କାଲିଠୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଘୋଷଣା କରିଛନ୍ତି ଯେ ସେମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବେ। ଏହି ସୂଚନା କଂଗ୍ରେସ ବିଧାୟକ ଦଳର ବୈଠକ ପରେ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ବିଜୁ ଜନତା ଦଳ (ବିଜେଡି) ମଧ୍ୟ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କଠୋର ଭାବେ ଘେରିବ।
ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ସାଢ଼େ ତିନି ମାସରେ ରାଜ୍ୟ ସରକାରଙ୍କର ଅପାରଗତା ଓ ଉଦାସୀନତା ସ୍ପଷ୍ଟ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି, ଆଇନ ଶୃଙ୍ଖଳା ଭୁସୁଡ଼ିଛି ଏବଂ ସାର ଅଭାବ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି। ପଞ୍ଚାୟତି ରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କୁ ଅପ୍ରାସଙ୍ଗିକ କରି ଅଫିସରମାନଙ୍କ କ୍ଷମତା ବୃଦ୍ଧି ନୀତିକୁ ବିଜେଡି ଦୃଢ଼ ବିରୋଧ କରିବ। ଏହା ସହିତ ଜଗନ୍ନାଥ ରଥଯାତ୍ରାରେ ବିଶୃଙ୍ଖଳା ପାଇଁ ମଧ୍ୟ ସରକାରଙ୍କୁ ଜବାବଦିହି କରାଯିବ। ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ସରକାର ମିଛ ପ୍ରଚାର ବ୍ୟତୀତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି। ବିଜେଡି ବିଧାନସଭାରେ ଏ ସବୁ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଚାଷୀ, ମହିଳା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସଂଘର୍ଷ କରିବ। ବୈଠକରେ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନା କରିଥିବା ବେଳେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।