଗଏ ମତ୍ସ୍ୟ ଓ ପଶୁସମ୍ପଦ, ଉଚ୍ଚଶିକ୍ଷା, ଏସଏସଡି ଏବଂ ଗୃହ ବିଭାଗ)ର ବୈଠକ ୨୦ ତାରିଖରେ ହେବ ବୋଲି ସେ ଦର୍ଶାଇଛନ୍ତି। ଯଦି କୌଣସି ବିଭାଗର ଖାଲି ପଦ ପୂରଣ ଦିଗରେ କିଛି ମତାମତ ଦେବାର ରହିଛି ତାହା ଅବଗତ କରାଇବାକୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ହୃଦୟ କମଳ ଜେନା ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।