ନୂଆପଡ଼ା କସରତ : ଗୁରୁବାର ବିଜେପି କୋର କମିଟି ବୈଠକ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିସାରିଛି। ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରି ବାଜିମାରିନେବା ଲକ୍ଷ୍ୟରେ ଥିବାବେଳେ ବିଜେପି ଓ ବିଜେଡିରେ କସରତ ଜାରି ରହିଛି। ଗୁରୁବାର ବିଜେପିର କୋର୍ କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ମାନସମନ୍ଥନ ହୋଇପାରେ ବୋଲି ସୂଚନା ମିଳିଛି।

ବିଜେପି କାହାକୁ ମଇଦାନକୁ ଓହ୍ଲାଇବ, ସେନେଇ କସରତ ଜାରି ରହିଛି। ଗୁରୁବାର ବିଜେପିର କୋର୍ କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଓଡିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଭାରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏବଂ କୋର କମିଟିର ସଦସ୍ୟମାନେ ସାମିଲ ହେବେ। କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ବହୁତ ଆଶାୟୀଙ୍କ ନାମ ରହିଛି। କୋର କମିଟି ବୈଠକରେ ଆଲୋଚନା ହେବ। ଖୁବ୍ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ। ଆମେ ଏହି ଆସନ ଜିତିବୁ।

ଏନ୍ୟପକ୍ଷରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ରାଜନେତା ସହ ସାମାଜିକ ନେତୃତ୍ବ ନେବାରେ ବେଶ୍ ପାରଙ୍ଗମ ଥିଲେ। ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଅବର୍ତ୍ତମାନରେ ଜିତିବେ। ତାଙ୍କ ପରିବାରବର୍ଗକୁ ଟିକଟ ଦେବା ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି। ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ସେ ସେଠାରୁ ୪ ଥର ଜିତିଛନ୍ତି। କିଏ ଦଳୀୟ ପ୍ରାର୍ଥୀ ହେବ, ଦଳ ସେନେଇ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ। ସବୁ ଦିଗକୁ ଅନୁଶୀଳନ କରି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିବେ। ଶ୍ରୀ ମିଶ୍ରଙ୍କ ଏହି ସଙ୍କେତରୁ ସ୍ପଷ୍ଟ ଯେ ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ପୂର୍ବରୁ ଜୟ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଗଣମାଧ୍ୟମରେ କହିଥିଲେ।

ଏହି ଉପନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମଥର ଉପନିର୍ବାଚନ ହେଉଛି। ଏହି ଉପନିର୍ବାଚନକୁ ଜିତିବା ପାଇଁ ବିଜେପି ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ। ଏହାପରେ ନୂଆପଡ଼ା ଯାଇ ୧୧୦୦ରୁ ଅଧିକ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିଛନ୍ତି। ବିଜେପି ଏଠାରୁ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିପାରେ। ଏହାଛଡ଼ା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଏଠାରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ନୂଆପଡ଼ାରେ ବିଜେଡି ନିଜର ଆସନ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛି। ସ୍ବର୍ଗତ ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବିଜେଡି ଏଠାରୁ ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରି ପ୍ରତିପକ୍ଷଙ୍କୁ ଟକ୍କର ଦେବାକୁ ଯୋଜନା କରିଛି।