କ୍ୟାବିନେଟ ବୈଠକରେ ୪ ବିଭାଗର ୫ପ୍ରସ୍ତାବକୁ ମଞ୍ଜୁରୀ : ଜିଏସଟି ଆଇନରେ ସଂଶୋଧନ

ବାଲି ଖନନ, ଇଟାଭାଟି ଓ ପାନମସଲା ଆଦି କ୍ଷେତ୍ରରେ ରାଜସ୍ୱ ହାନିକୁ ରୋକିବା ନିମନ୍ତେ ଏଣିକି ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ବ୍ୟବସ୍ଥାକୁ ଉପଯୋଗ କରି ଜୋରିମାନା ଆଦାୟ କରାଯିବ । ଏଥିପାଇଁ ଜିଏସଟି ଆଇନ-୨୦୧୭ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪ବିଭାଗର ମୋଟ ୫ପ୍ରସ୍ତାବ ଆଲୋଚନା ପରେ ଅନୁମୋଦିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତିଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି ।

ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ-୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଟିକସ ଦାତା ଓ ଟିକସ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ସହ ସୁବିଧା କରାଯାଇଛି । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ମଧ୍ୟରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇବା କ୍ଷେତ୍ରରେ “ପ୍ଲାଂଟ ଏବଂ ମେସିନାରୀ’ ଓ “ପ୍ଲାଂଟ କିମ୍ବା ମେସିନାରୀ’ ମଧ୍ୟରେ ଅସ୍ପଷ୍ଟତାକୁ ଦୂର କରାଯାଇଛି । ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ କରିବାରେ ଅଧିକ ସୁବିଧା ପ୍ରଦାନ, ଟିକସ ଫାଙ୍କି ରୋକିବା ପାଇଁ କ୍ରେଡିଟ୍ ନୋଟ୍ ଗ୍ରହୀତାଙ୍କୁ ଆନୁପାତି ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ରିଭର୍ସ କରିବା ଜରୁରୀ କରାଯାଇଛି ।ସେହିପରି ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ରୋକିବା ପାଇଁ “ଟ୍ରାକ ଆଣ୍ଡ ଟ୍ରେସ’ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥା ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଜୋରିମାନା(ଯାହା ଅଧିକ ହେବ) ଦେବାକୁ ପଡ଼ିବ । ସେହିପରି “ସ୍ଥାନୀୟ ପାଣ୍ଠ’ ଓ “ମ୍ୟୁନିସିପାଲ ପାଣ୍ଠି’ର ଶବ୍ଦଗୁଡ଼ିକରେ ସ୍ପଷ୍ଟତା ଅଣାଯାଇଛି । ଭାଉଚର ସମ୍ବନ୍ଧୀୟ ଦେଣନେଣର ସମୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇବା ଏବଂ କେବଳ ଜୋରିମାନା ସମ୍ବନ୍ଧୀୟ ଆଦେଶ ବିରୋଧରେ ଅପିଲ କରିବାକୁ ଜୋରିମାନା ରାଶିର ୧୦% ଆଗୁଆ ଜମା କରିବା ଜରୁରୀ ହୋଇଛି