ମହାପ୍ରଭୁଙ୍କ ଅପେକ୍ଷାରେ ତିନିରଥ

ଶୁକ୍ରବାର ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି୤ ରଥ, ପଥ, ଭକ୍ତ ସମସ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। ଗୁରୁବାର ଅପରାହ୍ନରେ ମହାପ୍ରଭୁଙ୍କଠାରୁ ତିନିରଥକୁ ଆଜ୍ଞାମାଳ ବିଜେ ହୋଇଛି୤ ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ସିଂହଦ୍ବାର ସମ୍ମୁଖକୁ ଅଣା ଯାଇଛି୤ ଏହା ଆଗରୁ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହା ପରେ ପ୍ରଥମେ ନନ୍ଦିଘୋଷ ରଥ ତା ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ବଜ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଛି ।

ଏବେ ସିଂହଦ୍ବାର ସମ୍ମୁଖରେ ତିନି ରଥ ପ୍ରସ୍ତୁତ। ଅପେକ୍ଷା କେତେବେଳେ ମହାପ୍ରଭୁ ଆସିବେ, ରଥରେ ବିଜେ କରିବେ୤ ଶୁକ୍ରବାର କାଳିଆ ଠାକୁର ଭାଇ ଓ ଭଉଣୀଙ୍କୁ ନେଇ ମାଉସୀଘର ଅଭିମୁଖେ ଯାତ୍ରା କରିବେ ।

ସ୍ନାନ ଯାତ୍ରା ପରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହୋଇ ଅନବସରରେ ଥିଲେ୤ ବୈଦ୍ୟଙ୍କ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗୁରୁବାର ଚତୁର୍ଦ୍ଧାମୂର୍ତ୍ତୀ ନବଯୌବନ ପ୍ରାପ୍ତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିପାଇଁ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଶୁକ୍ରବାର ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ଡ୍ରୋନ୍ ମଧ୍ୟମରେ ତଦାରଖ କରାଯାଉଛି । ଜଳ, ସ୍ଥଳ ଓ ଆକାଶରୁ ରଖାଯାଇଛି ତୀକ୍ଷ୍ଣ ନଜର । ତଟରକ୍ଷୀ ବାହିନୀ ପକ୍ଷରୁ ପଇନ୍ତରା କରୁଛି ହେଲିକପ୍ଟର ।  ଶୁକ୍ରବାର ସକାଳ ୯ଟା ବେଳେ ତିନିଠାକୁରଙ୍କ ପହଣ୍ଡି ବିଜେ ହେବ। ଦିନ ୧୨ଟା ସୁଦ୍ଧା ତିନିଠାକୁର ରଥାରୂଢ଼ ହେବା ପରେ ଦିନ ୨ଟାରେ ଗଜପତି ମହାରାଜ ଛେରାପହଁରା କରିବେ । ଏହାପରେ ଚାରମାଳ ଫିଟାଯିବ । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେବେ । ସନ୍ଧ୍ୟା ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି । ଆସନ୍ତା ମାସ ୫ ତାରିଖରେ ମହାପ୍ରଭୁ ମାଉସୀଘରେ ତାଙ୍କର ନବଦିନ ବ୍ୟାପୀ ଲୀଳାଖେଳା ସାରି ବାହୁଡ଼ିବେ । ୬ ତାରିଖରେ ରଥ ଉପରେ ସୁନାବେଶ, ୭ ତାରିଖରେ ଅଧରପଣା ଲାଗିବ ଏବଂ ୮ତାରିଖରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀକୁ ବିଜେ କରିବେ ।