ଓଡ଼ିଶାର ୬ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୬୨ଟି ସ୍ନାତକୋତ୍ତର (ପିଜି) ସିଟ୍ ଅନୁମୋଦନ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏହି ଅନୁମୋଦନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କୁ ପତ୍ର ଲେଖି ଧନ୍ୟବାଦ ଜଣାଇଛନ୍ତି । ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ମଜବୁତ୍ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଗୋଟିଏ ବର୍ଷ(୨୦୨୫-୨୬)ରେ ୬ଟି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୨ଟି ସ୍ନାତକୋତ୍ତର (ପିଜି) ସିଟ୍ ପାଇଁ ଅନୁମୋଦନ ମିଳଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଏହି ଅନୁମୋଦନ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କେ୍ଷତ୍ରରେ ଏକ ମହତ୍ତ୍ୱପୂଣ୍ର୍ଣ ମାଇଲଖୁଣ୍ଟ ପ୍ରତିପାଦିତ ହେବ। ନୂଆ ପିଜି ପାଠ୍ୟକ୍ରମଗୁଡ଼ିକ ପାଠ୍ୟକ୍ରମରେ ସାମିଲ ହେବା ଫଳରେ ଚିକିତ୍ସା ଶିକ୍ଷା ଓ ଗବେଷଣାର ଗୁଣବତ୍ତା ବୃଦ୍ଧି ପାଇବା ସହିତ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ହୋଇପାରିବ। ଓଡ଼ିଶା ସରକାର ଜାତୀୟ ଭେଷଜ କମିଶନ(ଏନଏମସି)ଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ସମସ୍ତ ନିୟମ ଓ ମାନକକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବାକୁ ବଦ୍ଧ ପରିକର। ଏହି ପ୍ରତିଷ୍ଠାନଗୁଡ଼ିକୁ ଏକ ପ୍ରମୁଖ ଚିକିତ୍ସାରେ ଉତ୍କର୍ଷତା କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି।
