ନୂଆଦିଲ୍ଲୀରେ ନୂଆପଡ଼ା ନିର୍ବାଚନ ରଣନୀତି

ନୂଆପଡା ଉପ-ନିର୍ବାଚନ ଶାସକ ଦଳ ବିଜେପି ପାଇଁ ବହୁ ଗୁରୁତ୍ବ ବହନ କରୁଛି । ନୂଆପଡାରୁ ବିଜୟକୁ ଯେଭଳି କୌଣସି ପରିସ୍ଥିତିରେ ହାତଛଡା କରାନଯିବ ସେଥିଲାଗି ରଣନୀତି ପ୍ରସ୍ତୁତ କରୁଛି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି । ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ଥିବାବେଳେ, ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି । ସୌଜନ୍ୟମୂଳକ ସାକ୍ଷାତରେ ସାଙ୍ଗଠନିକ ବ୍ୟବସ୍ଥା ଓ ରାଜନୈତିକ ସ୍ଥିତିକୁ ନେଇ ରୁଦ୍ଧଦ୍ବାର ଆଲୋଚନା ହୋଇଛି । ସାଙ୍ଗଠନିକ ଆଲୋଚନା ଭିତରେ ନୂଆପଡା ଉପ-ନିର୍ବାଚନକୁ ନେଇ ମାନସମନ୍ଥନ ହୋଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛନ୍ତି ।
ନଡ୍ଡାଙ୍କୁ ସହ ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଜୀଙ୍କ ସହ ସେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟରେ ସେ ଅନେକ ସଙ୍କେତ ଦେଇଛନ୍ତି । ସରକାର ଓ ଦଳ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।
ନୂଆପଡା ଉପ ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ବହୁ ଚର୍ଚ୍ଚା ସାମ୍ନାକୁ ଆସିଛି । ଦଳ ଏଠାରୁ ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା ନା ଯଦୁମଣି ପାଣିଗ୍ରାହୀ କିମ୍ବା ଆଉ କାହା ଉପରେ ଭରସିବ ସେନେଇ ସର୍ଭେ କରିଥିବା ଜଣାପଡିଛି ।  କାହାକୁ ପ୍ରାର୍ଥୀ କଲେ ଦଳର ବିଜୟ ସମ୍ଭାବନା ଅଧିକ, ଏନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ରାଜ୍ୟ ନେତୃତ୍ବ ଆଲୋଚନା କରୁଛନ୍ତି । ଗତ ୨୧ ତାରିଖରେ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇ ନୂଆପଡାର ଦାୟିତ୍ବ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ପୁଣିଥରେ ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ କରିବେ । ଏଥର ଜନସଭାକୁ ସମ୍ବୋଧିତ କରି ନୂଆପଡାବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଭେଟି ଦେବେ । ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଖୁବଶୀଘ୍ର ନୂଆପଡା ଉପ-ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ନୂଆପଡା ଉପ-ନିର୍ବାଚନ ସରକାର ଗଢିବନି କି ଭାଙ୍ଗିବନି । ଏହି ଆସନଟି ପୂର୍ବରୁ ବିଜେଡି ଦଖଲରେ ଥିଲା । ହେଲେ ସରକାରରେ ବିଜେପି ଥିବାରୁ ନୂଆପଡା ଆସନରେ ବିଜୟୀ ହେବା ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଚାନକ ଦିଲ୍ଲୀ ଗସ୍ତରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟ ହେଉଛି । ସରକାରକୁ ଆହୁରି ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଥିବା ନେଇ ମଧ୍ୟ ଏହି ସାକ୍ଷାତକାର ସମୟରେ ଆଲୋଚନା ହୋଇଥାଇପାରେ । ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ  ହେବ ବୋଲି ଅନୁମାନ କରାଯାଉଛି । ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । କେଉଁ ବିଭାଗର ମନ୍ତ୍ରୀ କିଭଳି କାମ କରୁଛନ୍ତି, ସେ ନେଇ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ତେଣୁ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ପ୍ରଥମ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ହୋଇଥିବାରୁ ଏଠାରେ ଉପନିର୍ବାଚନ ହେବ। ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହୋଇପାରେ । ଭାରତୀୟ ନିର୍ବାଚନ କମିଶନ ବିହାର ସମେତ ୮ଟି ରାଜ୍ୟରେ ଉପନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ କରିବା ନେଇ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ନୂଆପଡ଼ା ରାଜନୀତି ଉଷ୍ଣ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି। ବିଜୟ ନେଇ ୩ ଦଳ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି।