ଘାସିରାମ ମାଝୀ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ 

ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ପ୍ରାର୍ଥୀ ଘୋଷଣା ରେସରେ କଂଗ୍ରେସ ଆଗରେ । ପୂର୍ବ ନିଷ୍ପତ୍ତି ଅନୁସାରେ ଦଳ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଏଆଇସିସି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ ଘାସୀରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ପଠାଯାଇଥିବା ଘାସିରାମଙ୍କ ନାମକୁ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଛନ୍ତି।

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ତାରିଖ ଘୋଷଣା ପରଠାରୁ ବିଭିନ୍ନ ଦଳର ଆଶାୟୀ ପ୍ରର୍ଥୀ ସକ୍ରିୟ ଭାବେ ଦକ୍ଷତା ପ୍ରଦର୍ଶନ କରୁଛନ୍ତି । ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ତେବେ ପ୍ରଥମ ଦଳ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା କରି ଏହି ରେସରେ ଆଗରେ ରହିଛି । ଘାସୀରାମ ମାଝୀଙ୍କୁ ମଇଦାନକୁ ଓଲ୍ହାଇ ଦଳ ସ୍ପଷ୍ଟ ସଙ୍କେତ ଦେଇଛି ।

ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି।

୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଥିଲେ । ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ଥିବା ନେଇ ପିସିସି ସଭାପତି ଆକଳନ କରିଆସୁଥିଲେ। ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆହୁରି ମଧ୍ୟ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି। ପ୍ରଥମ ଦିନର ରାଲିରେ କର୍ମୀମାନେ ଉତ୍ସାହିତ ଦେଖାଯାଇଥିଲେ।

ସରକାରରେ ଥିବାରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କର ନଜର ରହିଛି । ଚର୍ଚ୍ଚା ଆଲୋଚନା ଭିତରେ ବିଜେପିର ଓଡ଼ିଶା ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ପ୍ରାର୍ଥୀ ଚୟନରେ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ତେଣୁ ପୁରୁଣା, ନୂଆ ନା ସରପ୍ରାଇଜ ମୁହଁ ସାମ୍ନାକୁ ଆଣିବ ଦଳ ତାହା ଏବେ ସବୁଠୁ ବଡ଼ ସସପେନ୍ସ । ତେବେ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ବିଜେପି ଦଳୀୟ ପ୍ରକ୍ରିୟାରେ ପ୍ରାର୍ଥୀ ଘୋଷଣା କରିବ । କଂଗ୍ରେସ ଓ ବିଜେଡ଼ିର ନିଷ୍ପତି ସହ ବିଜେପିର କିଛି ଯାଏ ଆସ ନାହିଁ । ରାଜନୀତିରେ ଗଣିତ କେତେବେଳେ କଣ ହେବ କିଛି କହି ହେବ ନାହିଁ । କଂଗ୍ରେସ ଯଦି ଭାବୁଛି ଗତ ଥର ସ୍ଵାଧୀନ ଓ ଦଳୀୟ ପ୍ରାର୍ଥୀଙ୍କ ଭୋଟ ମିଶାଇ ଜିତି ଯିବ, ସେମିତି ହୁଏ ନାହିଁ । ଏକ ଯୁକ୍ତ ଏକ ଶୁନ ମଧ୍ୟ ହୋଇ ଯାଇପାରେ । ତେଣୁ ଗତ ଥର ସ୍ଵାଧୀନ ପ୍ରାର୍ଥୀ କେଉଁ ପରିସ୍ଥିତିରେ ସେତିକି ଭୋଟ ପାଇଥିଲେ, ସେ ସମୀକରଣ ଏବେ ରହିବ ନାହିଁ । ବହୁତ କମିଯିବ । କଂଗ୍ରେସ ଭୋଟ ବି ବଢିବ ନାହିଁ । କାରଣ ଡବଲ ଇଞ୍ଜିନ ସରକାର ଉପରେ ଲୋକ ବିଶ୍ୱାସ କରିବେ ଏବଂ ବିଜେପି ପ୍ରାର୍ଥୀଙ୍କୁ ହିଁ ଜିତାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି