ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଲିଖିତ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂତ୍ତିକୁ ନେଇ ମଙ୍ଗଳବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ଏକ ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପ ଅନୁଯାୟୀ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପୀ ପାଳନ କରାଯିବ। ଏ ସମ୍ପର୍କିତ ସଂକଳ୍ପକୁ ଗୃହରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ସଂକଳ୍ପ ଅନୁମୋଦନ ପାଇବା ପରେ ଗୃହରେ ବନ୍ଦେ ମାତରମ ଗୀତ ପରିବେଷଣ ହୋଇଥିଲା। ତେବେ ଭାରତର ସମ୍ବିଧାନ ସଭା ବନ୍ଦେ ମାତରମ ସମ୍ପୂର୍ଣ୍ଣ ଗୀତରୁ ମାତ୍ର ୨ଟି ପଦକୁ ଅନୁମୋଦନ ଦେଇଥିବାରୁ ଏହାର ପୂର୍ଣ୍ଣାଙ୍ଗ ବାଦନକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ନାପସନ୍ଦ କରିବା ସହ କକ୍ଷତ୍ୟାଗ କରିଥିଲେ। ବନ୍ଦେ ମାତରମ-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା। ସମସ୍ତ ମାନବତା ପାଇଁ ଏହା ଏକ ମନ୍ତ୍ର। ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡିତ। ଆସନ୍ତା ହଜାର ହଜାର ବର୍ଷ ଧରି ଏହା ଭାରତର ଆତ୍ମା, ସ୍ପନ୍ଦନକୁ ଜାଗ୍ରତ କରୁଥିବ ବୋଲି ମତ ପ୍ରକାଶ ପାଇଥିଲା । ସଂକଳ୍ପକୁ ଆଗତ କରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ବନ୍ଦେ ମାତରମ କେବଳ ଏକ ଗୀତ ନୁହେଁ। ଏହା ଏକ ସାମୂହିକ ସ୍ମୃତି ଓ ସାଂସ୍କୃତିକ ଶକ୍ତି। ସ୍ୱାଧୀନତାର ମନ୍ତ୍ରପାଠ କରି ମହର୍ଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବିରଚିତ ଏହି ଗୀତ ଥିଲା ରାଷ୍ଟ୍ରୀୟତାର ଅଭିବ୍ୟକ୍ତି। ଏହାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ମନପ୍ରାଣ ଦେଇ ସେହି ଅମର, ଅଜର ଓ ଅମ୍ଳାନ ଗୀତକୁ ବାରମ୍ବାର ସ୍ମରଣ କରିବା ପୂର୍ବକ ଭାରତୀୟତାର ଜୟଗାନ କରିବା ବୋଲି ସେ କହିଥିଲେ। ଏହାପରେ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ମନ୍ତ୍ରୀ ଯେଉଁ ଐତିହାସିକ ପ୍ରସ୍ତାବ ଆଗତ କଲେ, ମୁଁ ତାକୁ ସମର୍ଥନ କରୁଛି। ୧୫୦ ବର୍ଷ ତଳେ ଏହି ଗୀତ ସମସ୍ତ ଦେଶକୁ ସ୍ୱାଧୀନତାର ମନ୍ତ୍ରରେ ଉଦବୁଧ କରିଥିଲା। ଆଗାମୀ ହଜାର ହଜାର ବର୍ଷ ର୍ପ୍ୟନ୍ତ ଏହା ଦେଶଖୁ ଉଦବୁଧ କରୁଥିବ। ବନ୍ଦେ ମାତରମ ଭାରତର ଆତ୍ମା, ଭାରତର ପ୍ରାଣ। ୧୯୦୫ ମସିହାରେ ବନ୍ଦେ ମାତରମର ଅନୁବାଦ ହୋଇଥିଲା। ୧୯୦୫ ମସିହାରେ ବଙ୍ଗ ଭଙ୍ଗ ବିରୋଧରେ ସାରା ଦେଶରେ ଆନ୍ଦୋଳନ ହେଉଥିବା ବେଳେ ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋର ବନ୍ଦେ ମାତରମ ନାରା ଦେଇଥିଲେ। ବହୁ ସ୍ୱାଧୀନତା ସଂଗ୍ରାମୀ ହସି ହସି ବନ୍ଦେ ମାତରମ ନାରା ଦେଇ ଫାଶୀ ଖୁଣ୍ଟକୁ ଚଢ଼ିଥିଲେ। ସ୍ୱାଧୀନ ଭାରତରେ ରେଡିଓରେ ବନ୍ଦେ ମାତରମ ଗୀତ ପ୍ରଥମେ ବାଜିଥିଲା। ଏହା ବିଭାଜନର ଗୀତ ନୁହେଁ, ଏହା ଯୋଡ଼ିବାର ଗୀତ। ତେଣୁ ବନ୍ଦେ ମାତରମକୁ ନେଇ କୌଣସି ବିଭେଦ ସୃଷ୍ଟି କରାନଯାଉ। ସମ୍ବିଧାନ ସଭାରେ ରବିନ୍ଦ୍ର ନାଥ ଟାଗୋର, ମୌଲାନା ଆବୁଲ କାଲାମ ଆଜାଦ, ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ କ୍ରିପାଲିନି, ଜବାହାରଲାଲ ନେହରୁ, ଶ୍ୟାମାପ୍ରସାଦ ମୁଖାର୍ଜୀ, ବିଆର ଆମ୍ବେଦକର ପ୍ରମୁଖ ଏହି ଗୀତର ପ୍ରଥମ ଦୁଇଟି ପଂକ୍ତିକୁ ଅନୁମୋଦନ ଦେଇଥିଲେ। ସମ୍ବିଧାନ ଯାହା ନିର୍ଦ୍ଦେଶ ଦେଇଛି, ତାହାକୁ ଆମକୁ ମାନିବାକୁ ପଡ଼ିବ ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ ଯେ, ଏହି ଗୀତ ଭାରତବର୍ଷର ଆତ୍ମା। ଏହା ବାରତର ଜନମାନସର ଗୀତ। ତେବେ ବିଜେପି ସରକାରଙ୍କ ଅଦେଶ ଆଗରେ ଯେତେବେଳେ ବି କୌଣସି ଗମ୍ଭୀର ପରିସ୍ଥିତି ଉପୁଜେ, ମୋଦୀ-ଶାହା ଯୋଡ଼ି ସେଥିରୁ ଧ୍ୟାନ ହଟାଇବା ପାଇଁ ଉଗ୍ର ଜାତୀୟତାବାଦର ଖେଳ ଆରମ୍ଭ କରନ୍ତି। ଭାରତୀୟତାର ପବିତ୍ର ମନ୍ତ୍ର ବନ୍ଦେ ମାତରମକୁ ନେଇ ବିଜେପି ସେମିତି ଏକ ଖେଳ ଆରମ୍ଭ କରିଛି। ଲୋକସଭାରେ ୧୦ ଘଣ୍ଟିଆ ବିତର୍କ କରି ଦେଶ୍ର ଗୌରବମୟ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ପୁଣିଥରେ କଦର୍ଥ କରିବାକୁ ବିଜେପି ଚେଷ୍ଟା କରୁଛି। ଆଗକୁ ପଶ୍ଚିମମବଙ୍ଗ ନିର୍ବାଚନ ଥିବାବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଉଦ୍ୟମ କରୁଛି। ୧୫୦ ତମ ପାଳନ କରିବା ସ୍ୱାଗତ ଯୋଗ୍ୟ। ତେବେ ବିଜେପି କାହିଁକି ଏନେଇ ବିତର୍କ ସୃଷ୍ଟି କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିବା ପରେ ସର୍ବସମ୍ମତ କ୍ରମେ ସଂକଳ୍ପ ଗୃହୀତ ହୋଇଥିଲା। ତେବେ ଗୃହରେ ବନ୍ଦେ ମାତରମର ପୂର୍ଣ୍ଣାଙ୍ଗ ଗୀତ ଅର୍ଥାତ୍ ସମସ୍ତ ପଦ ବାଜିବାକୁ ନେଇ ବିବାଦ ଦେଖାଯାଇଥିଲା। ଗୀତର ୨ଟି ପଦ ବାଜିବା ପରେ ଉଭୟ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ। ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ବନ୍ଦେ ମାତରମ ଆମ ହୃଦୟ ଓ ପ୍ରାଣର ଗୀତ। ତେବେ ସମ୍ବିଧାନ ଯାହା ସ୍ୱୀକୃତି ଦେଇଛି, ତାହାକୁ ଆମେ ଗ୍ରହଣ କରିବୁ। ସେତିକି ଆମେ ଗାନ କରିବୁ। ସେଥିପାଇଁ ଆମେ ୨ଟି ପଂକ୍ତି ପରେ କକ୍ଷତ୍ୟାଗ କରିଥିଲୁ ବୋଲି ସେ କହିଥିଲେ ।
ବନ୍ଦେ ମାତରମର ୧୫୦ ବର୍ଷ ପୂତ୍ତି, ବିଧାନସଭାରେ ସଂକଳ୍ପ ଗୃହୀତ
