ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ। ବିଜେପି ସରକାର ସମୟରେ ନେତୃତ୍ବ ସଙ୍କଟ ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ମହିଳା ଦିବସରେ ରାଜ୍ୟ ସରକାରଙ୍କୁ ଏଭଳି ଟାର୍ଗେଟ କରିବା ସହ ଏମିତି କେତେଦିନ ଚାଲିବ ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଶଙ୍ଖ ଭବନରେ ମହିଳା ବିଜେଡି ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଥିଲେ ଯେ, ବିଜେଡି ମା’ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତୀକରଣରେ ବିଶ୍ବାସ କରେ। ଅନ୍ୟ ଦଳଗୁଡ଼ିକ ପରି ଲୋକଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତୀକରଣ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ ସହ କାମ କରୁଛି। ବିଜେଡି ସରକାର ସମୟରେ ମା’ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ମାନଙ୍କୁ ବିକାଶର ମୁଖ୍ୟ ଧାରାକୁ ଆଣିଥିଲା। ମା’ ମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶର ବାର୍ତ୍ତାବହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସମାଜର ବୃହତର ବିକାଶରେ ମହିଳାଙ୍କ ଗୁରୁତ୍ବକୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ। ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ହିଁ ଥିଲେ ସାରା ଦେଶରେ ମହିଳା ସଶକ୍ତୀକରଣର ପଥପ୍ରଦର୍ଶକ। ମା’ ମାନଙ୍କ ପ୍ରକୃତ ସଶକ୍ତୀକରଣ ସହ ସେମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀମାନେ ଉଦ୍ବୋଧନ ଦେଇଥିଲେ ।
