ଏଣିକି ଗୁଗୁଲ୍ ଶୁଣିବ ଓଡ଼ିଆରେ ଭଏସ କମାଣ୍ଡ

ଆସନ୍ତାକାଲିଠାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ (ରିଜିଓନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ) ଅନୁଷ୍ଠିତ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ଆୟୋଜିତ ଆଞ୍ଚଳିକ ଏଆଇ ଇମ୍ପାକ୍ଟ କନଫରେନ୍ସ (ରିଜିଓନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ), ଓଡ଼ିଶା ଆସନ୍ତା ଡିସେମ୍ବର ୧୯ ଓ ୨୦ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସମ୍ମିଳନୀ ପୂର୍ବରୁ ଡିସେମ୍ବର ୧୮ ତାରିଖରେ ମେଫେୟାର କନଭେନ୍ସନ ସେଣ୍ଟରରେ ଇଣ୍ଡିଆ ଏଆଇ ଓ୍ୱାର୍କିଂ ଗ୍ରୁପ ମିଟିଂ ଅନୁଷ୍ଠିତ ହେବ, ଯାହା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ  ଏବଂ ଓଡ଼ିଶା ସରକାର ମିଳିତ ଭାବେ ଆୟୋଜନ କରୁଛନ୍ତି। ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ପ୍ରତିନିଧିମାନେ ଯୋଗ ଦେଇ ଇଣ୍ଡିଆ ଏଆଇ ମିଶନର କାର୍ଯ୍ୟକାରିତା, ଡାଟା ଇନଫ୍ରାଷ୍ଟ୍ରକଚର, କମ୍ପ୍ୟୁଟ, ସ୍କିଲିଂ ଏବଂ ସେକ୍ଟରାଲ ଏଆଇ ଉପଯୋଗ ଉପରେ ଆଲୋଚନା କରିବେ।
ଆଇଟି ମନ୍ତ୍ରୀ କହିଛନ୍ତି ଯେ, ଶାସନ ଏବଂ ପ୍ରମୁଖ ସାର୍ବଜନୀନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ ଏବଂ ନିୟୋଜନ କରିବାରେ ଏହା ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ କରିବ। ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ୨୦୨୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଇଣ୍ଡିଆ ଏଆଇ ପ୍ରଭାବ ସମ୍ମିଳନୀର ଏକ ଅଫିସିଆଲ ପୂର୍ବଭ୍ୟାସ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟ କରିବ। ସମ୍ମିଳନୀରେ ଭାରତର ଏଆଇ ନିୟୋଜନର ଦାର୍ଶନିକ ଭିତ୍ତି ତିନି ସୂତ୍ର – ପିପଲ୍ (ମାନବ), ପ୍ଲାନେଟ୍ (ପୃଥିବୀ) ଏବଂ ପ୍ରଗ୍ରେସ୍ (ପ୍ରଗତି) ଏବଂ ସାତ ଚକ୍ର ଉପରେ ବିସ୍ତୃତ ଆଲୋଚନା ହେବ। ତିନି ସୂତ୍ର ଏଆଇର ସମାବେଶୀ ଲାଭ, ପରିବେଶ ସୁରକ୍ଷା ଏବଂ ସମାନ ବଣ୍ଟନକୁ ନିର୍ଦ୍ଦେଶ କରିଥାଏ। ସାତ ଚକ୍ର ହେଉଛି – ହ୍ୟୁମାନ କ୍ୟାପିଟାଲ, ଇନକ୍ଲୁଜନ ଫର ସୋସିଆଲ ଏମପାଓ୍ୱାରମେଣ୍ଟ, ସେଫ ଆଣ୍ଡ ଟ୍ରଷ୍ଟେଡ ଏଆଇ, ରେଜିଲିଏନ୍ସ ଇନୋଭେସନ ଆଣ୍ଡ ଏଫିସିଏନ୍ସି, ସାଇନ୍ସ, ଡେମୋକ୍ରାଟାଇଜିଂ ଏଆଇ ରିସୋର୍ସେସ ଏବଂ ଏଆଇ ଫର ଇକୋନମିକ ଡେଭଲପମେଣ୍ଟ ଆଣ୍ଡ ସୋସିଆଲ ଗୁଡ୍। ଇଣ୍ଡିଆ ଏଆଇ ପ୍ରଭାବ ସମ୍ମିଳନୀ ପୂର୍ବରୁ ଦେଶର ୮ଟି ରାଜ୍ୟରେ ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ରାଜ୍ୟମାନଙ୍କ ମଧ୍ୟରେ ଓଡିଶା, କେରଳ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମେଘାଳୟ ଏବଂ ତେଲେଙ୍ଗାନା ରହିଛି । ସାତ ଚକ୍ର ମଧ୍ୟରୁ ଡେମୋକ୍ରାଟାଇଜିଂ ଏଆଇ ରିସୋର୍ସେସ ବିଷୟ ଓଡିଶାକୁ ଦିଆଯାଇଛି ।
ଡିସେମ୍ବର ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆଞ୍ଚଳିକ ସମ୍ମିଳନୀରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଶାସନ କ୍ଷେତ୍ରରେ ରାଜ୍ୟର ଏଆଇ ପ୍ରୟୋଗଗୁଡ଼ିକ ପ୍ରଦର୍ଶିତ ହେବ। ଏହା ସହିତ ଶାସନରେ ଏଆଇ, ଗବେଷଣା, ଡାଟା ଭିତ୍ତିଭୂମି ଏବଂ ସମାବେଶୀ ବିକାଶ ଉପରେ ଜାତୀୟ ସ୍ତରରେ ଆଲୋଚନାର ଏକ ପ୍ଲାଟଫର୍ମ ସୃଷ୍ଟି ହେବ। ଦେଶ ଓ ବିଦେଶର ନୀତି ନିର୍ମାତା, ଶିଳ୍ପ ନେତା, ଗବେଷକ ଏବଂ ଟେକ୍ନୋଲୋଜି ବିଶେଷଜ୍ଞମାନେ ଯୋଗ ଦେଇ ଓଡ଼ିଶାର ଦୀର୍ଘକାଳୀନ ଏଆଇ ପ୍ରାଥମିକତା ଏବଂ ସହଭାଗିତା ଉପରେ ଏକମତ ହେବେ। ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ମହିଳା ଓ ଶିଶୁ ବିକାଶ ଏବଂ ସଂସଦୀୟ ବ୍ୟାପାର ବିଭାଗରେ ଏଆଇର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟର ୪୧ଟି ବିଭାଗରେ ଏଆଇ ପ୍ରୟୋଗ କରାଯିବ। ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଏଆଇର ବ୍ୟବହାର କରାଯିବ। ବିଶେଷ ଭାବେ ଓଡ଼ିଆ ଭାଷାକୁ ଏଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। “ଓଡ଼ିଶା ଟେକ୍ନୋଲୋଜି-ଆଧାରିତ ବିକାଶ ପାଇଁ ଭବିଷ୍ୟତ-ପ୍ରସ୍ତୁତ ଦୃଷ୍ଟିକୋଣ ଗ୍ରହଣ କରୁଛି। ଓଡ଼ିଶା ଏଆଇ ପଲିସି ୨୦୨୫ ସହିତ ଫିନଟେକ୍, ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ଓ ଆଡଭାନ୍ସଡ୍ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରଗତିଶୀଳ ନୀତି ମାଧ୍ୟମରେ ଆମେ ଜନସଂଖ୍ୟା ସ୍ତରରେ ଏଆଇ ଗ୍ରହଣ ପାଇଁ ଦାୟିତ୍ୱପୂର୍ଣ୍ଣ ଓ ନିବେଶକ ଅନୁକୂଳ ଫ୍ରେମଓ୍ୱାର୍କ ଗଢ଼ି ଉଠୁଛୁ। ଆମର ଫୋକସ୍ କେବଳ ଭିତ୍ତିଭୂମିରେ ନୁହେଁ, ବରଂ ମଜବୁତ ଶାସନ, ବିଶ୍ୱସ୍ତରୀୟ ଡିଜିଟାଲ କ୍ଷମତା ଓ ଦୀର୍ଘକାଳୀନ ନୀତି ନିଶ୍ଚିତତା ସହିତ ଏକ ସମ୍ପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ଗଢ଼ିବା ଉପରେ ରହିଛି। ଉଦ୍ୟୋଗଗୁଡ଼ିକ ଓଡ଼ିଶାରୁ ନିର୍ମାଣ, ବିସ୍ତାର ଓ ନେତୃତ୍ୱ ଦେବା ପାଇଁ ସକ୍ଷମ ହେବାର ଏକ ଇକୋସିଷ୍ଟମ ଗଢ଼ିବା ଆମର ମୁଖ୍ୟ ଲକ୍ଷ୍ୟ।”
ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି, “ଓଡ଼ିଶା ଏଆଇ ସମିଟ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ବାସ୍ତବ ପ୍ରଗତି ଦେଖାଇବାକୁ ଏକ ପ୍ଲାଟଫର୍ମ। ଓଡ଼ିଶା ପ୍ରାଥମିକ ସରକାରୀ କାର୍ଯ୍ୟ ଓ ପ୍ରାଥମିକତା କ୍ଷେତ୍ରରେ ଏଆଇ ସମ୍ମିଳନ କରିବା ଆରମ୍ଭ କରିସାରିଛି ଏବଂ ସମାନ୍ତରାଳ ଭାବେ ଦକ୍ଷତା ବିକାଶ ଓ ଅନୁଷ୍ଠାନିକ ପ୍ରସ୍ତୁତିରେ ନିବେଶ କରୁଛି। ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର, ରାଜ୍ୟର ପ୍ରଗତି ପ୍ରଦର୍ଶନ ଏବଂ ସରକାରୀ ବିଭାଗ, ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଗବେଷଣା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଏକତା ସୃଷ୍ଟି କରି ଦୀର୍ଘକାଳୀନ ଏଆଇ ଉଦ୍ୟମଗୁଡ଼ିକ ପାଇଁ ଗତି ସଞ୍ଚାର କରିବ ବୋଲି ଆଶା କରାଯାଉଛି।