ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ସହ ଆସୁଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ(ସଂଗଠନ) କେ.ସି.ଭେନୁଗୋପାଳ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେବେ । ସେଥିପାଇଁ ପିସିସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କର୍ମୀମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଏକାଠି ହୋଇଥିବାରୁ ରାଜନୈତିକ ମହଲ ଚଳଚଞ୍ଚଳ ହୋଇଉଠିଛି ।
ରାହୁଲଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ପିସିସି ସଭାପତି ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ବିଜେପି ସରକାର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ ।
କହିଥିଲେ, ବିଜେପି ରାଜନୈତିକ ଦୁଷ୍କର୍ମ କରୁଛି । ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରାଯାଉଛି । ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ନେଇ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଆମେ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ କରୁଛୁ, ଆସନ୍ତାକାଲି ସମ୍ବିଧାନ ବଞ୍ଚାଅ ସମାବେଶକୁ ଆସିବାକୁ ଥିବା ଲୋକଙ୍କୁ ଆସିବାକୁ ଦିଅନ୍ତୁ । ଯେଉଁ ଡ୍ରାଇଭର ଗାଡ଼ି ଚଳାଇବେ ତାଙ୍କୁ ସହଯୋଗ କରନ୍ତୁ ।
ଶ୍ରୀ ଦାସ କହିଥିଲେ ଯେ ଆମେ ଅନୁରୋଧ କରିବାର ଅର୍ଥ ନୁହେଁ ଯେ ଆମ ସମାବେଶ ସଫଳ ହେବ ନାହିଁ । ସମ୍ବିଧାନ ବଞ୍ଚଅ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ । କଂଗ୍ରେସ ଡ୍ରାଇଭର ମହାସଂଘ ସହ ସବୁବେଳେ ଛିଡା ହୋଇଛି । ଆସନ୍ତାକାଲି ଆମକୁ ସମର୍ଥନ ଦିଅନ୍ତୁ । ଯଦି ତା’ ପରଠାରୁ ସହଯୋଗ ଚାହିଁବେ ଆମେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆନ୍ଦୋଳନକୁ ସମର୍ଥନ କରିବୁ ।
ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେ.ସି.ଭେନୁଗୋପାଳଙ୍କ ସହ ରାହୁଲ ଗାନ୍ଧୀ ଆସନ୍ତାକାଲି ସକାଳ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ସମାବେଶସ୍ଥଳକୁ ଯିବେ । ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଦିନ ୧୨ଟାରେ ସଭା ଆରମ୍ଭ ହେବ । ସଭା ସରିବା ପରେ ଚାଷୀ ପ୍ରତିନିଧି ଦଳକୁ ରାହୁଲ ଭେଟିବା କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ଦଳୀୟ ବୈଠକକୁ ରାହୁଲ ସମ୍ବୋଧିତ କରିବେ । ପ୍ରଥମେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ । ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ।
ବରମୁଣ୍ଡା ପଡ଼ିଆରେ ରାହୁଲଙ୍କ ସମ୍ବିଧାନ ବଞ୍ଚାଅ ସମାବେଶ : କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ
