ଭଦ୍ରକ ଜିଲ୍ଲାର ପାରମ୍ପରିକ ଓ ଲୋକପ୍ରିୟ ମିଠା “ପାଳୁଅ ଲଡୁ”କୁ ଭୌଗୋଳିକ ସୂଚକ (ଜିଆଇ ଟ୍ୟାଗ) ମାନ୍ୟତା ମିଳିବ । ଭଦ୍ରକ ଜିଲ୍ଲା ସ୍ତରରୁ ଏହି ପ୍ରସ୍ତାବ ଦିଆଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଜିଲ୍ଲା ଅଧିକାରୀମାନଙ୍କୁ ଲେଖିଥିବା ଚିଠିରୁ ଏହା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ, ଜିଲ୍ଲାସ୍ତରୀୟ ବିଭିନ୍ନ ବୈଠକରେ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରସ୍ତୁତ ଆପ୍ୟାୟନ ପ୍ୟାକେଟରେ ପାଳୁଅ ଲଡୁ ସାମିଲ କରାଯାଉ ।
ପାଳୁଅ ଲଡୁ ଭଦ୍ରକ ଜିଲ୍ଲାର ଏକ ଅନନ୍ୟ ମିଠା ଯାହା ଜିଲ୍ଲା ସହ ଦେଶରେ ଲୋକପ୍ରିୟ । ଏହାକୁ ଜିଆଇ ଟ୍ୟାଗ ପ୍ରଦାନ କରିବା ଦ୍ୱାରା ଏହାର ସାଂସ୍କୃତିକ ଓ ଐତିହ୍ୟଗତ ମୂଲ୍ୟ ସୁରକ୍ଷିତ ହେବ ଏବଂ ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ହେବ। ପାଳୁଅ ଲଡୁକୁ ଜିଆଇ ଟ୍ୟାଗ ମିଳିଲେ ଏହି ବ୍ୟବସାୟ ସହ ଜଡ଼ିତ ସ୍ଥାନୀୟ କାରିଗରମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ମଧ୍ୟ ଓଡ଼ିଆ ଅସ୍ମିତାର ଏକ ଅଂଶ ଭାବେ ଏହି ପାରମ୍ପରିକ ମିଠାକୁ ସଂରକ୍ଷଣ ଓ ପ୍ରଚାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି । ଭଦ୍ରକର ପ୍ରସିଦ୍ଧ ପାଳୁଅ ଲଡୁ ମାନ୍ୟତା ପାଇଲେ ସ୍ଥାନୀୟ ସଂସ୍କୃତି ଓ କାରିଗରୀକୁ ପ୍ରୋତ୍ସାହନ ଦେବା ସହିତ ଭଦ୍ରକର ପାଳୁଆ ଲଡୁକୁ ଏକ ବିଶେଷ ପରିଚୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି।