ରତିପାହିଲେ ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ବୁଧବାର ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ। ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।


ତେବେ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଡ଼ ଦାଣ୍ଡ, ସମୁଦ୍ର କୂଳ ସହ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସ୍ନାନ ଯାତ୍ରା ପାଇଁ ସୁରକ୍ଷା ଦାୟିତ୍ବରେ ୪ ଜଣ ଏସପି, ୪୫୦ ପୋଲିସ ଅଫିସରଙ୍କ ସହିତ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଚଳିତ ବର୍ଷ AI ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ହେବ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ବାହାରେ ଓ ଚତୁର୍ପାର୍ଶ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା, ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଡରେ ଭକ୍ତ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ । ଚାର ଚକିଆ ଯାନ ଚଳାଚଳ ପାଇଁ ମିଳିଥିବା ସୂଚନା ମୁତାବକ, ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ମୋଟର ଯାନ ମଙ୍ଗଳାଘାଟ ଛକରେ ଡାହାଣ ମୋଡ଼ ନେବେ, ଷ୍ଟର୍ଲିଂ ଛକ ଏବଂ ବିଚ୍ ରୋଡ୍ ଦେଇ ଆଗକୁ ବଢ଼ିବେ ଏବଂ ଯାତ୍ରାରେ ପାର୍କିଂ ପାଇଁ ଲାଇଟ୍ ହାଉସ୍ ଛକକୁ ଯିବେ। ଯାନଗୁଡ଼ିକ ସେହି ରାସ୍ତା ଦେଇ ଫେରିବେ। ସେହିପରି ଭୁବନେଶ୍ୱର ପାର୍ଶ୍ୱରୁ ମୋଟର ଯାନ ବାଟାଗାଁ, ଚାରିନାଳା, ଅଠରନାଳା, କୁମ୍ଭାରପଡ଼ା ପିଏସ୍, ମେଡିକାଲ୍ ଛକ ଏବଂ ବଡ଼ଦାଣ୍ଡ ଦେଇ ଜେଲ୍ ରୋଡ୍ ପାର୍କିଂ ଏବଂ ସରଧାବାଲି ଭୂମିରେ ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ କୁ ପଠାଯିବ। ଏଗୁଡ଼ିକ ପୂରଣ ହେବା ପରେ, ଯାତାୟାତକୁ ଯାତ୍ରିକା, ଦିଗବାରେଣୀ, ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଏବଂ ନୀଳାଚଳ ଅଶୋକ ପାର୍କିଂକୁ ସ୍ଥାନାନ୍ତର କରାଯିବ ଏବଂ ସେହି ରୁଟ୍ ଦେଇ ଫେରିବ। କୋଣାର୍କ ପାର୍ଶ୍ୱରୁ ଦେଇ ଆସୁଥିବା ଯାନଗୁଡ଼ିକ ବଇଦାସ ନଗର, ତୋଷାଳି ବାଲିଆ ଛକ, ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ ଛକ, ସିଦ୍ଧମହାବୀର ଛକ ଏବଂ ମାଟିପଡ଼ା ଛକ ଦେଇ ସରଧାବାଲି ପାର୍କିଂକୁ ଯିବେ।


ଶ୍ରୀମନ୍ଦିର ବାହାରେ ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତ ମାନେ ପ୍ରବେଶ କରିବେ ଓ ବାକି ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଛିନତାଇ ଅପରାଧୀଙ୍କୁ ରୋକିବା ପାଇଁ ପୋଲିସ ମୁତୟନ ହେବେ। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି। କେବଳ ପାଳିଥିବା ସେବାୟତ ମହାପ୍ରଭୁଙ୍କ ନିକଟରେ ରହିବେ। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କିଛି ଅଘଟଣକୁ ରୋକିବାକୁ ଲାଇଫଗାର୍ଡ ସହ ଅଗ୍ନିଶମ ବାହିନୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।