ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ କରିଥିବା ସମାଲୋଚନାର ଜବାବ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁରେଶ ପୁଜାରୀ ଦେଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଇନଶୃଙ୍ଖଳା ପରିସ୍ଥିତି ନେଇ ନବୀନଙ୍କ ଟିପ୍ପଣୀକୁ ଟାର୍ଗେଟ କରି ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ବିଧାନସଭାରେ ନବୀନ ମୁଲତବୀ ପ୍ରସ୍ତାବ ଆଣନ୍ତୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହାସହ ବିଜେଡିକୁ ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କରି ନବୀନଙ୍କ ନେତୃତ୍ୱ ଶୈଳୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି ସୁରେଶ ପୂଜାରୀ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆଇନଶୃଙ୍ଖଳା କଥା କହୁଛନ୍ତି ନବୀନ ପଟ୍ଟନାୟକ, ତାହେଲେ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣନ୍ତୁ। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ବାଚସ୍ପତିଙ୍କୁ ଅନୁରୋଧ କରିବୁ ଏହି ଆଲୋଚନାକୁ ୨୦ ରୁ ୨୫ ଘଣ୍ଟା ପର୍ଯ୍ୟନ୍ତ ସମୟ ଦିଆଯାଉ । ଆମେ ତାଙ୍କ ନାଁରେ ଅଭିଯୋଗ କରୁଛୁ, ସେମାନେ ଆମ ନାଁରେ ଅଭିଯୋଗ କରୁଛନ୍ତି । ତୁତୁ ମେଁମେଁରେ ବିବାଦ ସୀମିତ ନ ରହି ବିଧାନସଭାରେ ଦୁଇ ଦିନ ଆଲୋଚନା ହେଉ । ରାଜ୍ୟବାସୀ ସବୁ କଥା ଜାଣନ୍ତୁ । ୨୫ ବର୍ଷ ଭିତରେ ନବୀନ ବାବୁଙ୍କ ଶାସନ କାଳରେ କେତେ ନାରୀ ନିର୍ଯ୍ୟାତନା ହୋଇଥିଲା ଏବଂ ତାର ଅନ୍ତିମ ଫଳ କଣ ହେଲା । ଆମେ ବି ପ୍ରସ୍ତୁତ ଅଛୁ ଆମ ସରକାର ସମୟରେ କଣ କଣ ଘଟଣା ସେମାନେ ଶୁଣାଇବେ । କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ଆମେ ଉତ୍ତର ରଖିବୁ । କିଏ କେତେ ପାଣିରେ ଅଛି ସ୍ପଷ୍ଟ ଜଣାପଡିଯିବ । ନବୀନ ବାବୁ ବିଧାନସଭାକୁ ଆସନ୍ତି ନାହିଁ । ଆଗକୁ ବିଧାନସଭା ବଜେଟ ଅଧିବେଶନ ଆସୁଛି । ବିଜେଡିକୁ ଆହ୍ବାନ ବିରୋଧୀ ଦଳ ନେତା ନବୀନ ବାବୁ ନିଜେ ମୁଲତବୀ ପ୍ରସ୍ତାବ ଆଣନ୍ତୁ । ଆଲୋଚନା ହେଉ । ନବୀନ ବାବୁ ପ୍ରସଂଶା କରିବା ସିଖିନାହାନ୍ତି । ବିଜେଡି ବିନା କ୍ଷମତାରେ ବିନା ପାଣିର ମାଛ ଭଳି ଛଟପଟ ହେଉଛି ।
ବିଜେଡିକୁ ଭାଙ୍ଗିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସୁରେଶ ପୂଜାରୀ କହିଛନ୍ତି ଯେ, ବିଜେପି ଜନସେବାରେ ବ୍ୟସ୍ତ ଅଛି ଏବଂ ବିଜେଡିକୁ ଭାଙ୍ଗିବାକୁ କୌଣସି ଚେଷ୍ଟା କରିନି। କିନ୍ତୁ ବିଜେଡି ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ବହୁତ ଚେଷ୍ଟା କରିଥିଲା। ବିଜେପି ସହଯୋଗରେ ସରକାର କରିଲେ, ମେଣ୍ଟ ଭାଙ୍ଗିଲେ । ଯେଉଁ ଦଳ ତାଙ୍କୁ ହାତ କଢେଇ କ୍ଷମତାର ଶିଖରରେ ତାଙ୍କୁ ପହଞ୍ଚାଇଥିଲା । ୨୦୦୯ ସମୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ଘଟଣାକୁ ମନେପକାଇ ଦେଇ ଶ୍ରୀ ପୁଜାରୀ କହିଥିଲେ ଯେ, ଚନ୍ଦନ ମିତ୍ର ଯେତେବେଳେ କହିଲେ, ତାଙ୍କୁ କୁହାଗଲା ଆଡଭାନୀଙ୍କ ସହ ଟୋଲିଫୋନରେ ଟିକେ କଥା ହୋଇଯାଅ । ନଳିନୀ ମହାନ୍ତିଙ୍କୁ ଦୁର୍ନୀତି ଅଭିଯୋଗରେ ସରକାରରୁ ବରଖାସ୍ତ କଲେ, ଦୁର୍ନୀତିର ଦଣ୍ଡ ଦେଲେ କି ? ପ୍ରସାନ୍ତ ନନ୍ଦବିଜେପିର ମନ୍ତ୍ରୀ ଥିଲେ ଦୁର୍ନୀତିରେ ଲିପ୍ତ ବୋଲି କହି ବରଖାସ୍ତ କଲେ । ତାଙ୍କ ଦଳକୁ ନେଇ ରାଜ୍ୟସଭା ପଠାଇଥିଲେ । ସେହିଭଳି ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ ଏବଂ ପ୍ରଫୁଲ୍ଲ ଘଡେଇଙ୍କୁ କିଭଳି ନବୀନ ଦୁରେଇ ଦେଇଥିଲେ ସେ କଥାକୁ ମନେପକାଇ ଶ୍ରୀ ପୁଜାରୀ କଟାକ୍ଷ କରିଛନ୍ତି ।
କ୍ଷମତା ହରାଇବା ପରେ ବିଜେଡିର ଅନେକ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଦାବି କରିଛନ୍ତି ମନ୍ତ୍ରୀ। ବିଜେଡି ନିଜ ନେତାଙ୍କୁ ରଖି ପାରୁନି ବୋଲି କହିଛନ୍ତି ସୁରେଶ ପୂଜାରୀ। କ୍ଷମତା ବିଷୟରେ ଏକ ରୂପକ ବ୍ୟବହାର କରି ମନ୍ତ୍ରୀ କହିଛନ୍ତି ଯେ, କ୍ଷମତା ହେଉଛି ଫେଭିକଲ୍ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ। ବିଜେଡି ନେତା ବିଜେପି ସମ୍ପର୍କରେ ଅଛନ୍ତି, ସେଥିପାଇଁ କଣ ବିଜେପି ଦାୟୀ । ସେମାନଙ୍କର ବିଜେଡିରେ ଆଉ ଭବିଶ୍ୟତ ନାହିଁ ବୋଲି ସେମାନେ ଦେଖୁଛନ୍ତି । ସେମାନଙ୍କର ଦଳରେ ଭବିଶ୍ୟତ ଅଛି ବୋଲି ବିସ୍ବାଶ ସୃଷ୍ଟି କରୁ ଦଳ ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ସବୁଠାରୁ କଡ଼ା ଟିପ୍ପଣୀ କରି ସୁରେଶ ପୂଜାରୀ କହିଛନ୍ତି ଯେ, ନବୀନ ସବୁବେଳେ ରାଜନେତାଙ୍କୁ ମାରିଛନ୍ତି ଏବଂ କେବେ କାହାକୁ ତିଆରି କରି ନାହାନ୍ତି। କିଏ କେତେ ବର୍ଷ ଶାସନ କରିବ କିଏ ଲୋକଙ୍କ ମନରେ କେତେ ଦିନ ରହିବ, ତାହା ନିଜେ ଘୋଷଣା କରିପାରିବେ ନାହିଁ । କର୍ମ ଲୋକଙ୍କ ମନରେ ସ୍ଥାନ ଦିଏ ।
