ବିଜେଡିରେ ବରିଷ୍ଠଙ୍କ ଅସନ୍ତୋଷର ସ୍ୱର, ପ୍ରଫୁଲ୍ଲ ଦେଲେ ଦଳ ଛାଡ଼ିବା ଚେତାବନୀ

ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ଅଭ୍ୟନ୍ତରୀଣ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦଳର ପରିଚାଳନା ଶୈଳୀକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଦଳ ଠିକ୍ ଭାବେ ଚାଲିବ ନାହିଁ ତେବେ ସେ ଦଳ ଛାଡ଼ିବେ। ଏହି ବୟାନକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ବିଜେଡି ନେତା ପ୍ରତାପ ଜେନା ଏହାର ପାଲଟା ଜବାବ ଦେଇ ପ୍ରଫୁଲ୍ଲଙ୍କୁ ‘ଶତବ୍ଦୀର ବଡ଼ ସୁବିଧାବାଦୀ’ ବୋଲି ଆଖ୍ୟା ଦେଇଛନ୍ତି। ଏହି ଘଟଣା ଦଳର ଅଭ୍ୟନ୍ତରୀଣ କଳହକୁ ସାମ୍ନାକୁ ଆଣିଛି।ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଦଳ ପୂର୍ବ ବିଚାରଧାରାରେ ନାହିଁ ଓ ସଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ । ସେ ଦଳକୁ ସଂଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲେ, ରାଜନୀତିକ ବ୍ୟାପାର କମିଟି (ପିଏସି) ଓ ଶୃଙ୍ଖଳା କମିଟି ଗଠନ କରିବାକୁ ବରିଷ୍ଠ ନେତା ପରାମର୍ଶ ଦେଇଥିଲେ । ଏହି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଅନ୍ୟ ପ୍ରସ୍ତାବଗୁଡ଼ିକୁ ଦଳରେ ଗ୍ରହଣ କରାଯାଇ ନାହିଁ । ସେ ଆହୁରି କହିଛନ୍ତି ଯେ, ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି। ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ, ପୁରୁଣା ବିଜେଡିକୁ ସଠିକ୍ ଭାବେ ଚଳାଇବାକୁ ପଡ଼ିବ। ଏହି ବୟାନ ବିଜେଡିର ବର୍ତ୍ତମାନ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛି।ପାଲଟା ଜବାବରେ ପ୍ରତାପ ଜେନା କହିଛନ୍ତି ଯେ, ଯଦି ବିଜେଡିକୁ ପ୍ରଫୁଲ୍ଲ ମଲ୍ଲିକ ଭଲ ପାଆନ୍ତି, ତାହେଲେ ଦଳର କ୍ଷତି ହେଲା ଭଳି ଟିପ୍ପଣୀ ରଖିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ସବୁଠାରୁ ସୁବିଧା ସୁଯୋଗ ବିଜେଡି ସରକାର ସମୟରେ ପାଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ବୟସ ୮୦ ବର୍ଷ ପାର ହୋଇଯାଇଛି। ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିବା ବେଳେ ସେ ନବୀନଙ୍କୁ ଓ ଦଳକୁ ଭୂରିଭୂରି ପ୍ରଶଂସା କରୁଥିଲେ। କିନ୍ତୁ ଏବେ ଦଳ କ୍ଷମତାରେ ନଥିବାରୁ ଏଭଳି ମନ୍ତବ୍ୟ ରଖୁଛନ୍ତି। ପ୍ରତାପ ଜେନାଙ୍କୁ ଭି.କେ. ପାଣ୍ଡିଆନଙ୍କ ଚାଟୁକାର ଭାବେ ପରିଚିତ କରାଯାଉଥିବା ବେଳେ, ଏହି ସମାଲୋଚନା ପଛରେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣା ବିଜେଡିର ଐକ୍ୟକୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି