ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ବିରୋଧୀ ସରକାରଙ୍କୁ ଘେରିଲେ

ରାଜ୍ୟ ସରକାରଙ୍କ ବଜେଟ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ରାଜ୍ୟର ବିକାଶ କିଭଳି ହେବ ବୋଲି କହି ବିଜେଡି ଓ କଂଗ୍ରେସ ସୋମବାର ପ୍ରଶ୍ନକାଳରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଇନମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ ଏହାର ଉତ୍ତର ରଖି କହିଥିଲେ ଯେ, ଚଳିତବର୍ଷ ବର୍ଷାଯୋଗୁଁ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ଟିକିଏ ଧୀମେଇଛି। ହେଲେ ମାର୍ଚ୍ଚ ସୁଦ୍ଧା ଏହା ୧୦୦% ହେବ। ସୋମବାର ବିଧାନସଭାର ପ୍ରଶ୍ନକାଳରେ ମୂଳପ୍ରଶ୍ନକର୍ତ୍ତା ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ, ସରକାରଙ୍କ ଅଧିକାଂଶ ବିଭାଗ ଏପର୍ଯ୍ୟନ୍ତ ଧାର୍ଯ୍ୟ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି। କେଉଁ ବିଭାଗ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ତାଲିକା ପ୍ରତାପ ଲୋଡ଼ିଥିଲେ। ଏହାକୁ ନେଇ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଅକ୍ଟୋବର ଶେଷ ସୁଦ୍ଧା ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ମୋଟ ବଜେଟର ୩୯ ପ୍ରତିଶତ। ସେ କହିଥିଲେ ଯେ, ଗତବର୍ଷ ତୁଳନାରେ ଚଳିତ ଆଥିର୍କବର୍ଷ ଅକ୍ଟୋବର ସୁଦ୍ଧା ଅଧିକ ଖର୍ଚ୍ଚ ହୋଇଛି। ଗତବର୍ଷ ଅକ୍ଟୋବର ସୁଦ୍ଧା ୩୬ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ଚଳିତ ବର୍ଷ ୩୯ ପ୍ରତିଶତ ହୋଇଛି। କାର୍ଯ୍ୟକ୍ରମ ବ୍ୟୟ ଗତବର୍ଷ ୩୨ ପ୍ରତିଶତ ହୋଇଥିବା ବେଳେ ଏଥର ୩୬ ପ୍ରତିଶତ ହୋଇଛି। ଖାଦ୍ୟ ଯୋଗାଣ ଭଳି ବିଭାଗରେ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଏହି ଅବସରରେ ପ୍ରତାପ ଦେବ ପ୍ରଶ୍ନ କରିଥିଲେ କି ଡବଲ ଇଞ୍ଜିନ ସରକାର କାମ କରୁଛି ନା ନାହିଁ। ମହିଳା ଓ ଶିଶୁ ବିକାଶ ବିଭାଗ,ସ୍କୁଲ ଓ ଗଣଶିକ୍ଷା ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ଶକ୍ତି, ପୂର୍ତ୍ତ, ଜଳସମ୍ପଦ ପରି ବିଭାଗର ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ରହିଛି। କେନ୍ଦ୍ରୀୟ ଅନୁଦାନ ୪୧ ପ୍ରତିଶତ ଆଣିବାକୁ ଲକ୍ଷ ଥିଲା କିନ୍ତୁ ମାତ୍ର ୧୮ ପ୍ରତିଶତ ଅନୁଦାନ ମିଳିଛି। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପୂର୍ତ୍ତମନ୍ତ୍ରୀଙ୍କ ଭାଲୁ ଧରାଇଦେଇଛନ୍ତି । ବର୍ଷା ଯୋଗୁଁ ଖର୍ଚ୍ଚ ଅଟକିବା ଯଦି ଠିକ୍ କଥା ତେବେ ରାଜସ୍ୱ କେଉଁଭଳି ଭାବେ ବଢ଼ିଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଆଲୋଚନା ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ, ବଜେଟ ବଢିଛି କିନ୍ତୁ ଖର୍ଚ୍ଚ କମ୍ ହୋଇଛି। ସରକାରଙ୍କ ଆନ୍ତରିକତା ନାହିଁ। ଗତ ୬- ୭ ମାସରେ ଯଦି ଖଚ୍ର୍ଚ ହୋଇ ପାରିଲା ନାହିଁ, ଆଉ ୩ ମାସରେ କିପରି ଖର୍ଚ୍ଚ ହେବ ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କ୍ୟାପିଟାଲ ଏକ୍ସପେଣ୍ଡଚରର ପୂଣ୍ଣାଙ୍ଗ ତଥ୍ୟ ଲୋଡିଥିଲେ। ସନାତନ ବିଜୁଳି ବିକଶିତ ଗାଁ, ବିକଶିତ ଓଡ଼ିଶାର ଗୁରୁତ୍ୱ ନେଇ ଗୃହକୁ ଜଣାଇଥିଲେ। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି,ଅତ୍ୟଧିକ ବର୍ଷା କାରଣରୁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ କମ୍ ରହିଥିଲା। ଏହା ସତ୍ବେ ମାର୍ଚ୍ଚ ମାସ ସୁଦ୍ଧା ଶତ ପ୍ରତିଶତ ଖର୍ଚ୍ଚ ହେବ । ବିକଶିତ ଗାଁ ବିକଶିତ ଓଡ଼ିଶା ଗାଇଡ ଲାଇନରେ ଟିକେ ପରିବର୍ତ୍ତନ ହୋଇଛି। କେନ୍ଦ୍ରୀୟ ଅନୁଦାନ ବର୍ତ୍ତମାନ ସୁଦ୍ଧା ୪୨ହଜାର ୪୨୦କୋଟିରୁ ଅଧିକ ରହିଛି। ଅର୍ଥାତ ୪୧ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ରାଜ୍ୟ ପାଇ ସାରିଛ। କେନ୍ଦ୍ରୀୟ ଅନୁଦାନକୁ ନେଇ ବିରୋଧୀ କୌଣସି ଦ୍ୱନ୍ଦ୍ୱରେ ରହିବାର ନାହିଁ ବୋଲି ମନ୍ତ୍ରୀ କହିଥିଲେ।