କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠି ପଛରେ ବିଜେପିର ଡ୍ରାଫ୍ଟିଂ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ରାଲିରେ ଯୋଗଦେଇ ଓଡ଼ିଶା ଫେରିବା ବେଳେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ ଏହି ବଡ଼ ବୟାନ ଦେଇଛନ୍ତି।
ଭକ୍ତ ଚରଣ ଦାସ କହିଛନ୍ତି, ‘‘ମୋକିମ ବାବୁ ଥରେ ଦଳରୁ ବହିଷ୍କୃତ ହୋଇଥିଲେ। ଏହାର କାରଣ ମୁଁ କହିବି ନାହିଁ। ମୁଁ ପ୍ରଚାର କମିଟି ଅଧ୍ୟକ୍ଷ ହେଲା ପରେ ସେ ଦଳ ପାଇଁ ଆସେଟ ହେବେ ଭାବି ତାଙ୍କୁ ଫେରାଇ ଆଣିଥିଲି। ହେଲେ ସେ ଯେଉଁ ଚିଠି ଲେଖିଛନ୍ତି, ତାହା ସେ ନିଜେ ଲେଖିଲା ପରି ଲାଗୁନି।’ସେ ଆହୁରି କହିଛନ୍ତି ଯେ, ଚର୍ଚ୍ଚା ହେଉଛି ଓଡ଼ିଶା କଂଗ୍ରେସ ଉପରେ, କିନ୍ତୁ ଚିଠିରେ କିଛି ଅଲଗା ଅଛି। ଚିଠିରେ ୩-୪ଟି ପଏଣ୍ଟରେ ରାଷ୍ଟ୍ରୀୟ ଦଳକୁ ମାର୍ଗଦର୍ଶନ ଦିଆଯାଇଛି ଏବଂ ନେତୃତ୍ୱକୁ ପ୍ରଶ୍ନ କରାଯାଇଛି। ଲାଗୁଛି ଯେମିତି ବିଜେପିର ବଡ଼ ନେତୃତ୍ୱ ଏହି ଚିଠିଟି ଡ୍ରାଫ୍ଟ କରିଛନ୍ତି। ପରିସ୍ଥିତିରେ ପଡ଼ି ସେ ଚିଠିରେ ଦସ୍ତଖତ କରି ପଠାଇଥିବେ। ତାଙ୍କୁ ପରିପ୍ରକାଶ କରିବା ପାଇଁ ବାଧ୍ୟ କରାଯାଇ ପାରିଥାଏ,’’ ବୋଲି ଭକ୍ତ ଅନୁମାନ କରିଛନ୍ତି।
ମୋକିମଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପ ପ୍ରସଙ୍ଗରେ ଭକ୍ତ କହିଛନ୍ତି, ସେ ଯେଉଁ ରାଜନୈତିକ ପଦକ୍ଷେପ ନେବେ, ମୁଁ ଶୁଭକାମନା ଜଣାଉଛି। ଏହାସହିତ ମୋକିମଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କ ବିଷୟରେ ସେ କହିଛନ୍ତି, ସୋଫିଆ ଜଣେ ଉଦୀୟମାନ ଝିଅ। ତାଙ୍କ ଭବିଷ୍ୟତ ସିଏ ନିଜେ ସ୍ଥିର କରିବେ। ଆମର ଆଶୀର୍ବାଦ ତାଙ୍କ ଉପରେ ଅଛି। ସେ ଆଗକୁ ଯାଇପାରିବେ।
