ଭୁବନେଶ୍ୱର ଏୟାରପୋର୍ଟରେ ହେବ ବିମାନ ମରାମତି କେନ୍ଦ୍ର

ଓଡ଼ିଶାକୁ ପୂର୍ବ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର କରିବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହା ପୂର୍ବ ଭାରତର ପ୍ରଥମ ବଡ଼ ଏମଆରଓ କେନ୍ଦ୍ର ହେବ । ଏହି ପ୍ରକଳ୍ପ ସରକାରଙ୍କ ବି-ମାନ (ବିଲଡିଂ ଆଣ୍ଡ ମ୍ୟାନେଜମେଂଟ ଅଫ ଏଭିଏସନ ଆସେଟସ ଆଣ୍ଡ ନେଟୱାର୍କ) ଯୋଜନାର ଅଂଶ । ଘରୋଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ଇଣ୍ଡଷ୍ଟ୍ରିଆଲ ପଲିସି ରେଜୋଲ୍ୟୁସନ (ଆଇପିଆର) ୨୦୨୨ ଅନୁସାରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଅଫର କରାଯାଇଛି । ଏହି ପ୍ରକଳ୍ପରେ ଭାରତର ସବୁଠାରୁ ପୁରୁଣା ଓ ବଡ଼ ତୃତୀୟ-ପକ୍ଷ ଏମଆରଓ ପ୍ରଦାନକାରୀ ମେସର୍ସ ଏୟାର ୱାକର୍ସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡକୁ ମୁଖ୍ୟ ନିବେଶକ ଭାବେ ଚୟନ କରାଯାଇଛି । ବିଶ୍ୱ ଏମଆରଓ ବଜାର ୨୦୩୧ ସୁଦ୍ଧା ୧୧୭ ବିଲିୟନ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି, ଆଉ ଭାରତର ଏମଆରଓ ଶିଳ୍ପ ସେହି ସମୟ ସୁଦ୍ଧା ୪ ବିଲିୟନ ଡଲାରରେ ପହଞ୍ଚିବ ।
କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ଭାରତ ବର୍ତ୍ତମାନ ଆମେରିକା ଓ ଚୀନ ପରେ ତୃତୀୟ ବୃହତ୍ତମ ବିମାନ ବଜାର ହେବାର ପଥରେ ଅଗ୍ରସର। ଦେଶରେ ଏୟାରଲାଇନ ଅପରେଟରମାନଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୭୧୩ ଟି ବିମାନ ରହିଛି ଏବଂ ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ୧,୦୦୦ରୁ ଅଧିକ ବିମାନ କ୍ରୟ ପାଇଁ ଅର୍ଡର ଦିଆଯାଇଛି। ଭାରତୀୟ ଏୟାରଲାଇନଗୁଡ଼ିକ ମେଣ୍ଟେନାନ୍ସ ଉପରେ ମୋଟ ଆୟର ୧୨% ରୁ ୧୫% ଖର୍ଚ୍ଚ କରୁଛନ୍ତି, ଯାହା ଇନ୍ଧନ (୪୦% ଖର୍ଚ୍ଚ) ପରେ ଦ୍ୱିତୀୟ ବୃହତ୍ତମ ଖର୍ଚ୍ଚ ବାବଦ ହେଉଛି। ଓଡ଼ିଶାର ଭୌଗୋଳିକ ଅବସ୍ଥାନ ଏବଂ ଅନେକ ପ୍ରମୁଖ ବିମାନ ରୁଟର ଦେଶ ଓ ଅନ୍ତର୍ଜାତୀୟ ଏୟାରଲାଇନଗୁଡ଼ିକ ପାଇଁ ଏମଆରଓ ସେବା ପ୍ରଦାନରେ ବିଶେଷ ସମ୍ଭାବନା ସୃଷ୍ଟି କରୁଛି । ଏହି ପ୍ରେକ୍ଷୀରେ, ଓଡ଼ିଶାକୁ ଏକ ଆଞ୍ଚଳିକ ବିମାନ ସେବା କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମଆରଓ ସୁବିଧା ସ୍ଥାପନ ପାଇଁ ମନ୍ତ୍ରୀମଣ୍ଡଳ ଅନୁମୋଦନ ଦେଇଛି। ଓଡ଼ିଶା ସରକାରଙ୍କ ବିମାନ ସମ୍ପତ୍ତି ଓ ନେଟୱାର୍କର ନିର୍ମାଣ ଓ ପରିଚାଳନା(ବି-ମାନ) ଯୋଜନାରେ ଏକ ମାଇଲଖୁଣ୍ଟ ହେବ।
ଏମଆରଓ ସେକ୍ଟରରେ ବେସରକାରୀ ଅଂଶୀଦାରୀକୁ ଆକର୍ଷିତ କରିବା ପାଇଁ ମନ୍ତ୍ରୀମଣ୍ଡଳ ୨୦୨୨ ଶିଳ୍ପ ନୀତି ରେଜୋଲ୍ୟୁସନ (ଆଇପିଆର) ଉପରେ ଅତିରିକ୍ତ ପ୍ରୋତ୍ସାହନ ପ୍ୟାକେଜ ମଞ୍ଜୁର କରିଛନ୍ତି। ଭାରତର ପୁରାତନ ଓ ବୃହତ୍ତମ ଥାର୍ଡ-ପାର୍ଟି ଏମଆରଓ ପ୍ରଦାନକାରୀ ଏୟାର ୱାର୍କସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ ଲିମିଟେଡକୁ ଏହି ସୁବିଧା ସ୍ଥାପନ ଓ ପରିଚାଳନା ପାଇଁ ବିନିଯୋଗକାରୀ ଭାବେ ଚିହ୍ନଟ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ଏହି ପ୍ରକଳ୍ପର କାର୍ଯ୍ୟକାରିତା ତଦାରଖ କରିବ, ଯେଉଁଥିରେ ହାଇ ପାୱାର କମିଟି ଅନ ଏଭିଏସନ ପ୍ରକଳ୍ପର ରୋଲଆଉଟ ଓ ନିରୀକ୍ଷଣରେ ସହାୟତା କରିବ।