ମୋକିମଙ୍କ ବିରୋଧଭାଷକୁ ବରିଷ୍ଠଙ୍କ ନାପସନ୍ଦ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ୱାରା ଦଳର ହାଇକମାଣ୍ଡକୁ ଲେଖାଯାଇଥିବା ଚିଠି ଏବଂ ତାହା ମିଡିଆରେ ଆସିଯିବା ଘଟଣାକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି। କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ଖୋଲାଖୋଲି ମୋକିମଙ୍କ ବୟାନ ଓ ଚିଠିକୁ ନିନ୍ଦା କରିଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ କହିଛନ୍ତି, ମୋକିମ ନିଜ ଝିଅର ରାଜନୈତିକ କ୍ୟାରିଅରକୁ ନିଜେ ନଷ୍ଟ କରୁଛନ୍ତି। ଆମେ ଦିନରେ ୧୮ ଘଣ୍ଟା ଦଳ ପାଇଁ ଖଟୁଛୁ, ସେ ଏଭଳି କହି କଂଗ୍ରେସକୁ ଶସ୍ତା କରୁଛନ୍ତି। ତୁମ ଭଳି ହଜାର ହଜାର କୋଟିପତି ଅଛନ୍ତି, କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି, ତେଣୁ ଲୋକେ ଚିହ୍ନିଛନ୍ତି। ଯଦି ନୂଆ ଦଳ କରିବାର ଇଚ୍ଛା ଥିଲା ତାହେଲେ କରନ୍ତୁ, ନହେଲେ ନିଜ ବେପାର ଦେଖନ୍ତୁ। ଚିଠି ଲେଖିଲେ ତାହା ମିଡିଆକୁ ଆସିଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟ ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, “ମୁଁ ମୋକିମଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରୁଛି। ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇବା ଠିକ୍ ହେଲାନି। ରାହୁଲ ଗାନ୍ଧୀଙ୍କୁ ଦେଖା କରିପାରିଲେନି ବୋଲି କହିବା ତାଙ୍କର ବ୍ୟକ୍ତିଗତ ମତ। ରାହୁଲ ସାରା ଦେଶର କଥା ବୁଝୁଛନ୍ତି। ମୁଁ ମଧ୍ୟ ଚିଠି ଲେଖିଥିଲି, ମୋର ଚିଠିର ଉତ୍ତର ମିଳିଛି। ଏହାକୁ ଏକ ଇସ୍ୟୁ କରିବା ଅନାବଶ୍ୟକ। ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ହାଇକମାଣ୍ଡକୁ ଯଦି କିଛି କକହିବାର ଥିଲା ତାହା ଭିତରେ କହିପାରିଥାନ୍ତେ। ମିଡିଆକୁ ଆସିବା ଆଦୌ ଠିକ୍ ହେଲାନି। ଦଳ ବିରୋଧରେ ଏଭଳି କହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।