ଚିଠିରେ ଝୁଲିଛି ଶସ୍ୟ ସହାୟକ ଦର ନିର୍ଦ୍ଧାରଣ ପ୍ରସ୍ତାବ ପ୍ରକ୍ରିୟା

ଚଳିତ ୨୦୨୫-୨୬ବର୍ଷ ଖରିଫ ଶସ୍ୟ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟକ ଦର ନିର୍ଦ୍ଧାରଣ କରାଯିବ । ମାର୍ଚ୍ଚ ମାସରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କ ମତାମତ ଲୋଡାଯାଇଥିଲା । ଏମିତିକି ୧୫ଦିନ ମଧ୍ୟରେ ରାଜ୍ୟ ସରକାର ତାଙ୍କର ସୁଚିନ୍ତିତ ମତାମତ ଦେବାକୁ କୁହାଯାଇଥିଲା। ହେଲେ ଇତିମଧ୍ୟରେ କେନ୍ଦ୍ର କୃଷି ସଚିବଙ୍କ ନିର୍ଦ୍ଦେଶକୁ ମାସେ ପୁରିଲାଣି ହେଲେ କୃଷି ବିଭାଗ ପକ୍ଷରୁ ମତାମତ ପଠାଯାଇ ପାରୁନାହିଁ।

କେନ୍ଦ୍ର କୃଷି ସଚିବଙ୍କ ନିଦେର୍ଶକୁ ନେଇ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗୀୟ ସ୍ୱତନ୍ତ୍ର ସଚିବ ଡି. କେ ପରିଡ଼ା ଜଳ ସମ୍ପଦ ବିଭାଗ ସହିତ ସମବାୟ, ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଦ୍ୟାନ କୃଷି, ଓୟୁଏଟି, ଓଇଆରସି, ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟିଠାରୁ ତ୍ୱରିତ ମତାମତ ଲୋଡି ଥିଲେ। ବିଭାଗ ପକ୍ଷରୁ ଏପ୍ରିଲ ୧୧ରେ ଅବଗତ କରାଯାଇଥିବାବେଳେ ଏପ୍ରିଲ ୨୫ ତାରିଖରେ ମଧ୍ୟ ପତ୍ର ଲେଖି ଏହାକୁ ଅତ୍ୟନ୍ତ ଜରୁରୀ(ଏକ୍ସଟ୍ରିମ୍ଲୀ ଅର୍‌ଜେଣ୍ଟ) ବୋଲି ପତ୍ରରେ ଦର୍ଶାଯାଇଥିଲା। ସେଥିରେ କେଉଁ ନିଦେର୍ଶାଳୟ କି ପ୍ରକାର ବିବରଣୀ ଦେବେ ତାହା ମଧ୍ୟ ଉଲ୍ଲେଖ ରହିଥିଲା। ହେଲେ ଏପର୍ଯ୍ୟନ୍ତ କେତେକ ନିଦେର୍ଶାଳୟ ପକ୍ଷରୁ ଏହି ଗୁରତ୍ୱପୂର୍ଣ୍ଣ ଚାଷୀ ପ୍ରସଙ୍ଗକୁ କେବଳ ପତ୍ରାଳାପରେ ସୀମିତ ରଖାଯାଇଥିବା ମନେ ହେଉଛି।

ସୂଚନାଯୋଗ୍ୟ ଯେ,କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଦେବେଶ ଚର୍ତୁବେଦୀ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ଚଳିତ ଖରିଫ ଲାଗି ଶସ୍ୟର ସହାୟକ ଦର ନୀତି ନିଦ୍ର୍ଧାରଣ କରାଯିବ। ଏଥିପାଇଁ ୧୫ଦିନ ମଧ୍ୟରେ ରାଜ୍ୟ ସରକାର ତାଙ୍କର ମତାମତ ନିଶ୍ଚିତ ପାଠାଇବା ଆବଶ୍ୟକ। ଯଦି ୧୫ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ମତାମତ ନଆସେ, ତେବେ କମିଶନ ଫର ଏଗ୍ରୀକଲଚର କଷ୍ଟସ ଆଣ୍ଡ ପ୍ରାଇସ୍‌(ସିଏସିପି) ସୁପାରିସ ସହ ରାଜ୍ୟ ସରକାର ସହମ୍ମତ ବୋଲି ଧରାଯିବ। ନଚେତ୍‌ କେନ୍ଦ୍ର ସରକାରଙ୍କ ପରବର୍ତ୍ତି ନିଷ୍ପତ୍ତି ସମୟରେ ରିପୋର୍ଟ ଗ୍ରହଣ କରାଯିବ। ଭାରତ ସରକାରଙ୍କ ପକ୍ଷରୁ ଯେପର୍ଯ୍ୟନ୍ତ ଖରିଫ ଶସ୍ୟର ବଜାର ଦର ସମ୍ପର୍କରେ ସିଏସିପି ରିପୋର୍ଟ ପ୍ରକାଶ ପାଇନାହିଁ ସେପର୍ଯ୍ୟନ୍ତ ଏହି ତଥ୍ୟକୁ ଲୁକ୍କାୟିତ ରଖିବାକୁ ସଚିବ ଦେବେଶ ଦର୍ଶାଇଥିଲେ ।