୧୭ ତାରିଖରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅର୍ଥାତ୍ ତଥା ବଜେଟ ଅଧିବେଶନ ଆରମ୍ଭ ହେବ। ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାନ କରିବେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି।
୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଣିଥିଲେ । ୨୦୨୬-୨୭ ଆର୍ଥିକ ବର୍ଷରେ ବଜେଟର ଆକାର ୬.୯% ବୃଦ୍ଧି ପାଇ ୩.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ପୁଞ୍ଜି ବ୍ୟୟ ୧୧.୫% ବଢ଼ି ୭୨,୫୦୦ କୋଟି ଟଙ୍କା ହେବାର ସମ୍ଭାବନା ରହିଛି।
ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାଏକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଡିଆ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ଥିବା ବେଳେ ସମ୍ବଲପୁରରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ବଲାଙ୍ଗୀରରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲାରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଝାରସୁଗୁଡାରୁ ଉଚ୍ଚଶିକ୍ଷା ଓ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।
ବିଧାନସଭାରେ ବଜେଟ ଉପସ୍ଥାନ ପରେ ଏହା ଉପରେ ୨୩ ଓ ୨୪ ତାରିଖ ଦୁଇଦିନ ଧରି ଆଲୋଚନା ହେବ। ସେହିପରି ମାର୍ଚ୍ଚ ୧୦ ତାରିଖଠାରୁ ୩୦ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଅନୁଦାନ ଉପରେ ଗୃହରେ ଆଲୋଚନା ହେବ। ଏହାପରେ ମାର୍ଚ୍ଚ ୩୧ ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବା ସହ ବଜେଟ ଗୃହର ଅନୁମୋଦନ ଲାଭ କରିବ। ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୭୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ମଧ୍ୟ ଗତ ଆର୍ଥିକ ବର୍ଷରେ ଗୃହର ସମ୍ମତି ଲାଭ କରିଥିଲା ।
