ଏସସି ଏସଟି ବିଭାଗରେ କଟନୀ ଛଟନୀ

 ଓଡ଼ିଶା ବିଧାନସଭାରେ ଶନିବାର ଅନୁସୂଚିତ ଜାତି ଓ ଜନଜାତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ସରଗରମ ଆଲୋଚନା ହୋଇଛି। ବିଜେଡି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଏସସି-ଏସଟି ଓ ପଛୁଆ ବର୍ଗଙ୍କ ସଂରକ୍ଷଣ, ପେଶା ଆଇନ ଲାଗୁ, ଅନ୍ୱେଷା ସମେତ ବିଭାଗର ବିଭିନ୍ନ ଯୋଜନା ବନ୍ଦ ଓ ବଳକା ଚାଉଳ ସମସ୍ୟା ପ୍ରସଙ୍ଗରେ ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି। ଅନ୍ୟପଟେ ବିଜେପି ବିଧାୟକମାନେ ବିରୋଧୀଙ୍କୁ କଟାକ୍ଷ କରି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଶନିବାର ବିଧାନସଭାରେ ଏକା ସହିତ ଅନୁସୂଚିତ ଜାତି ଓ ଜନଜାତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଛି । ଆଲୋଚନାରେ ଭାଗନେଇ ବିଜେଡି ବିଧାୟକ ରମେଶ ବେହେରା ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଏବେ କଟନି ଛଟନି ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଯେ, ଅନ୍ୱେଷା ଯୋଜନାକୁ ବନ୍ଦ କରିବାକୁ ସରକାର ମସୁଧା କରିଛନ୍ତି । କଲେଜରେ ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଥିବା ଆକାଂକ୍ଷା ଯୋଜନାକୁ ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ବନ୍ଦ କରିଦେବାକୁ ଯୋଜନା କରୁଛନ୍ତି । ସେହିଭଳି ସ୍ବାସ୍ଥ୍ୟ ସେବିକା ମିଶନରେ ମିଳୁଥିବା ଛାତ୍ର ବୃତ୍ତି ବନ୍ଦ ହୋଇଛି । ଆବାସିକ ହଷ୍ଟେଲ ଭିତ୍ତିଭୂମି ନଷ୍ଟ ହେଲାଣି ଏହିଭଳି ପୂର୍ବରୁ ଜାରି ରହିଥିବା ବିଭିନ୍ନ ଯୋଜନାକୁ ସରକାର ବନ୍ଦ କରି କଟନୀଛଟନୀ କରୁଛନ୍ତି । ଖର୍ଚ୍ଚଦବି ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ସରକାରଙ୍କର ଆଦିବାସୀଙ୍କ ପ୍ରତି ଦରଦ ନାହିଁ । ଉଚ୍ଚଶିକ୍ଷା ଯଥା ଇଞ୍ଜିନିୟରିଂ ଓ ମେଡ଼ିକାଲ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ହକ ୪୦ ପ୍ରତିଶତ ସେମାନଙ୍କୁ ଦିଆଯାଉ ନାହିଁ । ସେହିଭଳି ପଛୁଆ ବର୍ଗଙ୍କୁ ଇଞ୍ଜିନିୟରିଂ ଓ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ମିଳୁନାହିଁ । ଏହା ସେମାନଙ୍କ ପ୍ରତି ଘୋର ଅନ୍ୟାୟ । ତାମିଲନାଡ଼ୁରେ ୬୯ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି । ସରକାରଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁଛି ଯେ, ଚେଷ୍ଠା କରୁଛନ୍ତି । ବିଚାର କରୁଛୁ । ସରକାର କାହିଁକି ଏନେଇ ସ୍ପଷ୍ଟ ଉତ୍ତର ରଖୁନାହାନ୍ତି । ଏ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପ୍ରତି ଦରଦ ନାହିଁ । ତୁରନ୍ତ ଏସସି , ଏସଟିଙ୍କୁ ଇଞ୍ଜିନିୟରିଂ ଓ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ୪୦ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି । ସେହିଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ନିର୍ଯାତନା ମାମଲାର ତଦନ୍ତ ଜଣେ ଡିଏସପି ସ୍ତରରେ ଅଧିକାରୀଙ୍କ ବଦଳରେ ଏସଆଇଙ୍କୁ ଦେଇଛନ୍ତି । ପୂର୍ବ ସରକାର ସମୟରେ ପେଶା ଆଇନ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା, ଆଇନ ଲାଗୁ କେବେ କରିବେ ସରକାର କୁହନ୍ତୁ । କାହିଁକି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ସରକାର ପଛୁଆ ବର୍ଗ ଓ ସଂଖ୍ୟାଲଘୁ କମିଶନ ଗଠନ କରନ୍ତୁ। ଏହାସହ ୨୦୨୯ ପର୍ଯ୍ୟନ୍ତ ଅନ୍ୱେଷା ଯୋଜନା ଜାରି ରହିବ ବୋଲି ଏବଂ ପିଲାଙ୍କୁ ଆଡ଼ମିଶନ କରିବାକୁ ମନ୍ତ୍ରୀ ଗୃହରେ ଘୋଷଣା କରନ୍ତୁ ବୋଲି ଗଣେଶ୍ୱର ଦବି କରିଛନ୍ତି । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୧୩ ଲକ୍ଷ ଚାଉଳ ଆମର ବଳକା ରହିଯାଉଛି । ଏହା ମୁଣ୍ଡ ବ୍ୟଥାର କାରଣ । ଏଫସିଆଇ ଧାର୍ଯ୍ୟ ଅନୁସାରେ ଚାଉଳ ଉଠାଉନାହିଁ। ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ବହୁ ଆଲୋଚନା ହୋଇଛି । ଏଫସିଆଇ ଆମ କଥା ଶୁଣୁ ନାହିଁ । ବିଭାଗୀୟ ମନ୍ତ୍ରୀ ବିଧାନସଭା ଷ୍ଟାଣ୍ଡିଂ କମିଟି ଏବଂ ସଚିବ ଯାଇ କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ସହ ଆଲୋଚନା କରି ସମସ୍ୟାର ସମାଧାନ ବାଟ ଫିଟାଇବା ଆବଶ୍ୟକ । ବଳକା ଚାଉଳ ପାଇଁ ଧାନ ସଂଗ୍ରହରେ ବିଳମ୍ୱ ହେଉଛି । ସେହିଭଳି ଗନି କିଣା ବାବଦକୁ ୩୦୦ କୋଟିର କ୍ଷତି ସରକାର ସହିବେ ବୋଲି ଶ୍ରୀ ପୂଜାରୀ ଆଶଙ୍କା ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ସି ଏସ ରାଜନ୍ ଏକ୍କା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସିଥିବା ବେଳେ କହିଥିଲେ ପେଶା ଆଇନ ଲାଗୁ ହେବ ବୋଲି । ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ବିରୋଧୀ ଆସନରେ ବସିଥିବା ବେଳେ ସବୁବେଳେ ପେଶା ଆଇନ କଥା କହୁଥିଲେ । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ କଥା କହୁଥିଲେ । ସରକାର କୁ ଆସିବ ପରେ ଆନ୍ତରିକତା ଦେଖାଉନାହାନ୍ତି । ଏବେ ବିନା ଗ୍ରାମସଭାରେ ଜମି ଆବଣ୍ଟନ ହେଉଛି । ବିସ୍ଥାପିତ ନିର୍ଯାତିତ ହେଉଛନ୍ତି । ୨୦୨୪ ସି ଏ ଜି ରିପୋର୍ଟ ରେ କହିଛନ୍ତି, ଗ୍ରାମସଭା ଅଗ୍ରାହ୍ୟ କରିବା ସତ୍ତ୍ୱେ ଜମି ଅଧିଗ୍ରହଣ କରାଯାଇଛି । ଗୁଡ ଗଭର୍ଣାନ୍ସ ରିପୋର୍ଟ ୨୦୧୧ ରୁ ରାଜ୍ୟପାଳଙ୍କ ପାଖକୁ ଯାଉନାହିଁ । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଥିଲେ ଯେ, ଯାହା କରିଛି କଂଗ୍ରେସ ସରକାର କରିଛି। ବିଜେଡି ସରକାର ରାଜ୍ୟସାରା ନେଳି ରଙ୍ଗ ମାରୁଥିଲା ଏବେ ବିଜେପି ସରକାର ଗେରୁଆ ରଙ୍ଗ ମାରୁଛନ୍ତି । ଉପା ସରକାର ସମୟରେ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା ଏବଂ ଗରିବ ଲୋକଙ୍କୁ ୨୫ କେଜି ଚାଉଳ ଦେଉଥିଲେ । ବିଜେଡି ସରକାର ୫ କେଜି ଦେଲେ । ସେଥିପାଇଁ ତାଙ୍କର ପତନ ହେଲା । ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର, ତେଣୁ ଲୋକଙ୍କୁ ୧୫ ରୁ ୨୦ କେଜି ଚାଉଳ ଦେବା ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେପି ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଥିଲେ ଯେ, ଗତ ବର୍ଷ ଅପେକ୍ଷା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବ୍ୟୟ ବରାଦ ୨୮ ପ୍ରତିଶତ ଅଧିକ ହୋଇଛି । ବର୍ତ୍ତମାନ ରାଜ୍ୟରେ ଚାଷୀ ଖୁସି, ସେଥିପାଇଁ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦୁଃଖୀ ବୋଲି କଟାକ୍ଷ କରି କହିଛନ୍ତି । ପୂର୍ବ ସରକାର ଦଳୀୟ ଭିତ୍ତିରେ ରାସନ୍ କାର୍ଡ ବାଣ୍ଟଥିଲେ । ସଧବା ବିଧବା ଭତ୍ତା, ଯୁବକଙ୍କୁ ବାର୍ଦ୍ଧକ୍ୟ ଓ ଦୁଇ ମହଲା କୋଠା ଥିବା ଲୋକଙ୍କୁ ରାସନ୍ କାର୍ଡ ଦେଉଥିଲେ । ଆମ ସରକାର ପ୍ରକୃତ ଅଧିକାରୀଙ୍କୁ କାର୍ଡ ଦେଉଛନ୍ତି । ଆଜି ବି ରାଜ୍ୟରେ ମଣ୍ଡି ଭିତ୍ତିଭୂମି ଅଭାବ। ଗୋଦାମ ଗୃହ ନାହିଁ । ପୂର୍ବ ସରକାର ଏନେଇ ଚିନ୍ତା କରିନଥିଲେ । ବିଜେପି ସରକାର ୬ ଲକ୍ଷ ୭୨ ହଜାର ୩୫୯ କ୍ଷମତା ବିଶିଷ୍ଟ ୧୨୬ ଟି ନିଜସ୍ଵ ଗୋଦାମ ଗୃହକୁ ଯୋଗାଣ ନିଗମ ବ୍ୟବହାର କରୁଛି । ଆଲୋଚନାରେ ବିଜେପି ବିଧାୟକ ରଘୁରାମ ମାଛ, ପ୍ରତାପ ଚନ୍ଦ୍ର ନାୟକ, ରୁପୁ ଭାତ୍ରା, ଓମ ପ୍ରକାଶ ମିଶ୍ର, ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।