୧୧୦ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଏଲ୍.ଇ.ଡି. ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ପାଇଁ ଓଡ଼ିଶା ନଗର ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଓୟୁଆଇଡିଏଫ)ରୁ ୨୦୦ କୋଟି ଟଙ୍କା ବ୍ୟୟ ପାଇଁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ମୋଟ ୩୫୦.୦୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଯାହାର କାମ ଆରମ୍ଭ ପାଇଁ ୬ଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ।
ବୁଧବାର କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ପୌରାଞ୍ଚଳରେ ସ୍ମାର୍ଟ ଓ ଶକ୍ତି ସଞ୍ଚୟକାରୀ ଏଲଇଡି ଲାଇଟ ସ୍ଥାପନ କରିବା ପାଇଁ ଏକ ଷ୍ଟ୍ରିଟ ଲାଇଟିଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନୂତନ ରାସ୍ତା ବା ଗ୍ରୀନଫିଲ୍ଡ ଅଞ୍ଚଳରେ ଏଲଇଡି ଲାଇଟ ସ୍ଥାପନ ଓ ରକ୍ଷଣାବେକ୍ଷଣ । ଏହାସହ ରାସ୍ତା ବା ରେଟ୍ରୋଫିଟିଂ ଅଞ୍ଚଳରେ ଖରାପ ହୋଇଥିବା ଲାଇଟ ଓ ଉପକରଣ ବଦଳାଇବା ଏବଂ ରକ୍ଷଣାବେକ୍ଷଣ । ପୌରାଞ୍ଚଳଗୁଡ଼ିକର ଅଞ୍ଚଳ ବିସ୍ତାର ଓ ନୂତନ ଅଞ୍ଚଳ ଯୋଡ଼ା ହେବା କାରଣରୁ ପାବ୍ଲିକ ଷ୍ଟ୍ରିଟ ଲାଇଟିଂର ଆବଶ୍ୟକତା ବୃଦ୍ଧି ପାଇଛି। ନାଗରିକମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ମ୍ୟୁନିସିପାଲିଟି ଓ ଏନଏସି ଅଞ୍ଚଳ ଗୁଡିକରେ ଅତିରିକ୍ତ ଏଲଇଡି ଲାଇଟ ପଏଣ୍ଟ ଓ ଆନୁଷଙ୍ଗିକ ଭିତ୍ତିଭୂମି ସ୍ଥାପନ ପାଇଁ ଅନୁରୋଧ ଆସିଛି।
୩୦ ଡିସେମ୍ବର ୨୦୨୩ରେ ଅନୁଷ୍ଠିତ ୬୯ତମ କ୍ୟାବିନେଟ ବୈଠକରେ ୧୧୦ଟି ପୌରାଞ୍ଚଳରେ ଏଲଇଡି ପାବ୍ଲିକ ଷ୍ଟ୍ରିଟ ଲାଇଟିଂ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ ଦିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ, ସବୁଜ କ୍ଷେତ୍ରର ମୋଟ ସମୁଦାୟ ପୁଞ୍ଜି ବ୍ୟୟ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ଋଣ, ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ଅନୁଦାନ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଅଂଶଧନ ଦ୍ୱାରା ପାଣ୍ଠି ଯୋଗାଣ କରାଯିବାକୁ ରହିଥିଲା । ଏହା ମଧ୍ୟ ଅନୁମୋଦନ କରାଯାଇଥିଲା ଯେ, ରିଟ୍ରୋଫିଟିଂ ପାଇଁ, ପ୍ରତ୍ୟେକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଚୟନ ହୋଇଥିବା କାର୍ଯ୍ୟକାରୀ ସଂସ୍ଥା, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଇଞ୍ଜିନିୟରଙ୍କ ଦ୍ୱାରା ମିଳିତ ସବେର୍କ୍ଷଣ କରାଯିବ, ଯାହାକି ପୁଞ୍ଜି ସାମଗ୍ରୀ ଏବଂ ଆବଶ୍ୟକ ଆନୁଷଙ୍ଗିକ ସାମଗ୍ରୀ ଚିହ୍ନଟ କରିବ। ଏହିପରି ସାମଗ୍ରୀ ପାଇଁ ପୁଞ୍ଜି ଖର୍ଚ୍ଚ ବିଡ୍ ପ୍ରକ୍ରିୟାରେ ଆବିଷ୍କୃତ ବି.ଓ.କ୍ୟୁ. ସାମଗ୍ରୀ ପାଇଁ ୟୁନିଟ୍ ହାର ଉପରେ ଆଧାର କରି ସହରାଞ୍ଚଳ ସ୍ଥାନୀୟ ଅନୁଯାୟୀ ଗଣନା କରାଯିବ। ସେହିପରି ରିଟ୍ରୋଫିଟିଂ ଷ୍ଟ୍ରେଚରେ ସ୍ଥାପନ ପାଇଁ ଆବଶ୍ୟକ ପୁଞ୍ଜି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତି ନେଇଛି ବୋଲି ମୁଖ୍ୟ ସଚିବ କହିଥିଲେ ।
୧୧୦ଟି ପୌରାଞ୍ଚଳକୁ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ନଗର ଉନ୍ନୟନ ପାଣ୍ଠି ତରଫରୁ ୨୦୨୩ ଅଗଷ୍ଟ ୨୧ ତାରିଖରେ ଟେଣ୍ଡର କରାଯାଇଥିଲା । ସମସ୍ତ ୧୧୦ଟି ପୌରାଞ୍ଚଳରେ ରେଟ୍ରୋଫିଟିଂ ପ୍ରୋଜେକ୍ଟ ପାଇଁ ସର୍ଭେ ଓ ବୈଧତା କାର୍ଯ୍ୟ ସମାପ୍ତ ହେବା ପରେ, ୨୦୨୪ ଜୁନ ୨୮ ତାରିଖରେ ଗୃହ ଓ ନଗର ଉନ୍ନୟନ ଅନୁମୋଦନ ମିଳିଥିଲା । ଏହା ପରେ, ୬ଟି କାର୍ଯ୍ୟକାରୀ ସଂସ୍ଥାକୁ ୩୫୦.୦୪ କୋଟି ଟଙ୍କା ମୂଲ୍ୟରେ କାର୍ଯ୍ୟାଦେଶ ଜାରି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସମ୍ବଲପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ।