ପୁରୀ ଦଳାଚକଟା ଘଟଣା : ଉନ୍ନୟନ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା। ଏହି ଘଟଣାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି । ତଦନ୍ତ ରିପୋର୍ଟ ମିଳିଥିବା ବେଳେ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ସେନେଇ ଚିନ୍ତା କରିବେ ।
ଚଳିତବର୍ଷ ରଥଯାତ୍ରା ସମୟରେ ଜୁନ ୨୯ ତାରିଖ ଦିନ ଭୋର ପ୍ରାୟ ସାଢ଼େ ୪ଟାରେ ଶରଧାବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତଙ୍କ ଦର୍ଶନ ବେଳେ ଦଳାଚକଟା ଘଟଣା ଯୋଗୁଁ ୩ଜଣଙ୍କ ପ୍ରାଣହାନି ଓ ୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ଏକ ମାସ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ବୋଲି କୁହାଯାଇଥିଲା । ଏହି କଣ୍ଟ ପୁରିଛି । ଏହାରି ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ କ୍ଷେତ୍ର ସ୍ତରୀୟ ତଦନ୍ତ କରିଥିବା ବେଳେ ଭୁବନେଶ୍ବର ଏବଂ ପୁରୀରେ ସାକ୍ଷ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ଶ୍ରୀମତି ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ଏହି ରିପୋର୍ଟରେ କଣ ଅଛି ଏବଂ ପ୍ରକୃତ ଦୋଷୀ କିଏ ତାହା ଜଣାପଡିନଥିବା ବେଳେ ସରକାରଙ୍କ ପକ୍ଷରୁ ଏନେଇ ଅବଗତ କରାଯିବ ବୋଲି ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିରେ ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ରାଜ୍ୟ ସରକାର ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରିଥିଲେ। ଏହି ୪ଜଣ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।