ମେଡିକାଲ ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ବିରୋଧୀ ବିଧାନସଭା ଅଚଳ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଏବଂ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦାବିରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୨୨ ମିନିଟ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଦ୍ବିତୀୟାର୍ଦ୍ଧରେ ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା ।
ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ହାତରେ ପୋଷ୍ଟର ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । କଂଗ୍ରେସର ବିଧାୟକମାନେ ସମାନ ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ । ଏହି ସମୟରେ ବିଧାୟକ ଅମର ନାୟକଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ରଖୁଥିଲେ ହେଁ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଏହା ଶୁଣାଯାଇ ନଥିଲା । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ୧୦ଟା ୩୭ରୁ ୧୨ଟା ଯାଏଁ ମୁଲତବୀ ରଖିଥିଲେ। ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ଉଭୟ ବିରୋଧୀ ଦଳ ନେତା। ବାଚସ୍ପତି ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ ହେଁ ସେମାନେ ଶୁଣିନଥିଲେ । ଫଳରେ ବାଚସ୍ପତି ୧୨ଟା ୧୫ରୁ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।
ଅପରାହ୍ଣରେ ୪ ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ପ୍ରତିବାଦ ଜାରି ରଖିଥିଲେ । ରାମ ନାମ ସତ୍ୟ ହେ…. ହରି ନାମ ସତ୍ୟ ହେ…. ମୋହନ ମାଝୀ ହାଏ ହାଏ ସ୍ଲୋଗାନ ବିଜେଡି ଓ କଂଗ୍ରେସ ବିଧାୟକମାନେ ଦେଇଥିଲେ । ହୋହାଲ୍ଲା ମଧ୍ୟରେ ବାଚସ୍ପତି ସୁରମା ପାଢୀ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଖଣି ଓ ପରିବହନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବକ୍ତବ୍ୟ ରଖିବାକୁ ଡାକିଥିଲେ । ବିରୋଧୀ ଦଳ ଉପନେତା କହିଥିଲେ ଯେ, ରାଜ୍ୟରେ ରୋଗୀମାନଙ୍କର ମୃତ୍ୟୁ ହୋଇଛି । ସରକାର ସେ ସମ୍ପର୍କରେ ଆଲୋଚନା ନକରି ଅନ୍ୟ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଏହାଠୁ ଲଜ୍ୟାଜନକ ଆଉ କଣ ହୋଇପାରେ । ବାଚସ୍ପତି କହିଥିଲେ ଯେ, ଗୃହକୁ ସ୍ବାଭାବିକ କରିବା ପାଇଁ ଚେଷ୍ଠା କଲେ, ସହଯୋଗ କରୁନାହାନ୍ତି । ବିଧାୟକମାନେ ନିଜ ଆସନକୁ ଯାଉନାହାନ୍ତି । ମୁଁ ଆଉ କଣ କରିପାରିବି । କେମିତି ଆପଣଙ୍କ କଥା ବିଚାର କରିବି ବୋଲି କହିଥିଲେ । ଦୀର୍ଘ ସମୟ ଧରି ହୋହାଲ୍ଲା ମଧ୍ୟରେ ଖର୍ଚ୍ଚଦାବି ଆଲୋଚନା ଜାରି ରହିଥିଲା । ଶେଷରେ ବିରୋଧୀ ଦଳର ସଦସ୍ୟମାନେ କକ୍ଷ୍ୟତ୍ୟାଗ କରିଥିବା ବେଳେ ଗୃହରେ ଖଣି ଓ ପରିବହନ ବିଭାଗ ଖଚ୍ଚଦାବି ଆଲୋଚନା ହୋଇ ଗୃହୀତ ହୋଇଥିଲା ।
