ମିଲର୍ସ ଅନ୍ଦୋଳନ, ଧାନ କିଣା ଠପ୍

ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ମିଲର୍ସ ଆନ୍ଦୋଳନ ତୀବ୍ର ହୋଇଛି। ବକେୟା ପ୍ରାପ୍ୟ ପ୍ରଦାନ, ଧାନ ପରିବହନ ମୂଲ୍ୟ ବୃଦ୍ଧି ଭଳି ଦାବି ନେଇ ମିଲର୍ସମାନେ ନିଜ ଜିଦରେ ଅଡି ବସିଛନ୍ତି୤ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠାଣ ପୂର୍ବବତ୍ ବନ୍ଦ କରି ରଖିବୁ ବୋଲି ସୋମବାର ଅଲ ଓଡ଼ିଶା ମିଲର୍ସ ଆସୋସିଏସନ୍ ଘୋଷଣା କରିଛି୤ ସୋମବାର ଯୋଗାଣ ନିଗମ ଏମଡିଙ୍କ ସହ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ମିଲର୍ସମାନେ ଆଲୋଚନା କରିଥିଲେ। ଏହି ଆଲୋଚନାରୁ କୌଣସି ନିଷ୍କର୍ସ ନବାହାରିବାରୁ ସେମାନେ ଆନ୍ଦୋଳନ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି।
ମିଲର୍ସ ସଂଘର ସଭାପତି ମହେଶ ବଂଶଲ ଓ ସାଧାରଣ ସମ୍ପାଦକ କହିଛନ୍ତି ଯେ, ସେମାନଙ୍କର ଦାବି ପୂରଣ ପାଇଁ ବିଭାଗର ମନ୍ତ୍ରୀଙ୍କ ସହ ପୂର୍ବରୁ ଆଲୋଚନା ହୋଇଥିଲା। ଦାବି ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏ ସମ୍ପର୍କରେ ପୁଣି ରାଜ୍ୟ ଯୋଗାଣ ନିଗମର ଏମଡିଙ୍କ ସହ ଆଲୋଚନା କରିବା ପାଇଁ ଆସିଥିଲେ୤ କିନ୍ତୁ ଦାବି ପୂରଣ ପାଇଁ ଆହୁରି ସମୟ ଲାଗିବ ବୋଲି ବିଭାଗ ପକ୍ଷରୁ ତାଙ୍କୁ କୁହାଯାଇଛି।

ସରକାରଙ୍କ ଉପରେ ଭରସା ନାହିଁ୤ ତେଣୁ ଦାବି କେବେ ପୂରଣ ହେବ ତାହା ଲିଖିତ ଭାବେ ଦେବାକୁ ସେମାନେ ଦାବି କରୁଥିବା ସୂଚନା ଦେଇଛନ୍ତି୤ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ମିଲର୍ସମାନଙ୍କର ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଦୁଇ ବର୍ଷ ହେଲା ବକେୟା ଥିବା ଧାନର ସଂରକ୍ଷକ ଦେୟ ତୁରନ୍ତ ପ୍ରଦାନ, ୪୦ କିମିରୁ ଅଧିକ ଦୂରତାରୁ ଧାନ ପରିବହନ ଦେୟ ବୃଦ୍ଧି ଭଳି କିଛି ପ୍ରମୁଖ ଦାବି ନେଇ ବର୍ଷେ ହେଲା ମିଲର୍ସମାନେ ଆନ୍ଦୋଳନ କରି ଆସୁଛନ୍ତି୤ ମିଲର୍ସ ମାନଙ୍କ ଅସହଯୋଗ ହେତୁ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ କ୍ରମାଗତ ଭାବେ ଧାନ କିଣାରେ ବିଭ୍ରାଟ ଲାଗି ରହିଥିବା ବେଳେ ଦୀର୍ଘ ଦିନର ଦାବି ପୂରଣ ଜିଦରେ ମିଲର୍ସମାନେ ଅଡ଼ି ବସିବା ସ୍ଥିତିକୁ ଜଟିଳ କରୁଛି। ଧାନ କଟନୀ ଛଟନୀ ନେଇ ମିଲର୍ସମାନଙ୍କ ବିରୋଧରେ ଅଭିଯୋଗ ଲାଗି ରହିଥିବା ବେଳେ ଏବେ ସେମାନେ ନିଜ ପ୍ରାପ୍ୟ ପାଇଁ ଆନ୍ଦୋଳନ ଚଳାଇଛନ୍ତି। ପୂର୍ବରୁ ସମାନ ଦାବି ନେଇ ମିଲର୍ସମାନେ ଅସହଯୋଗ ଆନ୍ଦୋଳନ କରିଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପରେ ଧାନ ଉଠାଇଥିଲେ। କିନ୍ତୁ ଏବେ ପୁଣି ଥରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
୨୦୨୩-୨୦୨୪ ଆର୍ଥିକ ବର୍ଷ ସହ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ରକ୍ଷଣାବେକ୍ଷଣ, ପରିବହନ ବାବଦରେ ମିଲର ମାନଙ୍କର ୩୫୦ କୋଟି ଟଙ୍କା ସରକାରଙ୍କ ପାଖରେ ବକେୟା ରହିଛି୤ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଆମେ ମିଲିଂ କରିବାକୁ ରାଜି, ସରକାର ଧାନ ସଂଗ୍ରହ ସହ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ବୁଝିବା ଦରକାର।