ତାଲିବାନ ଶାସିତ ଆଫଗାନିସ୍ତାନରେ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ଭୂକମ୍ପ ଆଘାତ ହାଣିଛି, ଯାହା ଦେଶକୁ ଛାରଖାର କରିଦେଇଛି। ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି (ଏନଏସ୍ସି) ଅନୁଯାୟୀ, ରିକ୍ଟର ସ୍କେଲରେ ୬.୦ ତୀବ୍ରତାରେ ପୂର୍ବ ଆଫଗାନିସ୍ତାନରେ ଏହି ଭୂକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୬୦ କିମି ଗଭୀରରେ ଥିଲା। ଏହାର ପ୍ରଭାବ ପାକିସ୍ତାନ ଓ ଉତ୍ତରପୂର୍ବ ଭାରତରେ ମଧ୍ୟ ଅନୁଭୂତ ହୋଇଛି। ପରବର୍ତୀ ଝଟକାଗୁଡ଼ିକର ତୀବ୍ରତା ୪.୭, ୪.୩, ୫.୦ ଓ ୫.୦ ରେକର୍ଡ ହୋଇଛି। ଏହି ଭୂକମ୍ପରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁନାର ପ୍ରଦେଶରେ ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାଘାଟ ଫାଟିଯାଇଛି। ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାଣ କହିଛନ୍ତି, “ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଛନ୍ତି, ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।” କୁନାର ପ୍ରଦେଶର ମୁଖ୍ୟ ନଜିବୁଲ୍ଲା ହନିଫ କହିଛନ୍ତି, କେବଳ ଗୋଟିଏ ଗାଁରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଘର ମାଟି ଓ ପଥରରେ ନିର୍ମିତ ହୋଇଥିବାରୁ କ୍ଷୟକ୍ଷତି ଅଧିକ ହୋଇଛି। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି, କିନ୍ତୁ ତାଲିବାନ ଶାସନ ଯୋଗୁ ଆନ୍ତର୍ଜାତୀୟ ସହାୟତା ଏଯାଏ ମିଳିନାହିଁ। ଆଫଗାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, “କୌଣସି ବିଦେଶୀ ରାଷ୍ଟ୍ର ଏଯାଏ ସହାୟତା ଘୋଷଣା କରିନାହାନ୍ତି।” ଏହି ଦୁର୍ବିପାକ ଆଫଗାନିସ୍ତାନରେ ମାନବୀୟ ସଙ୍କଟକୁ ଆହୁରି ଗଭୀର କରିଛି।
ଆଫଗାନିସ୍ତାନରେ ଭୂକମ୍ପର ତାଣ୍ଡବ: ୬୨୨ ମୃତ, ଏକାଧିକ ଗାଁ ମାଟିରେ ମିଶିଲା
