ମହାନଦୀ ଜଳ ବିବାଦ ,ସର୍ବଦଳୀୟ ବୈଠକ ବାତିଲ

ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଆନ୍ତଃବିଭାଗୀୟ ବୈଠକଅନୁଷ୍ଠିତ ହୋଇଛି । ଶୁକ୍ରବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ବସିଥିଲା ।  ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଲା। ଅପରପକ୍ଷରେ ମହାନଦୀ ସମସ୍ୟାକୁ ନେଇ ଆଜି ବସିବାକୁ ଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଥିବାବେଳେ ଏହା ଆଗକୁ ଅନୁଷ୍ଠିତ ହେବ।
ଜାନୁଆରୀ ୨୩ ତାରିଖ ଅର୍ଥାତ ଶୁକ୍ରାବର ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ବସିବାର ଥିଲା। ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକକୁ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି । ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
  ଗଣମାଧ୍ୟମକୁ ବିବୃତି ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାରଠାରୁ ପାଇଛୁ। ୨୪ ବର୍ଷ ବିଜେଡି ଶାସନବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା। ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କଲେ। ସେତେବେଳେ ସରକାର ବିରୋଧ  କଲେ ନାହିଁ। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କଲେ। ଟ୍ରିବ୍ୟୁନାଲ ସମ୍ମୁଖରେ ପୂର୍ବ ସରକାର ସତ୍ୟପାଠ ଦାଖଲ କଲେ ନାହିଁ। ବିଧାନସଭା ସମୟରେ ତତକାଳୀନ ଜଳସମ୍ପଦ ମନ୍ତ୍ରୀ କହିଥିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ। ଏହି ବିବୃତିକୁ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲରେ ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାର ବିରୋଧରେ ଛତିଶଗଡ଼କୁ ବିଜେଡି ଅସ୍ତ୍ର ଦେଇଛି। ଖୁବଶୀଘ୍ର ଆମେ ଟ୍ରିବ୍ୟୁନାଲ ସମ୍ମୁଖରେ ସତ୍ୟପାଠ ଦାଖଲ କରିବୁ।
ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ମନ୍ତ୍ରୀ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର। ତୁମେ କ’ଣ କରିଛ? ସବୁବେଳେ ୨୪ ବର୍ଷ କଥା କହି ଖସିଯିବାକୁ ଚେଷ୍ଟା କରନ୍ତୁ ନାହିଁ।  ୨୦୧୬ ରେ ନବୀନ ବାବୁ ଯେଉ ପ୍ରୟାସ ଆରମ୍ଭ କରିଥିଲେ ସେତେବେଳେ କେନ୍ଦ୍ର ସରକାର ତାକୁ ଗୁରୁତ୍ବ ଦେଲେ ନାହିଁ। କେନ୍ଦ୍ର ସେତେବେଳେ ନିରବଦ୍ରଷ୍ଟା ରହିଲା । ଏବେ ଟ୍ରିପଲ ଇଞ୍ଜିନ ସରକାର ଆସିଲେ ମଧ୍ୟ କୌଣସି ଲାଭ ହେଲା ନାହିଁ। ଖାଲି କମିଟି ଗଠନ କରିଛନ୍ତି। ଆଜି ସର୍ବଦଳୀୟ କମିଟି ଡାକି ବନ୍ଦ କରିବାର କାରଣ କଣ ଜଣାନାହିଁ। ମହାନଦୀ ତଳିଆ ଅଞ୍ଚଳରେ ଏବେ ପାଣି ନାହିଁ। ଖରା ବଢିଲେ ଅବସ୍ଥା ଆହୁରି ଖରାପ ହେବ। ମହାନଦୀ ଜଳ ବିବାଦର ସମାଧାନ କେବେ ହେବ, ସରକାର ସ୍ପଷ୍ଟ କରନ୍ତୁ।
  ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ଆହ୍ବାନ କରିଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଆଲୋଚନା ପାଇଁ ଡାକିଲେନି। ଆସନ୍ତା ଏପ୍ରିଲ ମାସରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ସରିବ।   ସରକାର ଏ ଦିଗରେ କିଛି କରୁନାହାନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ମହାନଦୀ ଜଳ ବିବାଦର ସମାଧାନ ନେଇ ଆନ୍ତରିକତା କେତେ ସ୍ପଷ୍ଟ ଜଣାପଡୁଛି।
  ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯାନ ତରଫରୁ ବିବାଦର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। କଲମା ବ୍ୟାରେଜ ତଳେ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟ ନେଇ ଉଦବେଗ ପ୍ରକାଶ କରାଯାଇଛି।
ପ୍ରଧାନମନ୍ତ୍ରୀ, ଜଳ ଶକ୍ତିମନ୍ତ୍ରୀ, ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପ୍ରତିନିଧି ଦଳ କଲମା ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଛତିଶଗଡ଼ ସରକାର ବାଲି ବନ୍ଧ ନ ଭାଙ୍ଗିଲେ ଲାକେ ଭାଙ୍ଗିବେ ବୋଲି ଏହି ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ଆସନ୍ତା ୩୧ ତାରିଖରେ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।