କଟକରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ-ସୋସିଆଲ୍ ମିଡିଆ ଉପରେ କଟକଣା

କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଇ ଦିଆଯାଇଛି । ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଆଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ମୋବାଇଲ୍ ଇଣ୍ଟରନେଟ୍ ସେବା ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।ଏହି କଟକଣା କଟକ ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ହିଂସାତ୍ମକ ଘଟଣାକୁ ନେଇ ଲଗାଯାଇଛି । କଟକରେ ଦଶହରା ଭସାଣି ଅବସରରେ ଉପୁଜିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଗଣମାଧ୍ୟମରେ ଅପବ୍ୟବହାରକୁ ରୋକିବାପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ରବିବାର ଗୃହବିଭାଗ ପକ୍ଷରୁ ଏକ ନିଦେର୍ଶନାମା ଜାରି ହେବା ସହିତ ଉକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ କୁହାଯାଇଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଦସ୍ତଖତରେ ଗୃହ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, କଟକ ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ହିଂସାତ୍ମକ ଘଟଣା ଘଟୁଥିବା ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଜିଲ୍ଲା ପ୍ରଶାସନର ଚିଠିରେ ଇଣ୍ଟରନେଟ୍ ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାର ପାଇଁ ମିଥ୍ୟା, ଉତ୍ତେଜକ ଓ ଉଗ୍ରବାଦୀ ମେସେଜ ପ୍ରଚାର ହେଉଥିବାରୁ ଉଦବେଗ ପ୍ରକାଶ କରାଯାଇଛି । ଏହାଦ୍ବାରା ସାର୍ବଜନୀନ ଶାନ୍ତି ଓ ଶୃଙ୍ଖଳାକୁ ଭଙ୍ଗ କରିବାର ଆଶଙ୍କା ରହିଛି । ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ ଆଦି ମେସେଜିଂ ପ୍ଲାଟଫର୍ମଗୁଡ଼ିକରେ ଅସାମାଜିକ ତତ୍ତ୍ୱମାନେ ମିଥ୍ୟା ଓ ଉଗ୍ରବାଦୀ ମନ୍ତବ୍ୟ ପ୍ରଚାର କରି ସାର୍ବଜନୀନ ଶାନ୍ତି ଭଙ୍ଗ କରିବାର ସମ୍ଭାବନା ରହିଛି । ଏହାକୁ ରୋକିବା ପାଇଁ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ୍, ୧୮୮୫ର ଧାରା ୫(୨) ଏବଂ ଟେମ୍ପୋରାରୀ ସସ୍ପେନସନ୍ ଅଫ୍ ଟେଲିକମ୍ ସର୍ଭିସେସ୍ (ପବ୍ଲିକ୍ ଇମର୍ଜେନ୍ସି/ପବ୍ଲିକ୍ ସେଫ୍ଟି) ରୁଲ୍ସ୍, ୨୦୧୭ର ନିୟମ ୨(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି । ଏହି ଅସ୍ଥାୟୀ କଟକଣା ଅନ୍ତର୍ଗତ ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଆଦି ସୋସିଆଲ୍ ମିଡିଆ ସେବାଗୁଡ଼ିକୁ ସମସ୍ତ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରମାନେ ବନ୍ଦ କରିବେ । ଏହା ସହ ମୋବାଇଲ୍ ଇଣ୍ଟରନେଟ୍/ଡାଟା ସେବା, ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍ମାନଙ୍କ ଡାଟା ସେବା, ବ୍ରଡବ୍ୟାଣ୍ଡ ଡାଏଲ୍ ଅପ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଡାଟା ଟ୍ରାନ୍ସମିଶନ୍ ମାଧ୍ୟମଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ । ଏହି କଟକଣା କଟକ ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲାଗୁ ହେବ ଯେପରିକି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଏମସି) ଅଞ୍ଚଳ, କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଅଞ୍ଚଳ ଏବଂ ୪୨ ମୌଜା ଅଞ୍ଚଳ । ଏଥିଲାଗି ସମସ୍ତ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡର୍ ଏବଂ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରମାନଙ୍କୁ ଏହି ନିର୍ଦ୍ଦେଶ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାର ସୂଚନା ବିଭାଗକୁ ପଠାଇବାକୁ କୁହାଯାଇଛି । ଏହି ପଦକ୍ଷେପ ସାର୍ବଜନୀନ ଶାନ୍ତି ପୁନଃସ୍ଥାପନ କରିବା ଏବଂ ଅସାମାଜିକ ତତ୍ତ୍ୱମାନଙ୍କ କାର୍ଯ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ ନିଆଯାଇଛି ବୋଲି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।