ଓଡ଼ିଶାରେ ଆସନ୍ତା ୨୦୨୬ ଏପ୍ରିଲରେ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବା ବେଳେ ଏହି ଆସନଗୁଡ଼ିକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଗଣିତ କଷାକଷି ଆରମ୍ଭ ହୋଇଗଲାଣି। ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନ (ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଏକାସଙ୍ଗେ ଶେଷ ହେବ। ଏହି ନିର୍ବାଚନ ବହୁ ରୋଚକ ହେବ ବୋଲି ଏବେଠାରୁ ଚର୍ଚ୍ଚା ହେଉଛି। ବିଶେଷକରି ବିଜେପି ଶିବିରରେ ଉପନିର୍ବାଚନ ସାର୍ଟିଫିକେଟ ପରେ ଉତ୍ସାହ ଦେଖାଦେଇଛି, ଯେଉଁଥିରେ ମନମୋହନ ସାମଲ ଏବଂ ବସନ୍ତ ପଣ୍ଡାଙ୍କ ନାମ ସର୍ବାଗ୍ରେ ରହିଛି। ଅନ୍ୟପକ୍ଷରେ ସୁଜିତ କୁମାର ଓ ମମତା ମହାନ୍ତଙ୍କ ରିପିଟ୍ ହେବା ନେଇ ସଂଶୟ ରହିଛି। ଯେତେବେଳେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସ୍ଥିତି ରୋଚକ ହେବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ । ରାଜ୍ୟସଭା ପୁରସ୍କାରକୁ ନେଇ ରାଜ୍ୟ ବିଜେପି ଶିବିରରେ ଜୋରଦାର ଚର୍ଚ୍ଚା ହେଉଛି । ଦଳର ରାଜ୍ୟସଭାପତି ମନମୋହନ ସାମଲଙ୍କ ପାଇଁ ୨୦୨୪ ନିର୍ବାଚନ ସଫଳତା ଏବଂ ନୂଆପଡା ଉପନିର୍ବାଚନରେ ମହାବିଜୟ ମହା ସୁଯୋଗ ଆଣିଦେଇଛି । ମନମୋହନ ସାମଲଙ୍କୁ ଦଳ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ପୁରସ୍କାର ମିଳିବା ସମ୍ଭାବନା ଅଧିକ ରହିଛି । ସେହିଭଳି ରାଜ୍ୟସଭା ରେସରେ ବିଜେପିର ବହୁ ବରିଷ୍ଠ ନେତା ଅଛନ୍ତି । ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି । ସେ ସଭାପତି ରେସରେ ମଧ୍ୟ ଥିଲେ । ତାଙ୍କୁ ମଧ୍ୟ ରାଜ୍ୟସଭା ପଠାଯିବା ପାଇଁ ପ୍ରତିଶ୍ରୃତି ଦିଆଯାଇଥିବା ଚର୍ଚ୍ଚା ହେଉଥିଲା । ଅମର ପଟ୍ଟନାୟକ ମଧ୍ୟ ସଦ୍ୟତମ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କର ରାଜ୍ୟସଭାରେ ପ୍ରଦର୍ଶନ ଭଲ ରହିଥିଲା । ଅଭିଜ୍ଞତା ଅଛି । ପୂର୍ଣ୍ଣକାଳୀନ ରାଜ୍ୟସଭା କାର୍ଯ୍ୟକାଳ ଶେଷ କରିଛନ୍ତି । ତାଙ୍କ ସମ୍ଭାବନାକୁ ମଧ୍ୟ ଏହାଇଦେଇହେବ ନାହିଁ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଟୁଙ୍କୁ ୨୦୨୪ରେ ଦଳ ଟିକେଟ ଦେଇନଥିଲା । ଟୁଡୁଙ୍କୁ କେନ୍ଦ୍ରୀୟ ନେତୃତ୍ବ ସେତେବେଳେ ବୁଝାଇ ମ୍ୟାନେଜ କରିବାରେ ସଫଳ ହୋଇଥିଲେ । ତେଣୁ ଏହି ଆସନ ଉପରେ ତାଙ୍କର ମଧ୍ୟ ନଜର ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ୨୦୨୪ ରେ ରାଉରକେଲାରୁ ପରାଜିତ ପୂର୍ବତନ ମନ୍ତ୍ରୀ ବିଜେପି ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଆସୁଛି । ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ଏହା ସହ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପଠାଇବା ନେଇ ମଧ୍ୟ ଗୁଞ୍ଜରଣ ଶୁଣିବାକୁ ମିଳୁଛି । ତେବେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ଏବଂ ସେ ପୁଣି ଥରେ ରାଜନୈତିକ ସରପ୍ରାଇଜ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଖାଲି ହେବାକୁ ଥିବା ୪ର୍ଥ ରାଜ୍ୟ ସଭା ଆସନଟି ବିଶେଷ ଚର୍ଚ୍ଚାର କାରଣ ହେବ। କାରଣ କଂଗ୍ରେସ ଭୋଟ୍ ରାଜ୍ୟ ସଭା ନିର୍ବାଚନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୃଷ୍ଟି କରିବ। ଏଥର କିନ୍ତୁ କୌଣସି ଦୁଇଟି ଦଳ ଯଦି ଏକାଠି ନ ହୁଅନ୍ତି ତେବେ ରାଜ୍ୟ ସଭାର ଗୋଟିଏ ଆସନ ଲାଗି ନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ। ରାଜ୍ୟ ସଭାରେ ବିଜେଡିର ବର୍ତ୍ତମାନ ୭ ଜଣ ସଦସ୍ୟ ଥିବାବେଳେ ବିଜେପିର ସଂଖ୍ୟା ୩ ରହିଛି। ଓଡ଼ିଶା କଂଗ୍ରେସରୁ ଏବେ ରାଜ୍ୟ ସଭାରେ କେହି ନାହାନ୍ତି। ପୂର୍ବରୁ ବିଜେଡି ସହଯୋଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଥର ରାଜ୍ୟ ସଭା ଯାଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭା ସଦସ୍ୟ ସୁଜିତ୍ କୁମାର ଏବଂ ମମତା ମହାନ୍ତ ବିଜେଡି ଛାଡ଼ିବା ସହ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏହାପରେ ସେହି ଦୁଇ ନେତା ବିଜେପିରେ ଯୋଗଦେଲେ। ବିଜେପିରୁ ମଧ୍ୟ ଉଭୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସହ ବର୍ତ୍ତମାନ ବଳକା ସମୟ ପାଇଁ ଭାଜପାର ରାଜ୍ୟ ସଭା ସଦସ୍ୟ ହୋଇଛନ୍ତି। ବିଧାନସଭା ସଂଖ୍ୟା ଅନୁଯାୟୀ ବିଜେପିର ନୂଆପଡା ଦଖଲ ପରେ ସଦସ୍ୟଙ୍କ ସଂଖ୍ୟା ୭୯ ରହିଥିବା ବେଳେ ସେମାନଙ୍କ ସହ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିବା ଯୋଗୁ ଏହି ସଂଖ୍ୟା ୮୨ରେ ପହଞ୍ଚିଛି। ସେହିପରି ବିଜେଡିର ଗୋଟିଏ ଆସନ କମି ୫୦, କଂଗ୍ରେସର ୧୪, ଜଣେ ସିପିଆଇ(ଏମ୍) ବିଧାୟକ ଏବେ ବିଧାନସଭାରେ ଅଛନ୍ତି। ଅର୍ଥାତ୍ ଏଠାରେ ଶାସକ ଦଳ ବିରୋଧରେ ଯଦି ସବୁ ବିରୋଧୀ ଯଥା ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ଏକାଠି ହୁଅନ୍ତି ତେବେ ସେହି ସଂଖ୍ୟା ୬୫ରେ ପହଞ୍ଚିବ। ତେଣୁ ଖାଲି ହେବାକୁ ଥିବା ୪ ଆସନ ମଧ୍ୟରୁ ୨ଟି ବିଜେପି ନିର୍ଦ୍ୱନ୍ଦ୍ୱରେ ଦଖଲ କରିପାରିବ। ଆଉ ୨ ଖାଲି ଆସନ ମଧ୍ୟରୁ ବିଜେଡି ଖାତାକୁ ମଧ୍ୟ ନିଶ୍ଚିତ ଗୋଟିଏ ଯିବ। ଶେଷ ଗୋଟିଏ ଆସନ ଲାଗି ଗଣିତ ବଡ ଜଟିଳ ରହିବ। ଏଠାରେ ଯଦି କଂଗ୍ରେସ, ସିପିଆଇ(ଏମ୍) ଏବଂ ବିଜେଡି ଏକାଠି ହୋଇଯାଆନ୍ତି ତେବେ ୪ର୍ଥ ଆସନ ବିରୋଧୀ ସହଜରେ ରଖିଦେଇପାରିବେ। ଏହି ପରିସ୍ଥିତିରେ ରାଜନୈତିକ ଦୃଷ୍ଟିକୋଣରୁ କଂଗ୍ରେସ ନିଶ୍ଚିତ ସେହି ଗୋଟିଏ ଆସନରେ ନିଜର ପ୍ରାର୍ଥୀ ଦେବା ପାଇଁ ଚାହିଁପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି
ରାଜ୍ୟସଭା ରେସ ମନମୋହନଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚା, ୪ ଆସନ ଖାଲି ହେବ
