ପୁରୀକୁ ଛାଡି ସବୁ ଜିଲ୍ଲାରେ ଓଏଏସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର କାର୍ଯ୍ୟାଳୟ ପରିସର ଭିତରେ ଘୋଷାରି ଆକ୍ରମଣ କରିବା ଘଟଣା ଏବେ ଉଗ୍ରରୂପ ନେଇଛି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପି ଓଏଏସ୍‌ ସଂଘ ସମୂହ ଆନ୍ଦୋଳନକୁ ବାହାରିଛି। ଜିଲ୍ଲାସ୍ତରରେ ଏଡିଏମଙ୍କ ଅଧ୍ୟକ୍ଷତାରେ ଏହି ଘଟଣାକୁ ନେଇ ପୃଥକ ଭାବେ ନିନ୍ଦା କରାଯିବା ସହିତ କଲମଛାଡ ଆନ୍ଦୋଳନ ପାଇଁ ସଂକଳ୍ପ ପ୍ରକାଶ ପାଇଛି। ଏହାସହିତ ପ୍ରତ୍ୟେକ ଜିଲ୍ଲା ଓଏଏସ୍‌ ସଂଘ ପକ୍ଷରୁ ଜିଲାପାଳ ଏବଂ ଆରଡିସିଙ୍କୁ ଏସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗୋଟିଏ ପଟେ ଓଏଏସ୍‌ ସଂଘର ଏହି ଆନ୍ଦୋଳନ ଜିଲ୍ଲାସ୍ତରରେ ତୀବ୍ର ହେଉଥିବାବେଳେ ରାଜ୍ୟସ୍ତରରେ ସଂଘ ପକ୍ଷରୁ ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି । ଅପରାହ୍ନ ପ୍ରାୟ ୩ଟାବେଳେ ଲୋକସେବା ଭବନର ମୁଖ୍ୟଫାଟକଠାରେ ସମସ୍ତ ଓଏଏସ୍‌ ଅଧିକାରୀ ଏକତ୍ରିତ ହୋଇ ସରକାରଙ୍କଠାରେ ମୁଖ୍ୟ ଆସାମୀଙ୍କ ଗିରଫ ଦାବି କରିଛନ୍ତି। ସଂଘ ପକ୍ଷରୁ ସରକାରଙ୍କୁ ୨୪ଘଣ୍ଟିଆ ମହଲତ ଦିଆଯାଇଛି । ଯଦି ବୁଧବାର ସୁଦ୍ଧା ମୁଖ୍ୟ ଦୋଷୀ ଗିରଫ ନହୁଅନ୍ତି ତେବେ ସଂଘ ପକ୍ଷରୁ ସମୂହ ଛୁଟି ତଥା କଲମ ଛାଡ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣାକୁ ନେଇ କେବଳ ପୁରୀ ବ୍ୟତୀତ ଅନ୍ୟ ପ୍ରାୟ  ସମସ୍ତ ଜିଲ୍ଲାରେ ଅଧିକାରୀମାନେ ସମୂହ ଛୁଟି ତଥା ଏକପ୍ରକାର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ସେହିପରି ବିଏମସି କାର୍ଯ୍ୟାଳୟରେ ମଙ୍ଗଳବାର କର୍ମଚାରୀମାନେ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ କର୍ମଚାରୀମାନେ ଜିଦରେ ଅଟଳ ରହିଛନ୍ତି।

ଓଏଏସ ସଂଘର ବୈଠକରେ ନିଷ୍ପତ୍ତି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଓଏଏସ ସଂଘ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ମଙ୍ଗଳବାର ଲୋକସେବାଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସଭାକକ୍ଷରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।  ଏହି ପ୍ରସଙ୍ଗରେ ଦିନ ତମାମ ଓଏଏସ୍‌ ସଂଘ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେବା ସହିତ ସରକାରଙ୍କୁ ୨୪ଘଣ୍ଟିଆ ମହଲତ ଦିଆଯାଇଛି। ଆସନ୍ତା ବୁଧବାର ସୁଦ୍ଧା ଯଦି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସଂଘ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ସରକାରଙ୍କୁ ୨୪ଘଣ୍ଟିଆ ମହଲତ, ଠୋସ୍‌ ପଦକ୍ଷେପ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ : ସଂଘର ସଭାପତି

ଏନେଇ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, ସୋମବାର ରାତି ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସଂଘକୁ ୩ଦିନ ମଧ୍ୟରେ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ହେଲେ ମଙ୍ଗଳବାର ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମହିଳାଙ୍କୁ ଲଗାଇ ମିଥ୍ୟା ମାମଲା ରୁଜୁ କରାଯାଇଛି। ଏହାଦ୍ୱାରା ଅତିରିକ୍ତ କମିଶନରଙ୍କ ମନୋବଳ ଭାଙ୍ଗିବା ସହିତ ଓଏଏସ୍‌ ଅଧିକାରୀମାନେ ହତୋତ୍ସାହିତ ହୋଇପଡିଛନ୍ତି। ତେଣୁ ସଂଘ ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହିତ ତୁରନ୍ତ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଯଦି ୨୪ଘଣ୍ଟା ମଧ୍ୟରେ ସରକାରଙ୍କ ପକ୍ଷରୁ ଏନେଇ ଠୋସ୍‌ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସଂଘ ପୂର୍ବରୁ ଦେଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଜ୍ୟୋତି ରଞ୍ଜନ କହିଛନ୍ତି।