ଓଏଏସ୍ ଅଫିସରଙ୍କ ସ୍ତରରେ ରାଜ୍ୟ ସରକାର ବଡ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦେଶକ (ଆଡ୍ମିନ୍) ବରିଷ୍ଠ ଓଏଏସ ଅଫିସର ଶିବ ନାରାୟଣ ସାହୁଙ୍କୁ ସଂସଦୀୟ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ଏସ୍ଟି ଏବଂ ଏସ୍ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସୁଜାତା ମେର୍ସାଙ୍କୁ ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏହାକୁ ବାତିଲ କରି ଏସ୍ଟି ଏବଂ ଏସ୍ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ପ୍ରଦାନ କରାଯାଇଛି।
ସେହିପରି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦେଶକ ଡ. ମୋନାଲିସା ଲେଙ୍କାଙ୍କୁ ଏକାଡେମୀର ଉପ ମହାନିର୍ଦେଶକ (ଆଡ୍ମିନ୍) ଦାୟିତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅତିରିକ୍ତ ସଚିବ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ଏହା ବାତିଲ ହୋଇଛି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ। ଜିଏ ଏବଂ ପିଜି ବିଭାଗର ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାଶଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଦୁେର୍ଗଶ ନନ୍ଦିନୀ ସାହୁଙ୍କ ଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରତ୍ୟାହାର ହୋଇଛି। ଅବକାରୀ ଅତିରିକ୍ତ ଆୟୁକ୍ତ ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଓଟିଡିସି ଜିଏମ୍ ଭାବେ ବଦଳି କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଧରିତ୍ରୀ ମିଶ୍ରଙ୍କ ନିଯୁକ୍ତି ବାତିଲ ହୋଇଛି। ସେ ସମବାୟ ବିଭାଗ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ଜାରି ରଖିବା ସହ ଅତିରିକ୍ତ ଭାବେ ଓଡ଼ିଶା କୃଷି ବିପଣନ ବୋର୍ଡ ସାଧାରଣ ପରିଚାଳକ ଦାୟିତ୍ବ ନିର୍ବାହ କରିବେ। ଏସ୍ଟି ଏବଂ ଏସ୍ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଯୁଗ୍ମ ସଚିବ ମମତାରାଣୀ ନାୟକଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି। ସେହିପରି ସଂସଦୀୟ ବ୍ୟାପାର ବିଭାଗ ଯୁଗ୍ମ ସଚିବ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ ବଦଳି କରାଯାଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଜିଏମ୍ ଭାବେ ଅବସ୍ଥାପିତ କରାଯାଇଛି। ଇଡ୍କୋ ଜମି ଅଧିକାରୀ ଭାବେ ସଞ୍ଜୟ କୁମାର ପ୍ରତିହାରୀଙ୍କୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି। ଏସ୍ଟି ଏବଂ ଏସ୍ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଉପ ସଚିବ ଅଶୋକ କୁମାର ଦାସଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଉପାୟୁକ୍ତ ଭାବେ ବଦଳି କରାଯାଇଛି।