ଭାରତ ବନ୍ଦକୁ ଡ୍ରାଇଭରଙ୍କ ଷ୍ଟଅରିଂ ଛାଡ଼, ଲୋକେ ହନ୍ତସନ୍ତ : ତୈଳ ସଙ୍କଟ

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲୁରହିବ
ସରକାରଙ୍କ ସହ ଆଲୋଚନା ବିଫଳ
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସାଙ୍ଗକୁ ବୁଧବାର ଭାରତ ବନ୍ଦ ଡ଼ାକରା ଲାଗି ଜନସାଧାରଣଙ୍କ ଲାଗି ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଛି।  ସର୍ବଭାରତୀୟ ଶ୍ରମିକ ହରତାଳ ଡାକରାକୁ ସମର୍ଥନ ଜଣାଇ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ଦେଶବ୍ୟାପୀ ସାଧାରଣ ହରତାଳ ସହ ବିକ୍ଷୋଭ କରିଛନ୍ତି ।
    ଲଗାତାର ଦ୍ବିତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଚାଲୁ ରହିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଡ୍ରାଇଭର ମହାସଂଘ ଅନିର୍ଦ୍ଧଷ୍ଟ କାଳଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।
ଡ୍ରାଇଭର ସୁରକ୍ଷା ଆଇନ, ଅଟୋ ଚାଳକଙ୍କୁ ଡ୍ରାଇଭର ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା, ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ, ଡ୍ରାଇଭର ପାଇଁ ପେନସନ, ପ୍ରତି ୧୦୦ କିମି ମଧ୍ୟରେ ଗୋଟିଏ ଡ୍ରାଇଭର ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ ସାଙ୍ଗକୁ ପୋଲିସ୍‌ ହାତରୁ ଗାଡ଼ି ଚେକିଂର କ୍ଷମତା ହଟାଇବା ଲାଗି ଡ୍ରାଇଭର ମହାସଂଘ ଦାବି ରଖିଛି । ମାସେ ତଳେ ମହାସଂଘ ସାମ୍ବାଦିକ ସମ୍ମିଳନୀ ଜରିଆାରେ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲା । କିନ୍ତୁ ଏଥିପ୍ରତି ସରକାର ଗୁରୁତ୍ବ ଦେଇନଥିଲେ । ଏବେ ମଧ୍ୟ ଆହୁରି ସମୟ ମାଗିବା ସହ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ଅଣଦେଖା କରାଯାଉଛି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଡ୍ରାଇଭର ଆସୋସିଏସନ୍ ସଭାପତି କହିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାରଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗାଡ଼ି ଚାଳକଙ୍କ ଦ୍ୱାରା ଦିଆଯାଇଥିବା ଏହି ଆନ୍ଦୋଳନ ଡାକରାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଓ ଟ୍ରକ୍‌ ମାଲିକ ସଂଘ ସମର୍ଥନ ଜଣାଇଛି । ସାରା ରାଜ୍ୟରେ ଏହି ଆନ୍ଦୋଳନର ଜୋରଦାର୍‌ ପ୍ରଭାବ ପଡ଼ିଥିବା ନଜରକୁ ଆସିଛି । ବିଶେଷ କରି ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ବ୍ୟାପକ ପ୍ରଭାବ ପଡ଼ିଥିବା ନଜରକୁ ଆସିଥିବାବେଳେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଛନ୍ତି।
ଷ୍ଟାଣ୍ଡରୁ ଘରୋଇ ବସ୍‌ ଗଡ଼ିଲାନି 
ରାସ୍ତାରେ ସରକାରୀ ଓ ଆମ ବସ୍‌ ଛାଡ଼ିଲେନାହିଁ

 

 ସରକାର ଦାବି ପୂରା ନକରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିବ । ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ବସ ଉପରେ ନିର୍ଭର ହୋଇ ରହୁଥିବା ଯାତ୍ରୀ ସମସ୍ୟା ଭୋଗିଛନ୍ତି।  କଟକ ନେତାଜୀ ବସ ଟର୍ମିନାଲ ଓ ଭୁବନେଶ୍ବର ବରମୁଣ୍ଡା ବସ ଟର୍ମିନାଲରୁ ବସ୍‌ ଚଳାଚଳ ବନ୍ଦ ରହିଛି।  ଟର୍ମିନାଲରେ ଲୋକଙ୍କୁ ବସି ରହିଥିବାର ଦେଖିବାକୁ ମିଳିଛି । ଯାତାୟାତ ଠପ୍ କାରଣରୁ ଦୂରକୁ ଯାତ୍ରା କରୁଥିବା ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି।

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସାଙ୍ଗକୁ ଭାରତବନ୍ଦ ଡ଼ାକରା ଯାତ୍ରୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ବ୍ୟାଙ୍କିଂଠାରୁ ନେଇ ଡାକ ସେବା, ଖଣି, ଉତ୍ପାଦନ ଏବଂ ପରିବହନ ସମେତ ଅନେକ କ୍ଷେତ୍ରର ପ୍ରାୟ ୨୫ କୋଟିରୁ ଅଧିକ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି।  ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଙ୍ଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଡାକରା ଦେିଛି।  ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକ ଏବଂ ସେମାନଙ୍କୁ ମିଳୁଥିବା ସେବା ଉପରେ ପଡିଛି ।
ଭୁବନେଶ୍ବର ରେଳ ଷ୍ଟେସନ ଓ ସରକରୀ ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏପରିକି ଆମ ବସ ସହ ପ୍ରାଇଭେଟ ବସକୁ ଅଟକ ରଖି ଆନ୍ଦୋଳନକାରୀମାନେ ରାଜପଥ ଓ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାଷ୍ଟର କ୍ୟାଣ୍ଟିନ୍ ଛକ, ବାଣୀ ବିହାର ଓ ରାଜପଥରେ ଆନ୍ଦୋଳନ ଦେଖା ଦେଇଥିବାବେଳେ ଜୟଦେବ ବିହାର ଓଭରବ୍ରିଜ୍ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେହିପରି କଟକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।
କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ ପୂରା ଖାଁ ଖାଁ ଦେଖା ଯାଇଥିଲା।  କେବଳ ସରକାରୀ ବସ୍ ଚଳାଚଳ କରିଥିଲା । ଫଳରେ ସାଧାରଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଧର୍ମଘଟର ମୁଖ୍ୟ କାରଣ ହେଉଛି ସରକାରଙ୍କ ଦ୍ୱାରା ୪ଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିବା।  ଏହି ସଂହିତାଗୁଡ଼ିକ ଧର୍ମଘଟ କରିବା, କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବା, କମ୍ପାନୀ ମାଲିକମାନଙ୍କୁ ଦଣ୍ଡରୁ ରକ୍ଷା କରିବା, ଚାକିରି ସୁରକ୍ଷା ଏବଂ ନ୍ୟାଯ୍ୟ ମଜୁରୀକୁ ବିପଦରେ ପକାଇବା କଷ୍ଟକର କରିଥାଏ ବୋଲି ଟ୍ରେଡ୍ ୟୁନିଅନ୍ ଅଭିଯୋଗ କରିଛିନ।
ଡ୍ରାଇଭରଙ୍କ ଆନ୍ଦୋଳନ ତେଲ ଟ୍ୟାଙ୍କର ଆସୁନି
ଆଜି ଟ୍ୟାଙ୍କର ନଆସିଲେ ତେଲ ଅଭାବ ଆଶଙ୍କ

 

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ ହୋଇଛି । ୨ଦିନ ହେଲା ଟାଙ୍କିକୁ ପେଟ୍ରୋଲ-ଡିଜେଲ ଟ୍ୟାଙ୍କର ଆସୁନାହିଁ।  ପେଟ୍ରୋଲ ଟାଙ୍କିକୁ ଗାଡି ନଆସିଲେ ଗୁରୁବାର ତେଲ ଅଭାବ ଦେଖାଦେବ।  ଅନେକ ଟାଙ୍କିରେ ପେଟ୍ରୋଲ-ଡିଜେଲ ଖାଲି ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲରସ ଆସୋସିଏସନ ସଭାପତି ସଞ୍ଜୟ ଲାଠ କହିଛନ୍ତି।  ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଛି।  ଭାରତ ବନ୍ଦ ଡାକରା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ଟାଙ୍କି ସକାଳୁ ବନ୍ଦ ରହିଥିବାବେଳେ ସନ୍ଧ୍ୟାରେ ଖୋଲିଛି।  ଟ୍ୟାଙ୍କର ନଆସିଲେ ତେଲ ମିଳିବନାହିଁ ବୋଲି ପ୍ରଚାରପ୍ରସାର ହେବା ପରେ ସନ୍ଧ୍ୟାରେ ପେଟ୍ରୋଲ ପମ୍ପରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି।