ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେବାରେ ଲାଗିଛି । ଭାରତର ଏକାଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ ଉଦ୍ଦେଶ୍ୟରେ ପାକିସ୍ତାନ ଛାଡ଼ିଥିବା ଡ୍ରେନଗୁଡ଼ିକୁ ସେନା ଧ୍ବଂସ କରିଛି । ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର ବହୁ ସହରକୁ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିବାବେଳେ ଏବେ ସବୁଠି ହାଇ ଆଲର୍ଟ ଜାରି ହୋଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବର ମଧ୍ୟ ହାଇ ଆଲର୍ଟରେ ରହିଛି । ମୁଖ୍ୟତଃ ଭୁବନେଶ୍ବରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର, ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେଶନ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ହେଉଥିବା ଗତିବିଧି ଉପରେ ନଜର ରଖାଯାଇଛି । ବିମାନବନ୍ଦରରେ ଯାତ୍ରୀଙ୍କ କଡ଼ା ଚେକିଂ କରାଯାଉଥିବାବେଳେ ରେକଳଷ୍ଟେଶନରେ କ୍ରମାଗତ ଭାବେ ମକଡ୍ରିଲ ସହ କଡ଼ା ଯାଞ୍ଚ ଓ ଜନସଚେତନତା କରାଯାଇଛିନ। ଓଡ଼ିଶାରେ ପୁରୀ ଓ ଚାନ୍ଦିପୁର ବ୍ୟତୀତ ରାଜଧାନୀ ଭାବେ ଭୁବନେଶ୍ବର ଅତ୍ୟନ୍ତ ସମ୍ବେଦନଶୀଳ ସହର ଭାବେ ପରିଗଣିତ ହେଉଥିବାରୁ କମିଶନରେଟ୍ ପୋଲିସ ପକ୍ଷରୁ ଧରପଗଡ଼ ବୃଦ୍ଧି ପାଇଛି । ରାତିରେ ଚେକିଂ-ବ୍ଲକିଂ ସହ ହୋଟେଲରେ ରହୁଥିବା ବିଦେଶୀ ନାଗରିକଙ୍କ ଯାଞ୍ଚ ମଧ୍ୟ କରାଯାଉଛି । ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏବେ ଯାଞ୍ଚକୁ ବଢ଼ାଯାଇଛି । ଶୁକ୍ରବାର ମନ୍ଦିର ସାମ୍ନାରେ ନିୟୋଜିତ ସୁରକ୍ଷା କର୍ମୀ ଟିକନିକ କରି ଯାଞ୍ଚ କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡ଼ୁଥିବା ନଜରକୁ ଆସିଛି ।
ଏସଓପି ପରେ ବିମାନବନ୍ଦର ସୁରକ୍ଷା ବଢ଼ିଲା
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେବାରେ ଲାଗିଛି । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟକୁ ଚାଳଚଳ କରୁଥିବା ବିମାନ ସେବାକୁ ବନ୍ଦ କରାଯାଇଛି । ଏହାସହ ଭାରତ ପାକିସ୍ତାନ ସୀମାନ୍ତ ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି । ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷାକର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀଙ୍କ ପରିଚୟ ପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ଶୁକ୍ରବାର ନଜରକୁ ଆସିଛି ।
ଭାରତର ଆକ୍ରମଣ ପରେ ପାକିସ୍ତାନ ପାଲଟା ଆକ୍ରମଣ କରୁଛି । ତେଣୁ ସାମରିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସମେତ ସାଧାରଣ ନାଗରିକଙ୍କୁ ପାକିସ୍ତାନ ଟାର୍ଗେଟ କରୁଛି । ଏହାସହ ଶତ୍ରୁ ରାଷ୍ଟ୍ର ଦ୍ୱାରା ବିଭିନ୍ନ ବିମାନ ବନ୍ଦର ଉପରେ ଆକ୍ରମଣ ମଧ୍ୟ କରାଯାଉଛି । ଗୁରୁବାର ଶତୃ ରାଷ୍ଟ୍ର ଜମ୍ମୁର ବିମାନ ବନ୍ଦର ସମେତ ଏକାଧିକ ସ୍ଥାନକୁ ଟାର୍ଗେଟ କରିଥିଲା । ପରବର୍ତ୍ତୀ ସମୟରେ ଜମ୍ମୁ ବିମାନ ବନ୍ଦରରେ ସାଇରନ୍ ବାଜିବା ସହ ସମ୍ପୂର୍ଣ୍ଣ ସହରକୁ ବ୍ଲାକ ଆଉଟ୍ କରାଯାଇଥିଲା । ଏହାସହ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ।
ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ବି ହାଇଆଲର୍ଟରେ ରହିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଅପରେସନ ସ୍ୱାଭାବିକ ଥିବା ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ସେମିତି କିଛି ମାର୍ଗଦର୍ଶିକା ଆସିନଥିଲେ ବି ସୁରକ୍ଷା ଏସଓପି ମାନି କାମ କରାଯାଉଛି । କେନ୍ଦ୍ରରୁ କିଛି ମାର୍ଗଦର୍ଶିକା ଆସିନାହିଁ । ତଥାପି ଆମେ ସୁରକ୍ଷାର ଏସଓପି ମାନି କାମ କରୁଛୁ । ଯାତ୍ରୀ ଭୟଭୀତ ହୁଅନ୍ତୁ ନାହିଁ । ଠିକ ସମୟରେ ଠିକ ସୂଚନା ଦିଆଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି ।
ବିମାନବନ୍ଦରରେ ବ୍ୟାଗ୍ ଛନକା
ଭୁଲରେ ଛାଡ଼ି ଯାଇଥିଲେ ଯାଞ୍ଚ ପରେ ଫେରିପାଇଲେ
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ଶୁକ୍ରବାର ମଧ୍ୟହ୍ନ ସମୟରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିଥିଲା । ଯୁଦ୍ଧ ସ୍ଥିତିରେ କିଏ ଓ କାହିଁକି ବ୍ୟାଗଟିକୁ ବିମାନବନ୍ଦର ସମ୍ମୁଖରେ ଛାଡ଼ିଗଲେ ସେନେଇ ଛନକା ପଶିଥିଲା । ଏୟାରପୋର୍ଟ ଅଞ୍ଚଳରେ ବୋମା ନେଇ କିଛି ସମୟ ଲାଗି ଗୁଜବ ଖେଳିଯାଇଥିବାବେଳେ ଏନେଇ କିଛି ସମୟ ପାଇଁ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
ବିମାନବନ୍ଦର ସାମ୍ନାରେ ଏକ ଲଗେଜ ଟ୍ରଲିରେ ଥିବା ଏହି ବ୍ୟାଗକୁ ଡଗ୍ ଓ ବମ୍ ସ୍କ୍ୱାଡ୍ ଯାଞ୍ଚ କରିଥିଲା । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗକୁ ଜବତ କରାଯାଇଥିଲା । ତେବେ ବ୍ୟାଗ କେମିତି କେଉଁଠୁ ଆସିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ପରେ ଅପରାହ୍ନରେ ହାଇଦ୍ରାବାଦରୁ ଫେରିଥିବା ଜଣେ ମହିଳା ବ୍ୟାଗଟି ଛାଡ଼ି ଦେଇଯାଇଥିବା ସ୍ବିକାର କରିଥିଲେ। ଯାଞ୍ଚ ପରେ ପୋଲିସ୍ ମହିଳା ଜଣକଙ୍କୁ ତାଙ୍କ ବ୍ୟାଗ୍ ଫେରାଇଥିବାବେଳେ ବ୍ୟସ୍ଥତା ଲାଗି ବ୍ୟାଗ୍ ଛାଡ଼ିଦେଇଥିବା ମହିଳା ଜଣକ କହିଛନ୍ତି । ବ୍ୟାଗରେ ପିଲାଙ୍କ ସମାଗ୍ରୀ ଥିବା ସେ କହିଛନ୍ତି । ଏହି ଘଟଣା ପରେ ଭୁବନେଶ୍ୱର ବିମାନ ବନ୍ଦର ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡ଼ିଶାର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ସୁରକ୍ଷା ବାହିନୀ ନଜରରେ ରଖିଥିବାବେଳେ ଆଶ୍ୟକ ମୂତାବକ ସୁରକ୍ଷା ବଢ଼ାଯାଇଥିବା ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ।