ଆଗାମୀ ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟାଲୟରେ ବରିଷ୍ଠ ନେତାମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷଙ୍କ ନେତୃତ୍ବରେ ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନେଇ ବ୍ୟାପକ ଆଲୋଚନା ହୋଇଛି । ସେହିପରି ରାଜ୍ୟ କମିଟିର ପୁନର୍ଗଠନ ଏବଂ ସଂଗଠନାତ୍ମକ ବିଷୟବସ୍ତୁ ନେଇ ମଧ୍ୟ ରାଷ୍ଟ୍ରୀୟ ନେତୃତ୍ବ ସହ ରାଜ୍ୟ ନେତାମାନେ ଚର୍ଚ୍ଚା କରିଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାର୍ଥୀ ଚୟନ ଲାଗି ବିଭିନ୍ନ ଆଶାୟୀଙ୍କ ନାମ ଉପରେ ମାନସମନ୍ଥନ ହୋଇଥିବା ବେଳେ ଉପନିର୍ବାଚନରେ ଦଳର ରଣନୀତି ଏବଂ ପ୍ରଚାର ଯୋଜନା ନେଇ ମଧ୍ୟ ଆଲୋଚନା କରାଯାଇଛି । କେଉଁ ମନ୍ତ୍ରୀମାନଙ୍କୁ ନିର୍ବାଚନୀ ଦାୟିତ୍ବ ମିଳିବ ସେ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି ।
ଗୁରୁବାର ବସିଥିବା ବିଜେପିର ଏହି ବଡ ବୈଠକ ସଂନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବସିଥିଲା । ବୈଠକରେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ସମେତ ରାଜ୍ୟର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଦଳୀୟ ସୂତ୍ରରୁ ଜଣାପଡିଛି ଯେ, ପଶ୍ଚିମ ଓଡ଼ିଶାର ଏହି ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ରାଷ୍ଟ୍ରୀୟ ନେତୃତ୍ବ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି ।
ବୈଠକରେ ରାଜ୍ୟ କମିଟିର ପୁନର୍ଗଠନ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା ହୋଇଥିବା ଜଣାପଡିଛି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ ରାଜ୍ୟ ମନ୍ତ୍ରୀମାନଙ୍କ ସହ ଏକ ଅଲଗା ଆଲୋଚନା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀମାନେ ଏବଂ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ମନ୍ତ୍ରୀମାନଙ୍କ ବିଭାଗରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ବିଜେପି ସରକାରଙ୍କ ପ୍ରତିଶ୍ରୁତି ପୂରଣର ଅଗ୍ରଗତି ଏବଂ ସଂଗଠନାତ୍ମକ ଚର୍ଚ୍ଚା ନେଇ ରାଷ୍ଟ୍ରୀୟ ମହାମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହମନ୍ତ୍ରୀ ବିଏଲ ସନ୍ତୋଷଙ୍କ ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ସବୁ ବିଭାଗର ମନ୍ତ୍ରୀ ମାନଙ୍କ ସହ ସିଧା ସଳଖ ଭାବେ ବିଏଲ ସନ୍ତୋଷ ଆଲୋଚନା କରିଥିଲେ । କେଉଁ ବିଭାଗ କେମିତି ଚାଲିଛି, ଏନେଇ ମନ୍ତ୍ରୀଙ୍କ ସହ କଲେ ଆଲୋଚନା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ଗୁଡିକ କିଭଳି କାର୍ଯ୍ୟକାରୀ ହେଉଛି, ସେନେଇ ବିଭାଗୀୟ ମନ୍ତ୍ରୀ ମାନଙ୍କଠାରୁ ଫିଡବ୍ୟକ୍ ନିଆଯାଇଛି ।
ବୈଠକ ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ବିଏଲ ସନ୍ତୋଷ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ । ବିଜେପି ସରକାରର ଶପଥ ପାଠ ଉତ୍ସବରେ ଆସିଥିଲେ ଆଉ ଏବେ ୧ ବର୍ଷ ୪ ମାସ ପରେ ଓଡ଼ିଶା ଆସିଛନ୍ତି। ତେଣୁ ଦଳୀୟ ନେତା ଏବଂ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ମାନଙ୍କ ସହ ବିଭିନ୍ନ ଦିଗରୁ କରିଛନ୍ତି ଆଲୋଚନା । ଏହି ଅବସରରେ କେଉଁ ବିଭାଗ କେମିତି କାର୍ଯ୍ୟ କରୁଛି ସେନେଇ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ବିଭାଗରେ କଣ ନୂଆ କାର୍ଯ୍ୟ ହେଉଛି ଏବଂ ଆଗକୁ କଣ କରାଯାଇପାରିବ ସେନେଇ ବିଏଲ ସନ୍ତୋଷ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀ ମାନଙ୍କୁ ନିଜ ବ୍ୟକ୍ତିଗତ ତଥା ପରିବାର କଥା ମଧ୍ୟ ସେ ପଚାରି ବୁଝିଥିଲେ। ସେହିଭଳି ରାଜ୍ୟ ବିଜେପିର ସଂଗଠନ ଉପରେ ମଧ୍ୟ ବିଏଲ ସନ୍ତୋଷ ପଚାରି ବୁଝିଥିଲେ ବୋଲି ସୁରେଶ ପୁଜାରୀ କହିଛନ୍ତି ।
ସେହିଭଳି ନୂଆପଡ଼ା ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇନି । ପ୍ରାର୍ଥୀ ବାବଦରେ ଦଳରେ ବିଚାର ବିମର୍ଷ ଚାଲିଛି । ଭଲ ଲୋକଙ୍କୁ ସୁଯୋଗ ଦିଆଯିବ। ଜଣେ ଦରଦୀ ମଣିଷ ହିଁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବେ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି ।