ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ସାମାଧାନ ଆପୋଷ ଆଲୋଚନାରେ ସଫଳ ହୋଇନପାରିଲେ ବିକଳ୍ପ ଭାବେ ଟ୍ରିବ୍ୟୁନାଲରେ ସରକାରଙ୍କ ପକ୍ଷରୁ ବଳିଷ୍ଟ ଯୁକ୍ତି ଉପସ୍ଥାପନ କରାଯିବ। ଟ୍ରିବ୍ୟୁନାଲରେ ଓଡ଼ିଶାର ବଳିଷ୍ଠ ଯୁକ୍ତି ଉପସ୍ଥାପନ ପାଇଁ ସମାନ୍ତରାଳରେ ପ୍ରସ୍ତୁତି ଜାରି ରହିବ । ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରୁ ଏହି ଜଣାପଡିଛି । ଏହି ବୈଠକରେ ମହାନଦୀ ଜଳ ବିବାଦର ଐତିହାସିକ ପୃଷ୍ଠଭୂମି, ହୀରାକୁଦ ପ୍ରକଳ୍ପ ଏବଂ ଛତିଶଗଡର ସେତୁ ନିର୍ମାଣ ସମ୍ପର୍କିତ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ କମିଟିର ପରବର୍ତ୍ତୀ ବୈଠକ ୨୦୨୬ ଜାନୁଆରୀରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ବୋଇଛି ।
ମହାନଦୀ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ସମ୍ପର୍କିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜୀବ ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭାଗର ଅନ୍ୟ ଅଧିକାରୀମାନେ ଛତିଶଗଡ଼ ସରକାରଙ୍କ ସେତୁ ନିର୍ମାଣ ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ। ଏତେବଡ଼ ଜଳ ବିବାଦର ସମାଧାନ ଲାଗି ଯଦି ଉଭୟ ରାଜ୍ୟ ମଧ୍ୟରେ କୌଣସି କାରଣରୁ ଆପୋଷ ଆଲୋଚନା କାଟୁ ନ କରେ, ତେବେ ସେକ୍ଷେତ୍ରରେ ଟ୍ରିବ୍ୟୁନାଲରେ କିଭଳି ଓଡ଼ିଶାର ବଳିଷ୍ଟ ଯୁକ୍ତି ଉପସ୍ଥାପନ ହୋଇପାରିବ ସେଥିଲାଗି ବିକଳ୍ପ ପନ୍ଥା ‘ଷ୍ଟ୍ରଙ୍ଗ ପଏଣ୍ଟ’ ଖୋଜି ବାହାର କରିବାକୁ ଉପମୁଖ୍ୟମନ୍ତ୍ରୀ ନିଦେର୍ଶ ଦେଇଛନ୍ତି।
ବୈଠକରେ ହୀରାକୁଦ ପ୍ରକଳ୍ପ, ମହାନଦୀ ଜଳ ବିବାଦର ଐତିହାସିକ ପୃଷ୍ଠଭୂମି, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ କାର୍ଯ୍ୟର ବର୍ତ୍ତମାନର ସ୍ଥିତି, ମହାନଦୀ-ସମ୍ବନ୍ଧୀୟ ସମସ୍ୟାର ସୌହାର୍ଦ୍ୟପୂର୍ଣ୍ଣ ସମାଧାନ ପ୍ରକ୍ରିୟା ଏବଂ ମହାନଦୀ ଅବବାହିକା ସମ୍ବନ୍ଧୀୟ ବିଷୟଗୁଡ଼ିକର ସାମଗ୍ରିକ ସ୍ଥିତି ଉପରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ମହାନଦୀ ଜଳ ସମସ୍ୟାର ସୌହାଦ୍ୟପୂର୍ଣ୍ଣ ସମାଧାନ ଦିଗରେ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଆନ୍ତଃମନ୍ତ୍ରାଳୟ କମିଟିର ପରବର୍ତ୍ତୀ ବୈଠକ ୨୦୨୬ ଜାନୁଆରୀରେ ଡକାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୈଠକରେ କମିଟିର ସଦସ୍ୟ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିରଦୋଷ ଯୋଗ ଦେଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର ଆଭାଷୀ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ତେବେ ମହାନଦୀ କମିଟିର ପ୍ରଥମ ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ସାମ୍ନା କରି କମିଟିର ଅଧ୍ୟକ୍ଷ କେ.ଭି ସିଂ ଦେଓ ଓଡ଼ିଶାର ସ୍ୱାର୍ଥ କୁ ଗୁରୁତ୍ୱ ଦିଆଯିବ । ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ ବୋଲି କହିଥିବା ବେଳେ କମିଟିରେ ସଦସ୍ୟଥିବା କଂଗ୍ରେସ ଓ ବିଜେଡିର ସଦସ୍ୟ ବୈଠକର ଆଲୋଚନା ସମ୍ପର୍କରେ ସବୁ କିଛି ଲୋକଙ୍କୁ ଜଣାଯାଉ ବୋଲି କହିଛନ୍ତି । ବିଜେଡି ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଆନ୍ତ ରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇନାହିଁ । ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା । ଆଲୋଚନାର ବିଷୟ ବସ୍ତୁ ରାଜ୍ୟବାସୀଙ୍କୁ ଜଣା ଯାଉ । ବିଶେଷଜ୍ଞ ମାନଙ୍କ ପରାମର୍ଶ ବି ନିଆଯାଉ । କଂଗ୍ରେସ ବିଧାୟିକା ସୋଫିଆ ଫୋର୍ଦୋଷ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳି ମିଶି ଲଢ଼ିବା ଉଚିତ । ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରାଯାଉ । ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ ବୋଲି ସୋଫିଆ କହିଛନ୍ତି ।
